Latest Odisha News

BREAKING NEWS

ଭୁବନେଶ୍ୱରବାସୀଙ୍କ ମୌଳିକ ସମସ୍ୟା ପ୍ରତି ଚରମ ଅବହେଳା ପ୍ରତିବାଦରେ ବି.ଏମ୍.ସି. ଘେରିଲା ଓଜେସି

ଭୁବନେଶ୍ୱର: ଭୁବନେଶ୍ୱର ବାସିନ୍ଦାଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଓଜେସି ପକ୍ଷରୁ ଏକ ୬ ଜଣିଆ ପ୍ରତିନିଧି ଦଳ ବି.ଏମ୍.ସି. କମିସନରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ । କମିସନର ଏହିସବୁ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଓଜେସି ପକ୍ଷରୁ ଆହୁରି ତୀବ୍ରତର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ସୂଚନାଥାଉକି, ଓଜେସିର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପକ୍ଷରୁ ଆୟୋଜିତ ଏହି ଘେରାଉ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ ପ୍ରଥମେ ସ୍ଥାନୀୟ ୟୁନିଟ୍-୯ ଛକ ନିକଟରେ ଏକତ୍ରିତ ହୋଇଥିଲେ । ସେଠାରୁ ବି.ଏମ୍.ସି. କାର୍ଯ୍ୟାଳୟ ଅଭିମୁଖେ ଏକ ଶୋଭାଯାତ୍ରା ବାହାରିଥିଲା ।

କର୍ମକର୍ତ୍ତାମାନେ ବି.ଏମ୍. ସି. ଅଫିସ୍ ସମ୍ମୁଖରେ ପହଞ୍ଚିବା ପରେ ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତି କହିଥିଲେ ଯେ, ଭୁବନେଶ୍ୱର ବାସିନ୍ଦାଙ୍କ ଅବସ୍ଥା ପୋକ ମାଛି ଠାରୁ ହୀନ ହୋଇଯାଇଛି । ସହରରେ ମୁକୁଳା ଡ୍ରେନ୍ ନିରୀହ ଲୋକଙ୍କ ଜୀବନ ନେଉଛି, ଅସରାଏ ବର୍ଷା ହେଲେ ଘର ଭିତରେ ଅଣ୍ଟାଏ ନର୍ଦ୍ଦମା ପାଣି ପଶିଯାଉଛି । ବି.ଏମ୍.ସି ପ୍ରଶାସନ ଡ୍ରେନ୍ ଗୁଡ଼ିକ ସଫେଇ ପାଇଁ ଆଦୌ ଚିନ୍ତିତ ନୁହଁନ୍ତି ।

ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ୟାପକ ଅନିୟମିତତା ହେତୁ ୨ରୁ ୩ ଦିନ ପର୍ଯ୍ୟନ୍ତ ଲାଇନରେ ଅପେକ୍ଷା କରି ମଧ୍ୟ ଅନେକ ଲୋକ ଚାଉଳ ପାଇପାରୁ ନାହାନ୍ତି । ୨୦୨୨ ମସିହାରୁ ପ୍ରତି ଘରକୁ ୨୪ ଘଣ୍ଟିଆ ପାଣି ଯୋଗାଇବା ପାଇଁ ମିଟର ବସେଇବା ଓ ଟିକସ ଆଦାୟ କରିବା ପରେ ମଧ୍ୟ ବସ୍ତି ବାସିନ୍ଦାମାନେ ପାଣି ପାଇଁ ଆଜି ବି ହନ୍ତସନ୍ତ ହେଉଛନ୍ତି ବୋଲି ସେ ବକ୍ତବ୍ୟ ରଖିଥିଲେ ।

ଆଜିର ଏହି ଘେରାଉ କାର୍ଯ୍ୟକ୍ରମରେ ଓଜେସି ଉପସଭାପତି ପ୍ରଦୀପ ପ୍ରଧାନ ଉପସ୍ଥିତ ରହି ୨୦୨୪ ମସିହା ପରଠାରୁ ‘ଜାଗା ମିଶନ’କୁ ବନ୍ଦ କରି ଦିଆଯାଇଛି ବୋଲି କହିଥିଲେ । ଫଳରେ ଉପଯୁକ୍ତ ହିତାଧିକାରୀମାନେ ବସ୍ତିରେ ନିଜ ଜମି ଅଧିକାର ପ୍ରମାଣପତ୍ର ପାଇପାରୁ ନାହାନ୍ତି । ଅନ୍ୟପକ୍ଷରେ ବିନା ନୋଟିସରେ ବସ୍ତି ଉଚ୍ଛେଦ ନାଁରେ ବସ୍ତି ବାସିନ୍ଦାମାନଙ୍କ ଘର ଭାଙ୍ଗି ସେମାନଙ୍କୁ ବେସାହାରା କରିଦିଆଯାଉଛି । ବସ୍ତି ଭାଙ୍ଗିବାର ଅନ୍ୟୁନ ତିନିମାସ ପୂର୍ବରୁ ବାସିନ୍ଦାମାନଙ୍କୁ ନୋଟିସ୍ ପ୍ରଦାନ ସହ ଉପଯୁକ୍ତ କ୍ଷତିପୂରଣ ଓ ଆଗୁଆ ଥଇଥାନ ବ୍ୟବସ୍ଥା କରିବା ନିମନ୍ତେ ସେ ଦାବି କରିଥିଲେ ।

ଓଜେସି ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥି ବି.ଏମ୍.ସି ଅଞ୍ଚଳରେ ରାସ୍ତା ସମସ୍ୟା, ୨୦୧୧ ମସିହାରୁ ଶିଳାନ୍ୟାସ ହୋଇଥିବା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର ଅଚଳାବସ୍ଥା, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସଂପର୍କରେ ପ୍ରଶ୍ନ କରିବା ସହ ଏହାର ତୁରନ୍ତ ସମାଧାନ ନିମନ୍ତେ ଦାବି କରିଥିଲେ ।

ଆଜିର ଏହି ଘେରାଉ କାର୍ଯ୍ୟକ୍ରମରେ ଓଜେସି ସାଧାରଣ ସମ୍ପାଦକ ସୋମନାଥ ରାଉତ, ପ୍ରସନ୍ନ ବିଶୋୟୀ, ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, କୃଷକ ଜନତା କଂଗ୍ରେସ ସଭାପତି ସଂଗ୍ରାମ କିଶୋର ମାଝୀ, ସମ୍ପାଦିକା ସୋନାଲି ମହାପାତ୍ର, ସୀତା ସାହୁ, ରାକେଶ ବେହେରା, ଆଦିତ୍ୟ ମିଶ୍ର, ସୁଧୀର ରାଉତ, ଟିନା ସାହୁ ପ୍ରମୁଖ ଉପସ୍ଥିତ ରହି ଉପରୋକ୍ତ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ନିମନ୍ତେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ସିଂ, ଦିପୁନା କାଣ୍ଡି, ସୁଶାନ୍ତ ଭୋଇ, ମାନସ ଦିଗାଲ, ପ୍ରଦୀପ ନାୟକ, ମିଲି ସାହୁ, ମମତା ଦେବୀ, ସନ୍ତୋଷୀ ଦେବୀ ଓ ସୁଶାନ୍ତ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.