Latest Odisha News

BREAKING NEWS

ଏସୀୟ ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନ ଦଳ ଆସିବ ଭାରତ

ମୋହାଲି: କ୍ରିକେଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ବନ୍ଦ ରହିଥିଲେ ବି ହକିରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପୁଣିଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ପଞ୍ଜାବରେ ଆୟୋଜିତ ହେବାକୁ ଥିବା ପୁରୁଷ ଏସୀୟ ଚାମ୍ପିୟନ୍ସ ଟ୍ରଫି ୨୦୨୬ର ହକି ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ପାକିସ୍ତାନ ହକି ଦଳ ଭାରତ ଗସ୍ତ କରିବ ।  ଅକ୍ଟୋବର ୨୭ ରୁ ନଭେମ୍ବର ୫ ପର‌୍ୟ୍ୟନ୍ତ ଏହି ଟୁର୍ନାମେଣ୍ଟ ପଞ୍ଜାବର ଜଳନ୍ଧର ଏବଂ ମୋହାଲିରେ ଅନୁଷ୍ଠିତ ହେବ । ଜଳନ୍ଧରର ସୁରଜିତ ହକି ଷ୍ଟାଡିୟମରେ ଅକ୍ଟୋବର ୨୭ ରୁ ନଭେମ୍ବର ୨ ପର‌୍ୟ୍ୟନ୍ତ ଲିଗ୍ ମ୍ୟାଚଗୁଡ଼ିକ ଖେଳାଯିବ । ପଞ୍ଜାବ ଦିବସ ଅବସରରେ ନଭେମ୍ବର ୧ ତାରିଖ ସନ୍ଧ୍ୟା ୭ଟାରେ ଜଳନ୍ଧରଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବ । ମୋହାଲିର ଅଲମ୍ପିଆନ୍ ବଲବୀର ସିଂହ ସିନିୟର ଷ୍ଟାଡିୟମରେ ନଭେମ୍ବର ୪ ରେ ସେମିଫାଇନାଲ ଏବଂ ନଭେମ୍ବର ୫ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

ଏହି ବହୁରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତ ଓ ପାକିସ୍ତାନ ବ୍ୟତୀତ ଚୀନ୍, ଜାପାନ, ମାଲେସିଆ ଏବଂ ଦକ୍ଷିଣ କୋରିଆ ଭଳି ମୋଟ ୬ଟି ଦଳ ଭାଗ ନେଉଛନ୍ତି ।  ଯଦି କୌଣସି ଦଳ ଓହରିଯାଏ, ତେବେ ରିଜର୍ଭ ଦଳ ଭାବେ ବାଂଲାଦେଶ ଓ ଓମାନକୁ ରଖାଯାଇଛି । ପାକିସ୍ତାନ ଦଳର ଭାରତ ଆଗମନ ନେଇ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ କହିଛନ୍ତି ଯେ, କେନ୍ଦ୍ର ସରକାର ଓ କ୍ରୀଡ଼ା ମନ୍ତ୍ରଣାଳୟର ସ୍ପଷ୍ଟ ନୀତି ରହିଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯିବ ନାହିଁ । କିନ୍ତୁ ଅଲମ୍ପିକ ଚାର୍ଟର ଆଧାରରେ ବହୁରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାରେ କୌଣସି ପ୍ରତିବନ୍ଧକ ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଲା ନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ । ସେ ଦୁଇ ଦେଶର ହକି ଆସୋସିଏସନ ମଧ୍ୟରେ ଉତ୍ତମ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଥିବା ପ୍ରକାଶ କରିଛନ୍ତି । ଖେଳପ୍ରେମୀଙ୍କୁ ଷ୍ଟାଡିୟମ ପ୍ରତି ଆକୃଷ୍ଟ କରିବା ପାଇଁ ପଞ୍ଜାବ ସରକାର ଏହି ସମସ୍ତ ମ୍ୟାଚ୍ ପାଇଁ ଦର୍ଶକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ଘୋଷଣା କରିଛନ୍ତି ।

Leave A Reply

Your email address will not be published.