Latest Odisha News

BREAKING NEWS

କ୍ରିକେଟ: ଗୋଟିଏ ଦିନରେ ଦୁଇଟି ଅଲଗା ସ୍ଥାନରେ ମ୍ୟାଚ୍ ଖେଳିପାରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ବେଞ୍ଚ୍ ଷ୍ଟ୍ରେନ୍ଥ ବିଷୟରେ ସାରା ବିଶ୍ୱ ଜାଣିଛି । କୁହାଯାଏ ଯେ ଭାରତ ପାଖରେ ଏତେ ସଂଖ୍ୟକ ଗୁଣାତ୍ମକ ଖେଳାଳି ଅଛନ୍ତି ଯେ ଦଳ ଏକାଦିନକେ ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର କ୍ଷମତା ରଖେ । ଏଭଳି ଏକ ରୋମାଞ୍ଚକର ସମୀକରଣ ୩ ଅକ୍ଟୋବର ୨୦୨୬ରେ ଦେଖିବାକୁ ମିଳିପାରେ । ଏହି ଦିନ ଗୋଟିଏ ଭାରତୀୟ ଦଳ ନ୍ୟୁ ଚଣ୍ଡୀଗଡ଼ଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳୁଥିବା ବେଳେ, ଅନ୍ୟ ଦଳ ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସରେ ମେଡାଲ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି । ଟିମ୍ ଇଣ୍ଡିଆକୁ ଏସିଆନ୍ ଗେମ୍ସରେ ସିଧାସଳଖ କ୍ୱାଟରଫାଇନାଲ୍‌ରେ ସ୍ଥାନ ମିଳିଛି । ୨୮ ସେପ୍ଟେମ୍ବରରେ ଭାରତୀୟ ଦଳ ଗ୍ରୁପ୍-ଏ (ଯେଉଁଥିରେ ଆଫଗାନିସ୍ତାନ, ଜାପାନ ଓ ନେପାଳ ଅଛନ୍ତି)ର ଦ୍ୱିତୀୟ ସ୍ଥାନରେ ଥିବା ଦଳ ସହ ସାମ୍ନାସାମ୍ନି ହେବ । କ୍ୱାଟରଫାଇନାଲ୍ ଜିତିଲେ ୧ ଅକ୍ଟୋବରରେ ସେମିଫାଇନାଲ୍ ଏବଂ ୩ ଅକ୍ଟୋବରରେ ଗୋଲ୍ଡ ମେଡାଲ (ଫାଇନାଲ୍) ମ୍ୟାଚ୍ ଖେଳାଯିବ । ଠିକ୍ ଏହି  ଦିନ ହିଁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍ ନିର୍ଦ୍ଧାରିତ ହୋଇଛି, ଯାହା ପାଇଁ ସମ୍ପୂର୍ଣ୍ଣ ଅଲଗା ଦଳ ପଡ଼ିଆକୁ ଓହ୍ଲାଇବ ।

ଏସିଆନ୍ ଗେମ୍ସ ପାଇଁ ଘୋଷିତ ଦଳର ଅଧିନାୟକତ୍ୱ ଶ୍ରେୟାଶ ଆୟରଙ୍କ ହାତରେ ରହିଛି । ଏହି ଦଳରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ବୈଭବ ସୂର‌୍ୟ୍ୟବଂଶୀ, ତିଳକ ବର୍ମା, ଯଶପ୍ରୀତ ବୁମରା ଏବଂ ଅର୍ଶଦୀପ ସିଂଙ୍କ ଭଳି ତାରକା ଖେଳାଳି ସାମିଲ ଅଛନ୍ତି । ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଦଳର ନେତୃତ୍ୱ ଶୁଭମନ ଗିଲ୍ ନେବେ, ଯେଉଁଥିରେ ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବ ଓ କେ.ଏଲ୍. ରାହୁଲଙ୍କ ଭଳି ବରିଷ୍ଠ ଖେଳାଳିମାନେ ଖେଳିବେ । ଏହାପୂର୍ବରୁ ୨୮ ବର୍ଷ ତଳେ, ଅର୍ଥାତ୍ ୧୨ ସେପ୍ଟେମ୍ବର ୧୯୯୮ରେ ଭାରତୀୟ କ୍ରିକେଟ୍ ଇତିହାସରେ ଏଭଳି ଘଟଣା ଘଟିଥିଲା । ସେହିଦିନ ସଚିନ୍ ତେନ୍ଦୁଲକର ଓ ଅନିଲ କୁମ୍ବଲେଙ୍କ ଭଳି ଖେଳାଳି କୁଆଲାଲମ୍ପୁରରେ ଅନୁଷ୍ଠିତ କମନ୍‌ୱେଲ୍‌ଥ ଗେମ୍ସରେ କାନାଡ଼ା ବିପକ୍ଷରେ ଖେଳୁଥିବା ବେଳେ ଅନ୍ୟପଟେ ମହମ୍ମଦ  ଆଝାରୁଦ୍ଦିନଙ୍କ ଅଧିନାୟକତ୍ୱରେ ଟୋରଣ୍ଟୋରେ ଶାହାରା ଫ୍ରେଣ୍ଡସିପ୍ କପ୍‌ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିଥିଲେ ।

Leave A Reply

Your email address will not be published.