Latest Odisha News

BREAKING NEWS

ଏସୀୟ କ୍ରୀଡ଼ା,ଏଫ୍ଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶାର ୩ ଜିମ୍ନାଷ୍ଟ

ଭୁବନେଶ୍ୱର : ବିଶ୍ୱ ଜିମ୍ନାଷ୍ଟିକ୍ସ କ୍ଷେତ୍ରରେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରି ଭୁବନେଶ୍ୱରସ୍ଥିତ ଓଡ଼ିଶା ଏଏମ୍ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟରର ତିନି ଜଣ ତାରକା ଆଥଲେଟ୍ଆ ନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଅଲମ୍ପିଆନ୍ ପ୍ରଣତି ନାୟକ ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୪ ପର‌୍ୟ୍ୟନ୍ତ ଜାପାନର ଆଇଚି-ନାଗୋୟାଠାରେ ଅନୁଷ୍ଠିତ ହେବାକୁ ଥିବା ୨୦ତମ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବେ । ଟୁର୍ନାମେଣ୍ଟ ପାଇଁ ମନୋନୀତ ହୋଇଥିବା ସେ ଭାରତର ଏକମାତ୍ର ଜିମ୍ନାଷ୍ଟ ଏବଂ ସେ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସର ‘ମହିଳା ଭଲ୍ଟ’ ଓ ‘ମହିଳା ଅଲ୍-ରାଉଣ୍ଡ’ ଇଭେଣ୍ଟରେ ଭାଗ ନେବେ ।  ତପନ ମହାନ୍ତି ଏବଂ ସତ୍ୟଜିତ ମଣ୍ଡଳ ସେପ୍ଟେମ୍ବର ୧୮ ରୁ ୨୦ ପର‌୍ୟ୍ୟନ୍ତ ହଙ୍ଗେରୀର ଜୋମ୍ବାଥେଲିଠାରେ ଅନୁଷ୍ଠିତ ହେବାକୁ ଥିବା ଏଫଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପ୍ ୨୦୨୬ରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।  ତପନ ଫ୍ଲୋର୍ ଏବଂ ପାରାଲାଲ୍ ବାର୍ସରେ ଅଂଶଗ୍ରହଣ କରୁଥିବା ବେଳେ ସତ୍ୟଜିତ ଭଲ୍ଟରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ।

ଏଏମ୍ଏନ୍ଏସ୍ ଇଣ୍ଡିଆର ମାନବ ସମ୍ବଳ ଏବଂ ପ୍ରଶାସନ ନିର୍ଦ୍ଦେଶକ ତଥା ଉପାଧ୍ୟକ୍ଷ ଆଶୁତୋଷ ତେଲାଙ୍ଗ ଏହି ଅବସରରେ କହିଛନ୍ତି, ଏସିଆନ୍ ଗେମ୍ସ ପାଇଁ ଭାରତର ଏକମାତ୍ର ଜିମ୍ନାଷ୍ଟ ଭାବରେ ପ୍ରଣତିଙ୍କ ଚୟନ ଏବଂ ଏଫଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପ୍ ପାଇଁ ତପନ ଓ ସତ୍ୟଜିତଙ୍କ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ଏହା ସେମାନଙ୍କର ସ୍ଥିରତା, ଶୃଙ୍ଖଳା ଏବଂ ଦୃଢ଼ତାକୁ ପ୍ରତିଫଳିତ କରେ । ଓଡ଼ିଶା ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟରରେ ଖେଳାଳିମାନଙ୍କୁ ସର୍ବୋଚ୍ଚ ସ୍ତରରେ ପ୍ରତିଯୋଗିତା କରିବା ପାଇଁ ଆବଶ୍ୟକ ତାଲିମ ଏବଂ ସମର୍ଥନ ପ୍ରଦାନ କରାଯାଉଛି ।  ଟୋକିଓ ୨୦୨୦ ଅଲିମ୍ପିକ୍‌ରେ ଭାରତର ପ୍ରତିନିଧିତ୍ୱ କରିଥିବା ପ୍ରଣତି ନାୟକ କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରିଆସୁଛନ୍ତି । ସେ ୨୦୨୬ ତାସକେଣ୍ଟ ଏଫଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପ୍‌ରେ ରୌପ୍ୟ, ୫୪ତମ ଅଲ୍-ଇଣ୍ଡିଆ ରେଲୱେ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି  । ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ  କରିବା ସହ ୨୦୨୫ ଏସୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପ୍ ଏବଂ ଏଫଆଇଜି ଆପାରାଟସ୍ ୱାର୍ଲ୍ଡ କପ୍‌ରେ କାଂସ୍ୟ ପଦକ ଏବଂ ୩୮ତମ ଜାତୀୟ ଗେମ୍ସରେ ସେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି ।

Leave A Reply

Your email address will not be published.