ନୂଆଦିଲ୍ଲୀ: ଆଜିକାଲି ବଢ଼ୁଥିବା ବିଦ୍ୟୁତ୍ ବିଲ୍ରୁ ମୁକ୍ତି ପାଇବା ପାଇଁ ଲୋକମାନେ ନିଜ ଘର ଛାତରେ ସୋଲାର ପ୍ୟାନେଲ୍ ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି। ପରିବେଶ ଅନୁକୂଳ ସୌର ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ‘ପିଏମ୍ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନା’ ଭଳି ବଡ଼ ପଦକ୍ଷେପ ମଧ୍ୟ ହାତକୁ ନେଇଛନ୍ତି । ତେବେ ସୋଲାର ପ୍ୟାନେଲ୍ ଲଗାଇବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ବଡ଼ ପୁଞ୍ଜି ବିନିଯୋଗ କରିବାକୁ ପଡୁଥିବା ବେଳେ, ଅନେକଙ୍କ ମନରେ ଏହାର ରକ୍ଷଣାବେକ୍ଷଣ (ମେଣ୍ଟେନାନ୍ସ) ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠିଥାଏ । ଆସନ୍ତୁ ଜାଣିବା ସୋଲାର ପ୍ୟାନେଲ୍ ଲଗାଇବା ପରେ ବାର୍ଷିକ ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ।
ବିଶେଷଜ୍ଞଙ୍କ ମତରେ ସୋଲାର ପ୍ୟାନେଲର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅତି କମ । ଥରେ ଲଗାଇବା ପରେ ଏଥିରେ ପ୍ରତିଦିନ କିମ୍ବା ପ୍ରତି ମାସରେ ଖର୍ଚ୍ଚ କରିବାର ଆବଶ୍ୟକତା ନଥାଏ । ଏହାର ମୁଖ୍ୟ ରକ୍ଷଣାବେକ୍ଷଣ ହେଉଛି ସଫେଇ । ପ୍ୟାନେଲ୍ ଉପରେ ଧୂଳି, ମଳି କିମ୍ବା ପକ୍ଷୀଙ୍କ ମଳ ଜମିଗଲେ ଏହାର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଥାଏ । ତେଣୁ ସପ୍ତାହକୁ ଅତିକମରେ ଥରେ ବା ଦୁଇଥର ସାଧାରଣ ପାଣି ଏବଂ ଏକ ନରମ କପଡ଼ା ସାହାଯ୍ୟରେ ଏହାକୁ ସଫା କରିବାକୁ ପଡ଼ିଥାଏ । ଯଦି ଆପଣ ନିଜେ ଏହାକୁ ସଫା କରନ୍ତି, ତେବେ ଖର୍ଚ୍ଚ ଶୂନ ହୋଇଥାଏ। କିନ୍ତୁ ଯଦି କୌଣସି ପେସାଦାର ଏଜେନ୍ସି ଦ୍ୱାରା ସଫା କରାନ୍ତି, ତେବେ ବର୍ଷକୁ ୧୦୦୦ ରୁ ୨୦୦୦ ଟଙ୍କା ଖର୍ଚ୍ଚ ହୋଇପାରେ ।
ସୋଲାର୍ ସିଷ୍ଟମରେ ଥିବା ଇନଭର୍ଟରର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସାଧାରଣତଃ ଟାୟାର-୧ ସୋଲାର ପ୍ୟାନେଲ୍ ଉପରେ କମ୍ପାନୀଗୁଡ଼ିକ ୨୦ରୁ ୨୫ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ଦେଇଥାନ୍ତି, ତେଣୁ ସେଥିରେ କୌଣସି ତ୍ରୁଟି ହେଲେ ମାଗଣାରେ ମରାମତି ହୋଇଯାଏ। କିନ୍ତୁ ଇନଭର୍ଟରର ଆୟୁଷ ୧୦ ରୁ ୧୫ ବର୍ଷ ମଧ୍ୟରେ ସୀମିତ ଥାଏ। ତେଣୁ ୧୦ ବର୍ଷ ପରେ ଇନଭର୍ଟର ବଦଳାଇବା ପାଇଁ କ୍ଷମତା ଅନୁଯାୟୀ ୧୦,୦୦୦ ରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ। ଅନ୍ୟପକ୍ଷରେ, ଯଦି ଆପଣ ଅଫ୍-ଗ୍ରିଡ୍ (ବ୍ୟାଟେରୀ ଯୁକ୍ତ) ସିଷ୍ଟମ୍ ଲଗାଇଛନ୍ତି, ତେବେ ପ୍ରତି ୫-୭ ବର୍ଷରେ ଥରେ ବ୍ୟାଟେରୀ ବଦଳାଇବାକୁ ପଡ଼ିଥାଏ ।
ମୋଟାମୋଟି ଭାବେ ଦେଖିବାକୁ ଗଲେ, ସୋଲାର ପ୍ୟାନେଲ୍ ଏକ ଦୀର୍ଘମିଆଦୀ ଏବଂ ସୁରକ୍ଷିତ ବିନିଯୋଗ । ବାର୍ଷିକ ସଫେଇ ଏବଂ ସମୟ ସମୟରେ ତାର ଯାଞ୍ଚ କରିବା ବ୍ୟତୀତ ଏଥିରେ ବିଶେଷ କିଛି ବଡ଼ ଖର୍ଚ୍ଚ ନଥାଏ । ଥରେ ଲଗାଇଲେ ଏହା ୨୫ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇବାରେ ସକ୍ଷମ ହୋଇଥାଏ ।

