Latest Odisha News

BREAKING NEWS

ଭୁବନେଶ୍ୱରରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ: କାର୍‌ରୁ ୫୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେଆଇନ ମଦ କାରବାର ବିରୋଧରେ ଅବକାରୀ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବୁଧବାର ଦିନ ସହରର ସମାପୁର ଛକ ଅଞ୍ଚଳରେ ଏକ ହୁଣ୍ଡାଇ ଅରା କାର୍‌ ଉପରେ ଚଢ଼ଉ କରାଯାଇ ୫୨୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହି ମାମଲାରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଅବକାରୀ ଅଧିକାରୀମାନେ ଗିରଫ କରିବାରେ ସଫଳ ହୋଇଛନ୍ତି ।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପରିଚୟ ଗୌରୀ ଶଙ୍କର ମହନ୍ତ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ହେବ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଲୁଚାଛପାରେ ବେଆଇନ ଦେଶୀ ମଦ ଚାଲାଣ କରାଯାଉଥିବା ନେଇ ଅବକାରୀ ବିଭାଗ ପାଖରେ କୌଣସି ଏକ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା। ଏହି ସୂଚନାକୁ ଆଧାର କରି ଏକ ସ୍ୱତନ୍ତ୍ର ଟିମ୍ ସମାପୁର ଛକ ନିକଟରେ ଜଗି ରହିଥିଲେ ।

ସେହି ସମୟରେ ସନ୍ଦେହଜନକ ଭାବେ ଯାଉଥିବା ଏକ ହୁଣ୍ଡାଇ ଅରା କାରକୁ ଅବକାରୀ ଟିମ୍ ଅଟକାଇ ତଲାସୀ ନେଇଥିଲେ । ଗାଡ଼ି ଭିତର ଯାଞ୍ଚ କରିବା ପରେ ସେଥିରୁ ପ୍ରାୟ ୫୨୦ ଲିଟର ଦେଶୀ ମଦ ବସ୍ତା ଏବଂ ଜାର୍‌ରେ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଅଧିକାରୀମାନେ ତତକ୍ଷଣାତ୍ ସମସ୍ତ ମଦ ସହିତ ମଦ ଚାଲାଣ ପାଇଁ ବ୍ୟବହୃତ ହେଉଥିବା କାର୍‌କୁ ମଧ୍ୟ ଜବତ କରିଥିଲେ ।

ବର୍ତ୍ତମାନର ସ୍ଥିତିରେ ରାଜଧାନୀରେ ବେଆଇନ ମଦ କାରବାର ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ସତର୍କତା ବୃଦ୍ଧି କରାଯାଇଛି। ପୂର୍ବରୁ ମଧ୍ୟ କିଛି ଦାମୀ ଏସ୍‌ୟୁଭି ଏବଂ ଅନ୍ୟାନ୍ୟ ଯାନବାହନ ଜରିଆରେ ମଦ ଚାଲାଣ ହେଉଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ଗିରଫ ଅଭିଯୁକ୍ତ ଗୌରୀ ଶଙ୍କରଙ୍କୁ ପଚରାଉଚରା କରାଯାଉଥିବା ବେଳେ ଏହି ରାକେଟ୍‌ରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.