ଚୀନ୍ ସହରଗୁଡ଼ିକ ଉପରେ ଘୁରି ବୁଲୁଛି ପରମାଣୁ ଆକ୍ରମଣର ବିପଦ: ସତର୍କ କରାଇଲା ସେନା, ଜାପାନକୁ କହିଲା ସବୁଠୁ ବଡ଼ ଶତ୍ରୁ
ବେଜିଂ: ଦୁନିଆରେ ପୁଣି ଏକ ପରମାଣୁ ଯୁଦ୍ଧର ଆଶଙ୍କା ଘନୀଭୂତ ହେଉଛି କି? ଚୀନ୍ ସେନା ‘ପିପୁଲ୍ସ ଲିବରେସନ୍ ଆର୍ମି’ ର ଏକ ତାଜା ଅଧ୍ୟୟନ ରିପୋର୍ଟ ଏବେ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପିଏଲଏର ରକେଟ୍ ଫୋର୍ସ ସହିତ ଜଡ଼ିତ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚୀନ୍ର ପ୍ରମୁଖ ସହରଗୁଡ଼ିକୁ ସମ୍ଭାବ୍ୟ ପରମାଣୁ ଆକ୍ରମଣର ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି। ଏହି ରିପୋର୍ଟରେ ପଡ଼ୋଶୀ ଦେଶ ଜାପାନକୁ ବିଶ୍ୱ ପାଇଁ ଏକ “ବଡ଼ ବିପଦ ସଙ୍କେତ” ଭାବେ ଚିହ୍ନଟ କରାଯାଇଛି ।
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପରିସ୍ଥିତିରେ ଏକ ବୃହତ୍ ତଥା ବିଶ୍ୱସ୍ତରୀୟ ପରମାଣୁ ଯୁଦ୍ଧର ସମ୍ଭାବନା ଖୁବ୍ କମ୍। ତଥାପି ଏକ ସୀମିତ ଧରଣର ଆକ୍ରମଣକୁ ଏଡ଼ାଇ ଦିଆଯାଇନପାରେ। ଭୌଗୋଳିକ କିମ୍ବା ଧାର୍ମିକ ବିବାଦ କାରଣରୁ କ୍ଷୁଦ୍ର ବା ମଧ୍ୟମ ଧରଣର ପରମାଣୁ ଅସ୍ତ୍ର ଥିବା ଦେଶ କିମ୍ବା ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଚୀନ୍ର ପ୍ରମୁଖ ସହରଗୁଡ଼ିକ ଉପରେ ଟାକ୍ଟିକାଲ୍ ପରମାଣୁ ଆକ୍ରମଣ କରିବାର ଆଶଙ୍କା ରହିଛି ।
ଏହି ରିପୋର୍ଟରେ ମୁଖ୍ୟତଃ ଜାପାନକୁ ଟାର୍ଗେଟ୍ କରାଯାଇଛି। କାରଣ, ୨୦୧୭ ରେ ଗୃହୀତ ହୋଇଥିବା ‘ପରମାଣୁ ଅସ୍ତ୍ର ନିଷେଧ ଚୁକ୍ତି’ରେ ଜାପାନ ଏପର୍ଯ୍ୟନ୍ତ ସ୍ୱାକ୍ଷର କରିନାହିଁ। ଏହାଛଡ଼ା, ନିଜର ଦୀର୍ଘଦିନର ‘ତିନୋଟି ଅଣ-ପରମାଣୁ ନୀତି’ (ଅସ୍ତ୍ର ନରଖିବା, ତିଆରି ନକରିବା ଏବଂ ଦେଶ ଭିତରେ ପ୍ରବେଶ କରାଇ ନଦେବା) ରେ ପରିବର୍ତ୍ତନ ଆଣିବାକୁ ଟୋକିଓ ବିଚାର କରୁଥିବା ପିଏଲଏ ଦାବି କରିଛି। ଚୀନ୍ ଅଭିଯୋଗ କରିଛି ଯେ, ଜାପାନ ବହୁ ପୂର୍ବରୁ ଗୁପ୍ତ ଭାବରେ ଅସ୍ତ୍ରଶସ୍ତ୍ର ତିଆରି ଉପଯୋଗୀ ପ୍ଲୁଟୋନିୟମ୍ ଗଚ୍ଛିତ ରଖିଛି ଏବଂ ଖୁବ୍ କମ୍ ସମୟ ମଧ୍ୟରେ ପରମାଣୁ ବୋମା ତିଆରି କରିବା ପାଇଁ ତା’ ପାଖରେ ପର୍ଯ୍ୟାପ୍ତ ଜ୍ଞାନକୌଶଳ ତଥା ଆର୍ଥିକ କ୍ଷମତା ରହିଛି ।
ସମ୍ଭାବ୍ୟ ପରମାଣୁ ଆକ୍ରମଣର ମୁକାବିଲା ପାଇଁ ଚୀନ୍ ଏବେଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏକ ଛୋଟ ଧରଣର ପରମାଣୁ ଆକ୍ରମଣ ହେଲେ କିଭଳି ପରିସ୍ଥିତି ସୃଷ୍ଟି ହେବ, ସେନେଇ ପିଏଲଏ ୧୯୪୫ ମସିହାର ହିରୋସିମା ବୋମା ବିସ୍ଫୋରଣର ତଥ୍ୟକୁ ଆଧାର କରି ଏକ ମଡେଲ୍ ପ୍ରସ୍ତୁତ କରିଛି। ରାଡିଏସନ୍ ଏବଂ ବ୍ୟାପକ ଧନଜୀବନ ହାନିରୁ ବର୍ତ୍ତିବା ପାଇଁ ବେଜିଂ ପୂର୍ବରୁ ପ୍ରାୟ ୩୦ଟି ଜରୁରୀକାଳୀନ ଉଦ୍ଧାର କେନ୍ଦ୍ର ସ୍ଥାପନ କରିସାରିଛି ।
ତେବେ ଡାକ୍ତରୀ ଚିକିତ୍ସା କ୍ଷମତା ବୃଦ୍ଧି କରିବା, ଆଣ୍ଟିବାୟୋଟିକ୍ ଏବଂ ବିକିରଣରୁ ରକ୍ଷା କରୁଥିବା ଉପକରଣ ଆଗୁଆ ମହଜୁଦ ରଖିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଏହାଛଡ଼ା ଆକ୍ରମଣ ସମୟରେ ସାଧାରଣ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ନ୍ୟୁକ୍ଲିୟର ସେଫ୍ଟି ନେଇ ବ୍ୟାପକ ସଚେତନତା ଓ ପ୍ରଶିକ୍ଷଣ ଦିଆଯିବାର ଆବଶ୍ୟକତା ରହିଛି ବୋଲି ଚୀନ୍ ସେନା ସ୍ପଷ୍ଟ କରିଛି। ସମୟ ଥାଉ ଥାଉ ଆଗୁଆ ପ୍ରସ୍ତୁତ ରହିବାକୁ ସେନା ପକ୍ଷରୁ ସରକାରଙ୍କୁ ଆହ୍ୱାନ ଦିଆଯାଇଛି ।

