Latest Odisha News

BREAKING NEWS

ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଉପରେ କୁଠାରଘାତ: ଏମଏମଡିଆର୍ ଆଇନ ବିରୋଧରେ ରାଜଭବନରେ ଫେରାଦ ହେଲା ବିଜେଡି

ଏମଏମଡିଆର୍ ସଂଶୋଧନ ଆଇନ, ୨୦୨୬କୁ ନେଇ ରାଜନୈତିକ ତାତି ବୃଦ୍ଧି ପାଇଛି । ରାଜ୍ୟର ଆର୍ଥିକ ଅଧିକାର ଏବଂ ସାମଗ୍ରିକ ସ୍ୱାର୍ଥର ସୁରକ୍ଷା ଦାବିରେ ବିଜୁ ଜନତା ଦଳ (ବିଜେଡି)ର ଏକ ବରିଷ୍ଠ ପ୍ରତିନିଧି ଦଳ ବୁଧବାର ଦିନ ରାଜ୍ୟପାଳ ଡ. ହରିବାବୁ କମ୍ଭମପତିଙ୍କୁ ଭେଟିଛନ୍ତି । ଏହି ସମୟରେ ଦଳ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି, ଯେଉଁଥିରେ ଏହି ବିବାଦୀୟ ଆଇନରେ ହସ୍ତକ୍ଷେପ କରିବା ପାଇଁ ସ୍ୱତନ୍ତ୍ର ଅନୁରୋଧ କରାଯାଇଛି ।

ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଏହି ସଂଶୋଧନ ଆଇନ ଓଡ଼ିଶା ଭଳି ଖଣିଜ ସମ୍ପଦ ଭରା ରାଜ୍ୟଗୁଡ଼ିକର ଆର୍ଥିକ ସ୍ୱାଧୀନତା ଏବଂ ସାମ୍ବିଧାନିକ ଅଧିକାରକୁ ସଂକୁଚିତ କରୁଛି । ଇତିପୂର୍ବରୁ ସୁପ୍ରିମକୋର୍ଟଙ୍କ ଏକ ନଅ ଜଣିଆ ସମ୍ବିଧାନ ବେଞ୍ଚ ରାଜ୍ୟଗୁଡ଼ିକୁ ଖଣି ଓ ଖଣିଜ ସମ୍ପତ୍ତି ଉପରେ କର ଏବଂ ଶୁଳ୍କ ଆଦି ଆଦାୟ କରିବାର ଅଧିକାର ପ୍ରଦାନ କରିଥିଲେ । ମାତ୍ର ବର୍ତ୍ତମାନର ଏହି ନୂତନ ସଂଶୋଧନ ମାଧ୍ୟମରେ କେନ୍ଦ୍ର ସରକାର ନିଜର କ୍ଷମତା ବିସ୍ତାର କରି ରାଜ୍ୟର ସେହି ଅଧିକାର ଛିନିବାକୁ ପ୍ରୟାସ କରୁଛନ୍ତି ବୋଲି ଦଳ ଦୃଢ଼ୋକ୍ତି ପ୍ରକାଶ କରିଛି ।

ଦଳ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ଦୀର୍ଘ ଦିନ ହେଲା ପ୍ରାକୃତିକ ସମ୍ପଦ ଏବଂ ଖଣିଜ ଦ୍ରବ୍ୟରୁ ଆସୁଥିବା ରାଜସ୍ୱ ଉପରେ ନିର୍ଭର କରିଆସୁଛି । ଏହି ଆଇନ କାର୍ଯ୍ୟକାରୀ ହେଲେ ରାଜ୍ୟକୁ ବଡ଼ଧରଣର ଆର୍ଥିକ କ୍ଷତି, ବିଶେଷକରି ବକେୟା ଏବଂ ଭବିଷ୍ୟତର ରାଜସ୍ୱ ପ୍ରାପ୍ତିରେ ବାଧା ସୃଷ୍ଟି ହେବ । ଏହାଛଡ଼ା ଖଣି ଉତ୍ତୋଳନ କାରଣରୁ ରାଜ୍ୟର ଜନସାଧାରଣ ପରିବେଶ ପ୍ରଦୂଷଣ, ସାମାଜିକ ସମସ୍ୟା ଏବଂ ଭିତ୍ତିଭୂମି କ୍ଷୟକ୍ଷତିର ବୋଝ ବହନ କରୁଛନ୍ତି । ତେଣୁ ସମ୍ପଦରୁ ଉପୁଜୁଥିବା ନ୍ୟାୟସଙ୍ଗତ ଆର୍ଥିକ ଲାଭରୁ ରାଜ୍ୟକୁ ବଞ୍ଚିତ କରିବା ସଂଘୀୟ ବ୍ୟବସ୍ଥାର ମୂଳଦୁଆକୁ ଦୁର୍ବଳ କରିବ ବୋଲି ବିଜେଡି ନେତାମାନେ ମତ ଦେଇଛନ୍ତି ।

ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରତିନିଧି ଦଳ ରାଜଭବନରେ ପହଞ୍ଚି ରାଷ୍ଟ୍ରପତିଙ୍କ ନିକଟରେ ରାଜ୍ୟର ଯଥାର୍ଥ ଦାବି ଉପସ୍ଥାପନ କରିଛନ୍ତି । ରାଜ୍ୟର ହିତ ଏବଂ ସାମ୍ବିଧାନିକ ଅଧିକାରର ରକ୍ଷା ପାଇଁ ମାନ୍ୟବର ରାଷ୍ଟ୍ରପତି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ବୋଲି ବିଜେଡି ନେତାମାନେ ଗଣମାଧ୍ୟମ ଆଗରେ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.