Latest Odisha News

BREAKING NEWS

ଆଧୁନିକ ଟ୍ରକ୍ ଟର୍ମିନାଲ୍ ନିମନ୍ତେ ଓଡ଼ିଶା ଓ IOCL ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର:ଜାତୀୟ ଓ ରାଜ୍ୟ ରାଜପଥରେ ଅବୈଧ ପାର୍କିଂ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣା ସହ ପ୍ରାଣହାନିକୁ ରୋକିବା ସହ ଭାରୀଯାନ ଚାଳକମାନଙ୍କୁ ଉନ୍ନତ ସୁବିଧା-ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜପଥ ପାର୍ଶ୍ୱରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ଟ୍ରକ୍ ଟର୍ମିନାଲ୍‌ଗୁଡ଼ିକର ସୁଚାରୁ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଭାରତ ସରକାରଙ୍କ ଅଗ୍ରଣୀ ଉଦ୍ୟୋଗ ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍’ (IOCL) ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି ।

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍. ବି. ଏସ୍. ରାଜପୁତ, ପରିବହନ କମିଶନର ଅମିତାଭ ଠାକୁର ଏବଂ IOCLର ରାଜ୍ୟ ମୁଖ୍ୟ କମଲ ସିଲ୍‌ ଓ ଡିଜିଏମ୍ ସଚିନ୍ଦ୍ର ଗୁନୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପରିବହନ ବିଭାଗ ପକ୍ଷରୁ ଅତିରିକ୍ତ ପରିବହନ କମିସନର (ସଡ଼କ ସୁରକ୍ଷା) ଦୀପ୍ତିରଞ୍ଜନ ପାତ୍ର ଏବଂ IOCL ପକ୍ଷରୁ ରାଜ୍ୟ ରିଟେଲ ମୁଖ୍ୟ ଚିରଞ୍ଜୀବ ପୋଦାର ଏହି MoUରେ ସ୍ୱାକ୍ଷର କରିଛନ୍ତି।

ସୂଚନାଥାଉକି, ରାସ୍ତାରେ ଅସୁରକ୍ଷିତ ଭାବେ ଛିଡ଼ା ହୋଇ ରହୁଥିବା ଗାଡ଼ି ସହିତ ଧକ୍କା ହେବା କାରଣରୁ ଓଡ଼ିଶାରେ ପ୍ରତିବର୍ଷ ୩୦୦ରୁ ଅଧିକ ଜଣ ଲୋକ ପ୍ରାଣ ହରାଉଛନ୍ତି। ବିଭିନ୍ନ ରାଜ୍ୟରୁ ଆସୁଥିବା ଦୂରଗାମୀ ଟ୍ରକ୍ ଚାଳକମାନେ ଅନେକ ସମୟରେ ରାଜପଥରେ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଥିବା ସହ ଅସୁରକ୍ଷିତ ପରିବେଶରେ ରାନ୍ଧିବା ଓ ବିଶ୍ରାମ ନେବା ଭଳି କାର୍ଯ୍ୟକଳାପ କରୁଛନ୍ତି। ଫଳରେ ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି।

ଏହି ସମସ୍ୟା ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାତୀୟ ରାଜପଥ ନିକଟରେ ୩୦ଟି ଟ୍ରକ୍ ଟର୍ମିନାଲ୍ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିମଧ୍ୟରୁ ୧୫ଟି ଟର୍ମିନାଲ୍‌ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଟର୍ମିନାଲ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ଗାଡ଼ି ପାର୍କିଂ ବ୍ୟବସ୍ଥା ସହିତ ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମାଗାର, କ୍ୟାଣ୍ଟିନ୍, ପାନୀୟ ଜଳ, ଗାଡ଼ି ମରାମତି ଗ୍ୟାରେଜ୍, ଇଭି ଚା ଷ୍ଟେସନ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଇଛି।

ସୋମବର ସ୍ୱାକ୍ଷରିତ ହୋଇଥିବା MoU ଅନୁଯାୟୀ, IOCL ଏହି ଟ୍ରକ୍ ଟର୍ମିନାଲ୍‌ଗୁଡ଼ିକର ପରିଚାଳନା, କାର୍ଯ୍ୟକ୍ଷମତା ଓ ଦୈନନ୍ଦିନ ରକ୍ଷଣାବେକ୍ଷଣ ଦାୟିତ୍ୱ ନିର୍ବାହ କରିବ।

ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଗାଡ଼ି ପାର୍କିଂ କରୁଥିବା ଚାଳକମାନଙ୍କୁ ଏହି ସୁରକ୍ଷିତ ଟର୍ମିନାଲ୍‌ଗୁଡ଼ିକ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରାଯିବ।

Leave A Reply

Your email address will not be published.