Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ଼ ଘୋଷଣା: ଶାସକ ଦଳର ମେଣ୍ଟ ନାମ ‘ସେକ୍ୟୁଲାର୍ ସୋସିଆଲ୍ ଜଷ୍ଟିସ୍ ଭିକ୍ଟ୍ରି ଆଲାଏନ୍ସ’

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ଅଭିନେତା ସି. ଜୋସେଫ୍ ବିଜୟ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଛନ୍ତି । ବୁଧବାର ଦିନ ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗମ୍’ ପକ୍ଷରୁ ଏହାର ନୂ ରାଜନୈତିକ ମେଣ୍ଟର ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । କଂଗ୍ରେସ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳଗୁଡ଼ିକୁ ନେଇ ଗଠିତ ଏହି ଶାସକ ମେଣ୍ଟର ନାମ ‘ସେକ୍ୟୁଲାର୍ ସୋସିଆଲ୍ ଜଷ୍ଟିସ୍ ଭିକ୍ଟ୍ରି ଆଲାଏନ୍ସ’ ରଖାଯାଇଛି ।

ବୁଧବାର ଚେନ୍ନାଇର ପାନାଇୟୁର୍ ସ୍ଥିତ ଟିଭିକେ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦୁଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବିଜୟ ଅଧ୍ୟକ୍ଷତା କରିଥିବା ବେଳେ ତାଙ୍କୁ ସର୍ବସମ୍ମତି କ୍ରମେ ଏହି ମେଣ୍ଟର ଅଧ୍ୟକ୍ଷ ଭାବରେ ମନୋନୀତ କରାଯାଇଛି । ଏହି ବୈଠକରେ କଂଗ୍ରେସ, ଭିସିକେ, ଏମ୍‌ଡିଏମ୍‌କେ ଏବଂ ଆଇୟୁଏମ୍‌ଏଲ୍ ଭଳି ପ୍ରମୁଖ ଦଳର ଶୀର୍ଷ ନେତାମାନେ ଯୋଗ ଦେଇଥିଲେ । ତେବେ ରାଜ୍ୟ ସରକାରଙ୍କୁ ବାହାରୁ ସମର୍ଥନ କରୁଥିବା ବାମପନ୍ଥୀ ଦଳ ଏହି ବୈଠକରୁ ଦୂରେଇ ରହିଥିବା ଦେଖିବାକୁ ମିଳିଥିଲା ।

ଏହି ବୈଠକ ପରେ ସୂଚନା ଦେଇ ତାମିଲନାଡୁ କଂଗ୍ରେସ କମିଟିର ସଭାପତି ବି. ମାଣିକମ୍ ଟାଗୋର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱରେ ଗଠିତ ଏହି ନୂତନ ମେଣ୍ଟର ନାମ ହିଁ ଏହାର ମୂଳ ଆଦର୍ଶକୁ ଦର୍ଶାଉଛି । ରାଜ୍ୟର ଅଧିକାର ପାଇଁ ଲଢ଼ୁଥିବା ସମସ୍ତ ସମାଜବାଦୀ ଦଳ ଏହି ମେଣ୍ଟରେ ସାମିଲ ଅଛନ୍ତି ଏବଂ ସାମ୍ପ୍ରଦାୟିକ ଶକ୍ତିକୁ ସରକାରଙ୍କଠାରୁ ଦୂରରେ ରଖିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ମଦୁରାନ୍ତକମ୍ ଏବଂ ଧାରାପୁରମ୍ ବିଧାନସଭା ଉପ-ନିର୍ବାଚନରେ ମେଣ୍ଟ ପକ୍ଷରୁ ମିଳିତ ପ୍ରାର୍ଥୀ ଦିଆଯିବ ଏବଂ ତାମିଲନାଡୁ ସମେତ ପୁଡୁଚେରୀରେ ମଧ୍ୟ ମେଣ୍ଟ ଏକାଠି କାମ କରିବ। ଆଗାମୀ ଦିନରେ ଏକ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସହ ପରିଚାଳନା କମିଟି ମଧ୍ୟ ଗଠନ କରାଯିବ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅନୁଷ୍ଠିତ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ଟିଭିକେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇ ୧୦୮ଟି ଆସନରେ ଐତିହାସିକ ବିଜୟ ହାସଲ କରିଥିଲା । ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଠାରୁ ଦଳ ସାମାନ୍ୟ ପଛରେ ଥିବା ବେଳେ ନିର୍ବାଚନ ଫଳାଫଳ ପରେ କଂଗ୍ରେସ ନିଜର ପୁରୁଣା ସହଯୋଗୀ ଡିଏମ୍‌କେ ସହିତ ସମ୍ପର୍କ ଛିନ୍ନ କରିଥିଲା। ନିଜର ୫ ଜଣ ବିଧାୟକଙ୍କ ସମର୍ଥନ ଟିଭିକେକୁ ପ୍ରଦାନ କରି କଂଗ୍ରେସ ରାଜ୍ୟରେ ଏକ ନୂଆ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହାବ୍ୟତୀତ ଭିସିକେ ଏବଂ ଆଇୟୁଏମ୍‌ଏଲ୍ ମଧ୍ୟ ଏହି ସରକାରର ମୁଖ୍ୟ ଅଂଶବିଶେଷ ।

Leave A Reply

Your email address will not be published.