ନୂଆଦିଲ୍ଲୀ: ନ୍ୟୁଜ ମାଗାଜିନ୍ ତେହେଲକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ ସୋମବାର ଗୋଆ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ତାଙ୍କୁ ୨୦୧୩ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆତ୍ମସମର୍ପଣ ପ୍ରକ୍ରିୟା ସମାପ୍ତ ହେବା ପରେ, ତାଙ୍କୁ ଉତ୍ତର ଗୋଆର କୋଲଭାଲେ କେନ୍ଦ୍ରୀୟ କାରାଗାରକୁ ପଠାଯାଇଛି।ଲ
ଅଗଷ୍ଟ ୨୫ ତାରିଖରେ ତେଜପାଲଙ୍କ ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ତାଙ୍କ ଆବେଦନ ଉପରେ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରିବାକୁ ମନା କରିଦେଇ କହିଥିଲେ ଯେ ଯଦି ସେ ପ୍ରଥମେ ଆତ୍ମସମର୍ପଣ କରି ପ୍ରମାଣପତ୍ର ଦାଖଲ କରନ୍ତି ତେବେ ହିଁ ଦଣ୍ଡ ବିରୁଦ୍ଧରେ ତାଙ୍କର ଆବେଦନ ଆଗକୁ ବଢ଼ିବ। ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୨ ରେ ଶୁଣାଣି ପାଇଁ ତାଙ୍କ ଆବେଦନକୁ ତାଲିକାଭୁକ୍ତ କରିଛନ୍ତି।
ମାପୁସାର ଅତିରିକ୍ତ ସେସନ୍ସ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତେଜପାଲଙ୍କୁ ଜେଲ ପଠାଯାଇଥିଲା। କୋର୍ଟ ପରିସରରୁ ବାହାରିବା ସମୟରେ ସେ କହିଥିଲେ ଯେ ସେ ସୁପ୍ରିମକୋର୍ଟରେ ହାଇକୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ତାଙ୍କର ଲଢ଼େଇ ଜାରି ରଖିବେ। ସୁପ୍ରିମକୋର୍ଟ ତାଙ୍କୁ ନ୍ୟାୟ ଦେବେ ବୋଲି ସେ ଆଶା କରିଛନ୍ତି।
ଅପରପକ୍ଷରେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ତେଜପାଲ ଙ୍କ ଦୋଷୀ ସାବ୍ୟସ୍ତ ଏବଂ ୧୦ ବର୍ଷ ଦଣ୍ଡକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ସହିତ ଆଗକୁ ବଢ଼ିବ। ଏହି ସମୟରେ ଗୋଆ ସରକାର ମଧ୍ୟ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି, ହାଇକୋର୍ଟ ଦ୍ୱାରା ଦିଆଯାଇଥିବା ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶକୁ ବୃଦ୍ଧି କରିବା ପାଇଁ। ତଥାପି, ରାଜ୍ୟ ସରକାର ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିନାହାଁନ୍ତି।
ଏହି ମାମଲା କ’ଣ?
ମାମଲାଟି ନଭେମ୍ବର ୨୦୧୩ର। ସେହି ସମୟରେ, ଜଣେ ପୂର୍ବତନ ମହିଳା କର୍ମଚାରୀ ତରୁଣ ତେଜପାଲଙ୍କ ବିରୋଧରେ ଗୋଆର ବାମ୍ବୋଲିମରେ ଏକ ପଞ୍ଚତାରକା ହୋଟେଲ-ରିସର୍ଟର ଲିଫ୍ଟରେ ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ଘଟଣାଟି ତେହେଲକାର ବାର୍ଷିକ ଥିଙ୍କଫେଷ୍ଟ ଇଭେଣ୍ଟ ସମୟରେ ଘଟିଥିଲା।
ଅଭିଯୋଗ ପରେ ତେଜପାଲଙ୍କୁ ନଭେମ୍ବର ୩୦, ୨୦୧୩ରେ ଗିରଫ କରାଯାଇଥିଲା। ପରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହି ମାମଲାର ବିଚାର ୨୦୧୭ରେ ଗୋଆ ସେସନ୍ସ କୋର୍ଟରେ ଆରମ୍ଭ ହୋଇଥିଲା।

