ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଟେକ୍ କମ୍ପାନୀ ଆପଲ୍ ଆଜି ନିଜର ବହୁ ପ୍ରତୀକ୍ଷିତ ଏବଂ ଚର୍ଚ୍ଚିତ ‘ସରପ୍ରାଇଜ୍ ଆଣ୍ଡ ସାଇନ୍’ ଇଭେଣ୍ଟରେ ଆଇଫୋନ୍ ୧୮ ସିରିଜ୍ ସହିତ ଏହାର ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ଲଞ୍ଚ୍ କରିବାକୁ ଯାଉଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆପଲ୍ ପ୍ରେମୀମାନେ ଏହି ନୂଆ ମଡେଲକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଏବଂ ଟେକ୍ ବଜାରରେ ଏହାର ଦାମ୍କୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି । ଆଜି ପ୍ରିମିୟମ୍ ଆଇଫୋନ୍ର ଦାମ୍ ଲକ୍ଷେ ଟଙ୍କା ଉପରେ ରହୁଥିବା ବେଳେ, ଆପଣ କେବେ ଭାବିଛନ୍ତି କି ଭାରତରେ ବିକ୍ରି ହୋଇଥିବା ଆପଲ୍ର ପ୍ରଥମ ଫୋନ୍ର ଦାମ୍ କେତେ ଥିଲା? ଆସନ୍ତୁ ଜାଣିବା ୨୦୦୮ରୁ ୨୦୨୬ ମଧ୍ୟରେ କେତେ ବଦଳିଛି ଆଇଫୋନ୍ର ଦାମ୍ ଏବଂ ଜ୍ଞାନକୌଶଳ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଷ୍ଟିଭ୍ ଜବ୍ସଙ୍କ ଦ୍ୱାରା ଲଞ୍ଚ୍ ହୋଇଥିବା ଆପଲ୍ର ଫାର୍ଷ୍ଟ ଜେନେରେସନ୍ ଆଇଫୋନ୍ କେବେ ମଧ୍ୟ ଭାରତରେ ବିକ୍ରି ହୋଇନଥିଲା । ଏହି ଆଇକନିକ୍ ଫୋନ୍ କେବଳ ଆମେରିକା ଏବଂ କିଛି ମନୋନୀତ ଦେଶର ବଜାରରେ ସୀମିତ ଥିଲା । ତେବେ ୨୦୦୮ ମସିହାରେ ଆପଲ୍ ଭାରତୀୟ ବଜାରରେ ପ୍ରବେଶ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଥିଲା। ଭାରତର ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ୍ ସହିତ ମିଶି ଆପଲ୍ ଭାରତରେ ନିଜର ଦ୍ୱିତୀୟ ଫୋନ୍, ‘ଆଇଫୋନ୍ ୩ଜି’ ଅଫିସିଆଲ୍ ଭାବରେ ଲଞ୍ଚ୍ କରିଥିଲା । ଏହା ଥ୍ରୀ-ଜି ନେଟୱାର୍କ ସପୋର୍ଟ ସହିତ ଆସିଥିଲା, ଯାହା ସେହି ସମୟରେ ମୋବାଇଲ୍ ଜଗତରେ ଏକ ବଡ଼ କ୍ରାନ୍ତି ଥିଲା ।
୨୦୦୮ ମସିହାରେ ଲଞ୍ଚ୍ ହୋଇଥିବା ଏହି ଆଇଫୋନ୍ ୩ଜିର ୮ ଜିବି ଷ୍ଟୋରେଜ୍ ବିଶିଷ୍ଟ ବେସ୍ ମଡେଲ୍ର ଦାମ୍ ୩୧,୦୦୦ ଟଙ୍କା ରଖାଯାଇଥିଲା। ଏହା ପରେ କମ୍ପାନୀ ଭାରତରେ ‘ଆଇଫୋନ୍ ୩ଜିଏସ୍’ ମଡେଲ୍ ମଧ୍ୟ ଆଣିଥିଲା, ଯେଉଁଥିରେ ପୂର୍ବ ଅପେକ୍ଷା ଦୁଇଗୁଣା ଅଧିକ ଅର୍ଥାତ୍ ୧୬ ଜିବି ଷ୍ଟୋରେଜ୍ ଦିଆଯାଇଥିଲା । ଏହି ମଡେଲ୍ର ଦାମ୍ ୩୫ ହଜାର ଟଙ୍କା ରହିଥିଲା । ସେହି ସମୟରେ ଏକ ସାଧାରଣ ଫିଚର ଫୋନ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଗୋଟିଏ ସ୍ମାର୍ଟଫୋନ୍ ପଛରେ ଏତେ ଟଙ୍କା ଖର୍ଚ୍ଚ କରିବା ଏକ ବିଳାସପୂର୍ଣ୍ଣ ବ୍ୟାପାର ଥିଲା । ତଥାପି, ଗ୍ରାହକଙ୍କ ମଧ୍ୟରେ ଏହି ଫୋନ୍କୁ ନେଇ ପ୍ରବଳ ଆକର୍ଷଣ ଏବଂ ଉନ୍ମାଦନା ଦେଖିବାକୁ ମିଳିଥିଲା ଏବଂ ଏହାକୁ ଏକ ଷ୍ଟାଟସ୍ ସିମ୍ବଲ୍ ଭାବରେ ଗ୍ରହଣ କରାଯାଇଥିଲା ।
ଏବେ ୨୦୨୬ ମସିହା । ଦୀର୍ଘ ୧୮ ବର୍ଷ ମଧ୍ୟରେ ଆଇଫୋନ୍ର ଜ୍ଞାନକୌଶଳରେ ଯେତିକି ବିପୁଳ ପରିବର୍ତ୍ତନ ଆସିଛି, ଏହାର ଦାମ୍ ମଧ୍ୟ ସେତିକି ବୃଦ୍ଧି ପାଇଛି । ଏବେକାର ଆଇଫୋନ୍ ଗୁଡ଼ିକ ଅତ୍ୟାଧୁନିକ ପ୍ରୋ କ୍ୟାମେରା, ଶକ୍ତିଶାଳୀ ଚିପସେଟ୍, ଏବଂ ଅତ୍ୟାଧୁନିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଫିଚର୍ ସହିତ ଆସୁଛି। ୨୦୦୮ ମସିହାର ୩୧ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଦେଢ଼ ଲକ୍ଷରୁ ଅଧିକ ଟଙ୍କାର ପ୍ରିମିୟମ୍ ସ୍ମାର୍ଟଫୋନ୍ରେ ପହଞ୍ଚିଛି । ବିଶେଷକରି ଆଜି ଲଞ୍ଚ୍ ହେବାକୁ ଥିବା କମ୍ପାନୀର ପ୍ରଥମ ଫୋଲ୍ଡେବଲ୍ ଫୋନ୍ର ଦାମ୍ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

