ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଦିମାଗୀ ନକ୍ସଲ’ ମନ୍ତବ୍ୟକୁ ନେଇ ଏବେ ପାଲଟା ଆକ୍ରମଣ କରିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏକ୍ସରେ ପୋଷ୍ଟ କରି ରାହୁଲ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କୁ ପ୍ରଶ୍ନ କରୁଥିବା ଲୋକଙ୍କୁ ‘ଦିମାଗୀ ନକ୍ସଲ’ ଭଳି ଶବ୍ଦ ବ୍ୟବହାର କରି ଲଜ୍ଜିତ, ବଦନାମ ଏବଂ ନିରବ କରିବାକୁ ଚେଷ୍ଟା ହେଉଛି।
ଏହି ବିବାଦର ପୃଷ୍ଠଭୂମିରେ ରହିଛି ଦିଲ୍ଲୀର ସତ୍ୟ ନିକେତନରେ ଘଟିଥିବା ଭୟାବହ କୋଠା ଭୁଶୁଡ଼ିବା ଘଟଣା। ଘଟଣାରେ ୭ ଜଣଙ୍କ ମୃତ୍ୟୁ ପରେ ରାହୁଲ ସରକାରଙ୍କ ଉତ୍ତରଦାୟିତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସତ୍ୟ ନିକେତନ ଘଟଣା କୌଣସି ଏକାକୀ ଦୁର୍ଘଟଣା ନୁହେଁ। ଗତ ୪ ମାସରେ ଦିଲ୍ଲୀରେ ଏଭଳି ଅନେକ ଘଟଣା ଘଟିଛି। ସୈଦୁଲାଜାବରେ ସମାନ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହୌଜ୍ ରାଣୀରେ ଅଗ୍ନିକାଣ୍ଡରେ ୨୨ ଜଣଙ୍କ ଜୀବନ ଯାଇଥିବା ସେ ଉଲ୍ଲେଖ କରିଛନ୍ତି।
ରାହୁଲଙ୍କ ଅଭିଯୋଗ ହେଉଛି, ପ୍ରତିଥର ଦୁର୍ଘଟଣା ପୂର୍ବରୁ ପ୍ରତିରୋଧମୂଳକ ପଦକ୍ଷେପ ନିଆଯାଏ ନାହିଁ। ଘଟଣା ପରେ ବୟାନବାଜି ହୁଏ ଏବଂ କିଛି ନିମ୍ନସ୍ତରୀୟ ଅଧିକାରୀଙ୍କ ଉପରେ ଦାୟିତ୍ୱ ଲଦି ଦିଆଯାଏ। କିନ୍ତୁ ପ୍ରକୃତ ଦାୟୀ ବ୍ୟକ୍ତିମାନେ ଦାୟିତ୍ବବୋଧତାରୁ ବଞ୍ଚିଯାଆନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ପ୍ରସଙ୍ଗରେ ରାହୁଲ ‘TINA’ ହ୍ୟାସଟ୍ୟାଗ୍ ବ୍ୟବହାର କରିଛନ୍ତି। ସେ ଏହାର ଅର୍ଥ ‘ଏଠାରେ ଉତ୍ତରଦାୟିତ୍ବ ନାହିଁ(There Is No Accountability)’, ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ‘TINA’ ଶବ୍ଦଟି ସାଧାରଣତଃ ‘There Is No Alternative’ ଅର୍ଥାତ୍ ‘କୌଣସି ବିକଳ୍ପ ନାହିଁ’ ଅର୍ଥରେ ମଧ୍ୟ ବ୍ୟବହୃତ ହୁଏ।
ରାହୁଲ ଆହୁରି କହିଛନ୍ତି, ଯେତେବେଳେ ଲୋକେ ଉତ୍ତରଦାୟିତ୍ବ ଦାବି କରନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ‘ଦିମାଗୀ ନକ୍ସଲ’ ଏବଂ ‘ନାରାଜ ଫୁଫା’ ଭଳି ଅପମାନଜନକ ଶବ୍ଦ ବ୍ୟବହାର କରାଯାଉଛି। ତାଙ୍କ ମତରେ ଏହାର ଉଦ୍ଦେଶ୍ୟ ପ୍ରଶ୍ନ କରୁଥିବା ଲୋକଙ୍କୁ ଲଜ୍ଜିତ, ବଦନାମ ଏବଂ ଚୁପ୍ କରାଇବା।
ରାହୁଲ ଦିଲ୍ଲୀର ‘ଟ୍ରିପଲ୍ ଇଞ୍ଜିନ୍’ ସରକାରକୁ ମଧ୍ୟ ପ୍ରଶ୍ନ କରିଛନ୍ତି। ଏତେ ସତ୍ତା ଓ ପ୍ରଶାସନିକ କ୍ଷମତା ଥିବା ସତ୍ତ୍ୱେ ଏଭଳି ଘଟଣାକୁ ରୋକିବାରେ ଅସମର୍ଥତାର କାରଣ କ’ଣ ବୋଲି ସେ ପଚାରିଛନ୍ତି। ତାଙ୍କ କହିବା ଅନୁସାରେ, ସମସ୍ୟା କ୍ଷମତାର ଅଭାବ ନୁହେଁ, ବରଂ ଇଚ୍ଛାଶକ୍ତିର ଅଭାବ; ଯେଉଁଠାରେ ଇଚ୍ଛା ନାହିଁ, ସେଠାରେ ଉତ୍ତରନାୟିତ୍ବ ମଧ୍ୟ ରହେନାହିଁ।
ଅନ୍ୟପଟେ, ‘ଦିମାଗୀ ନକ୍ସଲ’ ଶବ୍ଦକୁ ନେଇ ମୋଦି ଓ କଂଗ୍ରେସ ମଧ୍ୟରେ ବିବାଦ ଗତ କିଛି ସପ୍ତାହ ଧରି ଜାରି ରହିଛି। ଅଗଷ୍ଟ ୧୫ର ଲାଲକିଲ୍ଲା ଭାଷଣରେ ମୋଦି ‘ଦିମାଗୀ ନକ୍ସଲ’ ବିରୋଧରେ ସତର୍କ କରିଥିଲେ। ଏବେ ସତ୍ୟ ନିକେତନ ଘଟଣାକୁ ଆଧାର କରି ରାହୁଲଙ୍କ ଏହି ପାଲଟା ଆକ୍ରମଣ ପରେ ରାଜନୈତିକ ବିବାଦ ଆହୁରି ତୀବ୍ର ହୋଇଛି।

