Latest Odisha News

BREAKING NEWS

ମଝି ଆକାଶରେ ଫେଲ୍ ମାରିଲା ଇଞ୍ଜିନ୍: ଜୟପୁର ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

ଜୟପୁର: ମଝି ଆକାଶରେ ଉଡ଼ୁଥିବା ବେଳେ ହଠାତ୍ ବିମାନର ଇଞ୍ଜିନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି । ଫଳରେ ଯାତ୍ରୀଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଓ ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି । ରବିବାର ସକାଳେ ଭୋପାଳରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ରାଜସ୍ଥାନର ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରିଛି । ବିମାନରେ ଥିବା ପ୍ରାୟ ୧୪୦ ଜଣ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳ ୮ଟା ୨୬ ମିନିଟରେ ଏୟାର ଇଣ୍ଡିଆର ବିମାନ ‘ଏଆଇ-୧୮୮୬’ ଭୋପାଳର ରାଜା ଭୋଜ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା । ତେବେ ଉଡ଼ାଣର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନରେ ହଠାତ୍ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହି ସମ୍ବେଦନଶୀଳ ସ୍ଥିତିକୁ ଅନୁଭବ କରିବା କ୍ଷଣି କକ୍‌ପିଟ୍‌ରେ ଥିବା ପାଇଲଟ୍ ତୁରନ୍ତ ନିକଟସ୍ଥ ଜୟପୁର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଯୋଗାଯୋଗ କରିଥିଲେ ଏବଂ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ ।

ଏଟିସି ଠାରୁ ସବୁଜ ସଙ୍କେତ ମିଳିବା ପରେ ସକାଳ ୯ଟା ୧୦ ମିନିଟରୁ ଜୟପୁର ବିମାନବନ୍ଦରରେ ଇମରଜେନ୍ସି ଘୋଷଣା କରାଯାଇଥିଲା। ବିମାନର ଅବତରଣ ସମୟରେ ଯେପରି କୌଣସି ଅଘଟଣ ନଘଟେ, ସେଥିପାଇଁ ରନ୍-ୱେ ନିକଟରେ ଅଗ୍ନିଶମ ବାହିନୀର ଗାଡ଼ି, ଆମ୍ବୁଲାନ୍ସ ଏବଂ ସୁରକ୍ଷା କର୍ମୀଙ୍କୁ ହାଇ ଆଲର୍ଟରେ ଷ୍ଟାଣ୍ଡବାଏ ରଖାଯାଇଥିଲା। ଶେଷରେ ସକାଳ ପ୍ରାୟ ୯ଟା ୪୦ ମିନିଟରେ ବିମାନଟି ସଫଳତାର ସହ ଜୟପୁର ରନ୍-ୱେରେ ସୁରକ୍ଷିତ ଅବତରଣ କରିଥିଲା ।

ବିମାନ ଅବତରଣ କରିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତଥା ଯାତ୍ରୀମାନେ ଆଶ୍ୱସ୍ତିର ନିଶ୍ୱାସ ମାରିଥିଲେ। ସମସ୍ତ ୧୪୦ ଜଣ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଇ ଅରାଇଭାଲ୍ ହଲ୍‌କୁ ନିଆଯାଇଥିଲା। ସେଠାରେ ଏୟାର ଇଣ୍ଡିଆ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଇଛି ଏବଂ ସେମାନଙ୍କୁ ଦିଲ୍ଲୀ ପଠାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି ।

ବର୍ତ୍ତମାନ ବୈଷୟିକ ଟିମ୍ ଦ୍ୱାରା ଉକ୍ତ ବିମାନର ତନ୍ନ ତନ୍ନ ଯାଞ୍ଚ କରାଯାଉଛି। ତେବେ ଇଞ୍ଜିନରେ ପ୍ରକୃତରେ କି ତ୍ରୁଟି ଥିଲା, ସେ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ବିଧିବଦ୍ଧ ସ୍ପଷ୍ଟୀକରଣ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

 

Leave A Reply

Your email address will not be published.