Latest Odisha News

ବହୁ ଚର୍ଚ୍ଚିତ ମହିଳା ବାଇକର ହିଟ୍ ଆଣ୍ଡ ରନ୍ ମାମଲା: ରାଜସ୍ଥାନରୁ ଅଭିଯୁକ୍ତ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ: ଗୁରୁଗ୍ରାମର ଚର୍ଚ୍ଚିତ ମହିଳା ବାଇକର ହିଟ୍ ଆଣ୍ଡ ରନ୍ ମାମଲାରେ ଅଭିଯୁକ୍ତ ଡ୍ରାଇଭର ଗିରଫ। ରାଜସ୍ଥାନର ରାଜଗଡରୁ କଲ୍ୟାଣ ବୈଂସଲା ଗିରଫ। ସିସିଟିଭି ଭିଡିଓ ଆଧାରରେ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହେଲା ଅଭିଯୁକ୍ତ କଲ୍ୟାଣ ବୈଂସଲା। ମହିଳା ବାଇକରଙ୍କୁ କାରରେ ଗୋଡ଼ାଇ ଗୋଡ଼ାଇ ଧକ୍କା ଦେଇଥିବା ଅଭିଯୁକ୍ତକୁ ରାଜସ୍ଥାନର ଦୌସାରୁ ଗିରଫ କରାଯାଇଛି । ଗତ ରବିବାର ସକାଳେ ଦୁର୍ଘଟଣା ଘଟାଇବା ପରଠାରୁ ଅଭିଯୁକ୍ତ କଲ୍ୟାଣ ଫେରାର ଥିଲା ।

ତାକୁ ଧରିବା ପାଇଁ ପୋଲିସ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚଲାଇଥିବା ବେଳେ ଶେଷରେ ତାଙ୍କୁ ରାଜସ୍ଥାନର ଦୌସାରୁ କାବୁ କରାଯାଇଛି। ବର୍ତ୍ତମାନ ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ସହ ଅନ୍ୟାନ୍ୟ କଠୋର ଦଫାରେ ମାମଲା ରୁଜୁ ହୋଇଛି । ଏହି ଘଟଣା ପରେ ଗୁରୁଗ୍ରାମ ପୋଲିସ ମୂଳ ଏଫ୍ଆଇଆରେ ହତ୍ୟା ଉଦ୍ୟମ ଦଫା ଯୋଡ଼ିଛି । ପୀଡ଼ିତା ସିଆ ଏବଂ ତାଙ୍କ ପରିବାର ଲୋକେ ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସ୍ପଷ୍ଟ ଭିଡିଓ ପ୍ରମାଣ ଥାଇ ମଧ୍ୟ ଅଭିଯୁକ୍ତ ଗିରଫ ହୋଇ ନଥିବାରୁ ସିଆଙ୍କ ବାପା ଓ ଭାଇ ପୋଲିସର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ଏ ନେଇ ବରିଷ୍ଠ ପୋଲିସ ଅଧିକାରୀ ସନ୍ଦୀପ ମଲିକ ସୂଚନା ଦେଇଛନ୍ତି ଯେ ସାମ୍ନାକୁ ଆସିଥିବା ଭାଇରାଲ ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କାର ଚାଳକ ଜଣକ ଜାଣିଶୁଣି ବାଇକକୁ ଧକ୍କା ଦେଇଥିଲେ ଏବଂ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଘଟଣାର ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା।

ଅନ୍ୟପଟେ FIR ପରେ ଅଭିଯୁକ୍ତ କଲ୍ୟାଣ ବୈଂସଲା ସୋମବାର ଦିନ ଦାବି କରିଥିଲା ଯେ ସେ ଜାଣି ନଥିଲା ଯେ ଜଣେ ମହିଳା ମୋଟର ସାଇକେଲ ଚଲାଉଛନ୍ତି। ବାଇକ୍ ଚାଳକ ତାଙ୍କ କାର ଆଗକୁ ବାରମ୍ବାର ଓଭରଟେକ କରୁଥିଲେ ଏବଂ ତା’ପରେ ପୁଣି ଗାଡି ବେଗ କମାଉଥିଲେ। “ମୁଁ ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଧକ୍କା ଦେଇ ନଥିଲି ବୋଲି କହି କଲ୍ୟାଣ ବୈଂସଲା ଆହତ ମହିଳା ଚାଳକଙ୍କୁ କ୍ଷମା ମାଗିଥିଲା।

Leave A Reply

Your email address will not be published.