Latest Odisha News

BREAKING NEWS

ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଅକ୍ଟୋବର ୧ ମଧ୍ୟରେ ବିଦ୍ୟାଭାରତୀଙ୍କୁ ତଳ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟର ବହୁଚର୍ଚ୍ଚିତ ତଥା ସମ୍ବେଦନଶୀଳ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ମୃତ୍ୟୁ ମାମଲାରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ମୃତ ଅଧିକାରୀଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଗାମୀ ଅକ୍ଟୋବର ୧ ତାରିଖ ମଧ୍ୟରେ ବିଦ୍ୟାଭାରତୀଙ୍କୁ ତଳ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ।

ମାମଲାର ବିବରଣୀରୁ ଜଣାପଡ଼ିଛି ଯେ, ପାରଳାଖେମୁଣ୍ଡିର କାର୍ଯ୍ୟରତ ସହକାରୀ ବନସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିଥିଲା । ପରବର୍ତ୍ତୀ ସମୟରେ ମାମଲାଟି ବିଚାର ଅଦାଲତରେ ବିଚାରାଧୀନ ରହିଛି । ମାମଲାର ଗମ୍ଭୀରତା ଏବଂ ମାଜିଷ୍ଟ୍ରେଟ୍ କୋର୍ଟର ଆଦେଶକୁ ଦୃଷ୍ଟିରେ ରଖି ବିଦ୍ୟାଭାରତୀ କୋର୍ଟରେ ବ୍ୟକ୍ତିଗତ ହାଜରରୁ ବର୍ଦ୍ଧିତ କୋହଳ ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ହାଇକୋର୍ଟ ତାଙ୍କର ଏହି ଆବେଦନକୁ ଗ୍ରହଣ କରିନଥିଲେ ।

ଆବେଦନର ଶୁଣାଣି କରି ମାନ୍ୟବର ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏଭଳି ଏକ ସମ୍ବେଦନଶୀଳ ଏବଂ ଗୁରୁତର ଅପରାଧିକ ମାମଲାରେ ବ୍ୟକ୍ତିଗତ ହାଜରରୁ ସମ୍ପୂର୍ଣ୍ଣ କୋହଳ ପ୍ରଦାନ କରାଯାଇପାରିବ ନାହିଁ । ମାମଲାର ସଠିକ୍ ବିଚାର ଏବଂ ନ୍ୟାୟ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ଅଭିଯୁକ୍ତଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅଦାଲତରେ ହାଜର ହେବାକୁ ପଡ଼ିବ ।

ଆଇନଜୀବୀଙ୍କ ମତ ଅନୁଯାୟୀ, ହାଇକୋର୍ଟଙ୍କ ଏହି କଡ଼ା ନିର୍ଦ୍ଦେଶ ପରେ ଏବେ ବିଦ୍ୟାଭାରତୀଙ୍କୁ ଆଇନଗତ ପ୍ରକ୍ରିୟାର ସାମ୍ନା କରିବାକୁ ପଡ଼ିବ ଏବଂ ଆସନ୍ତା ଅକ୍ଟୋବର ୧ ତାରିଖ ସୁଦ୍ଧା ସେ ସମ୍ପୃକ୍ତ ବିଚାର ଅଦାଲତରେ ବାଧ୍ୟତାମୂଳକ ଭାବେ ହାଜର ହେବେ। ଏହି ମାମଲାର ପରବର୍ତ୍ତୀ ଆଇନଗତ ପଦକ୍ଷେପ ଏବଂ ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.