Latest Odisha News

BREAKING NEWS

ଦିଲ୍ଲୀ ପିଜି ଟ୍ରାଜେଡି ପରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ଭଙ୍ଗାଯିବ ଅସୁରକ୍ଷିତ କୋଠା

ଭୁବନେଶ୍ୱର: ଦିଲ୍ଲୀ PG ଟ୍ରାଜେଡି ପରେ ଭୁବନେଶ୍ୱରରେ କେତେ ସୁରକ୍ଷିତ ବିଭିନ୍ନ ବିଲ୍ଡିଂ । ରାଜଧାନୀ ଭୁବନେଶ୍ୱରରେ ଭଙ୍ଗାଯିବ ଅସୁରକ୍ଷିତ କୋଠା। ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ଅସୁରକ୍ଷିତ ବିଲ୍ଡିଂ ଯାଞ୍ଚ କରିବାକୁ ଗଠନ ହୋଇଛି ସ୍ବତନ୍ତ୍ର କମିଟି । ୧୫ ଦିନ ଭିତରେ ରିପୋର୍ଟ ଦେବ କମିଟି। ବିଶେଷକରି କଟକ ଓ ପୁରୀ ଉପରେ ଫୋକସ୍ ପାଇଁ ପରାମର୍ଶ ଦିଆଯାଇଛି। ଯାଞ୍ଚକାରୀ ଦଳ ସନ୍ଦେହଜନକ ବିପଦପୂର୍ଣ୍ଣ କୋଠାଗୁଡ଼ିକର ବିସ୍ତୃତ ଯାଞ୍ଚ କରିବେ । ରିପୋର୍ଟ ଆଧାରରେ ଅସୁରକ୍ଷିତ ବିଲ୍ଡିଂ ଗୁଡ଼ିକୁ ଭଙ୍ଗା ଯିବ ।

ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୋଠା ବିରୋଧରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅସୁରକ୍ଷିତ ସରକାରୀ ଏବଂ ବେସରକାରୀ କୋଠା ଅନୁଧ୍ୟାନ କରାଯାଇ ନୋଟିସ କରାଯିବ । ଯାଞ୍ଚକାରୀ ଦଳ ସନ୍ଦେହଜନକ ବିପଦପୂର୍ଣ୍ଣ କୋଠାଗୁଡ଼ିକର ବିସ୍ତୃତ ଯାଞ୍ଚ କରିବ । ନଗର ଉନ୍ନୟନ ବିଭାଗର କୋଠା ଦୁର୍ବଳ ଥିଲେ ତାକୁ ଭଙ୍ଗାଯାଇ ନୂଆ ନିର୍ମାଣ କରାଯିବ ।

ଅନ୍ୟ ବିଭାଗର ସରକାରୀ କୋଠା ସେପରି ଥିଲେ ସମ୍ପୃକ୍ତ ବିଭାଗକୁ ଅବଗତ କରାଯିବ । ବେସରକାରୀ ହେଲେ ମଧ୍ୟ ସେମାନଙ୍କୁ ନୋଟିସ କରାଯିବ । ତେବେ ଯେଉଁ ଅସୁରକ୍ଷିତ କୋଠା ଆମ ବିଭାଗ ଅଧୀନରେ ଆସିବ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଯଦି ସେଗୁଡ଼ିକ ଅନ୍ୟ ବିଭାଗର ତେବେ ଆମେ ସେମାନଙ୍କ ସହିତ ସମନ୍ୱୟ ରଖିବୁ । ଏପରିକି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନଙ୍କୁ ଜଣାଇବୁ ବୋଲି ସେ କହିଛନ୍ତି ।

ସହରାଞ୍ଚଳରେ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବିପଦପୂର୍ଣ୍ଣ ଓ ଅସୁରକ୍ଷିତ କୋଠାଗୁଡ଼ିକ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସରକାରୀ ଓ ଘରୋଇ କୋଠାଗୁଡ଼ିକୁ ଚିହ୍ନଟ କରି ଯାଞ୍ଚ, ମୂଲ୍ୟାଙ୍କନ ଓ ଆଇନାନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.