ଖଲ୍ଲିକୋଟ:ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ଖଲ୍ଲିକୋଟ ଏନ୍ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ସହକାରୀ ଶିକ୍ଷକ ଭବାନୀ ପ୍ରସାଦଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏଥିରେ ଭବାନୀ ପ୍ରସାଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ସୂଚନାଥାଉକି, ଶିକ୍ଷକ ଭବାନୀ ପ୍ରସାଦ ସ୍କୁଲକୁ ଆସୁଥିବା ବେଳେ ଗେଟ୍ ନିକଟରେ ଜଣେ ଯୁବକ ତାଙ୍କୁ ଅଟକାଇ ତାଙ୍କୁ ଗାଳିଗୁଲଜ କରିବା ସହ କାଠଫାଳିଆରେ ଆକ୍ରମଣ କରିଥିଲେ। ଆହତ ଶିକ୍ଷକଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏପଟେ ତାଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ସେ ଚିହ୍ନିନଥିବା କହିଛନ୍ତି। ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ । ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

