Latest Odisha News

BREAKING NEWS

ଫେରିଯିବ ମୌସୁମୀ: ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଅପସାରଣ ପାଇଁ ପାଗ ଅନୁକୂଳ ସମ୍ଭାବନା

ଭୁବନେଶ୍ୱର: ସମୟ ହୋଇଗଲା। ଏବେ ବିଦାୟ ନେବ ମୌସୁମୀ। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ଆଡ଼କୁ ଆରମ୍ଭ ହେବା ପାଇଁ ପାଗ ଅନୁକୂଳ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ଉତ୍ତର-ପଶ୍ଚିମ ଭାରତ (ବିଶେଷ କରି ପଶ୍ଚିମ ରାଜସ୍ଥାନ) ରୁ ଫେରିବା ଆରମ୍ଭ କରିବ।

ଆସନ୍ତା ୧୯ରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ପ୍ରକ୍ରିୟା ଆରମ୍ଭ ହେବ। ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଅପସାରଣ ପାଇଁ ପାଗ ଅନୁକୂଳ ଥିବା କହିଛି ଭାରତୀୟ ପାଣିପାଗ ବିଭାଗ। ଉତ୍ତର-ପଶ୍ଚିମ ଭାରତରୁ ଲେଉଟାଣି ପ୍ରକ୍ରିୟା ଆରମ୍ଭ ହେବାକୁ ଥିଲେ ମଧ୍ୟ, ବଙ୍ଗୋପସାଗରରେ ସକ୍ରିୟ ପାଣିପାଗ ନିୟାମକ ଯୋଗୁଁ ଓଡ଼ିଶା ସମେତ ପୂର୍ବ ଭାରତରେ ଏବେ ବି ବର୍ଷା ଜାରି ରହିଛି।

ଓଡ଼ିଶାରୁ କେବେ ଫେରିବ ମୌସୁମୀ?
ସାଧାରଣତଃ ଓଡ଼ିଶାରୁ ମୌସୁମୀ ବାୟୁ ଅକ୍ଟୋବର ୧୦ ରୁ ୧୫ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥାଏ। ସେପ୍ଟେମ୍ବର ଶେଷ ସପ୍ତାହ ଆଡ଼କୁ ରାଜ୍ୟରୁ ମୌସୁମୀ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ। ଓଡିଶାରୁ କେବେ ମୌସୁମୀ ଫେରିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳି ନାହିଁ। ତେବେ ମୌସୁମୀ ପରବର୍ତ୍ତୀ ସମୟ ବାତ୍ୟା ଋତୁକୁ ସକ୍ରିୟ କରାଇବାରେ ଯଥେଷ୍ଟ ସାହାଯ୍ୟ କରିଥାଏ। ମୌସୁମୀ ଅପସାରଣ ପରେ ବାତ୍ୟା ସମ୍ଭାବନା ଆହୁରି ଅଧିକ ବଢିଯାଏ। ବାୟୁର ତଳ ଓ ଉପର ଭାଗର ବାୟୁ ପ୍ରବାହ ସମାନ ବେଗରେ ଗୋଟିଏ ଦିଗରେ ହେବା ସହ ତାରତମ୍ୟ କମିଯାଏ। ଯାହା ଫଳରେ ଗୋଟିଏ ଛୋଟିଆ ଲଘୁଚାପ ହେଲେ ବି ବଳ ଗୋଟେଇ ଶକ୍ତିଶାଳୀ ସାଜେ। ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ହୁଏ କାରଣ ଆକାଶରେ ବାଦଲର ଆଚ୍ଛାଦନ କମଥାଏ। ରାଜ୍ୟରେ ମଝିରେ ମଝିରେ ବର୍ଷା ହୁଏ। ମୌସୁମୀ ସମ୍ପୂର୍ଣ୍ଣ ଫେରିଯିବା ପରେ ରାଜ୍ୟରେ ଶୀତର ଆଗମନ ପାଇଁ ବାତାବରଣ ପ୍ରସ୍ତୁତ ହୁଏ ଏବଂ ଅକ୍ଟୋବର-ନଭେମ୍ବର ମାସରେ ବାତ୍ୟା ଋତୁ (Cyclone Season) ସକ୍ରିୟ ହୋଇଥାଏ।

Leave A Reply

Your email address will not be published.