ନୂଆଦିଲ୍ଲୀ: ଇସ୍ରାଏଲକୁ ୪୦ ହଜାର ଶକ୍ତିଶାଳୀ ବମ୍!
ଅଟକାଇଥିଲେ ବାଇଡେନ୍, ଟ୍ରମ୍ପ ଦେଲେ ଗ୍ରୀନ୍ ସିଗନାଲ୍!
ମଧ୍ୟପ୍ରାଚ୍ୟରେ ଆହୁରି ଭୟଙ୍କର ହୋଇପାରେ ଯୁଦ୍ଧ । ନିଆଁରେ ଘିଅ ଢାଳିବାକୁ ଯାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଇସ୍ରାଏଲକୁ ବଡ଼ ସାମରିକ ସହାୟତା ଦେବାକୁ ଯୋଜନା କରୁଛି ଆମେରିକା। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ଏହାରି ମଧ୍ୟରେ ଇସ୍ରାଏଲର ସାମରିକ କ୍ଷମତା ବଢ଼ାଇବାକୁ ଆମେରିକାର ଟ୍ରମ୍ପ ପ୍ରଶାସନ ବଡ଼ ଅସ୍ତ୍ର ଡିଲ୍ ପାଇଁ ପ୍ରସ୍ତୁତି କରୁଥିବା ଖବର ଆସିଛି। ପ୍ରସ୍ତାବିତ ୨.୮ ବିଲିୟନ ଡଲାର ପ୍ୟାକେଜରେ ରହିଛି ୪୦ ହଜାର ୨,୦୦୦ ପାଉଣ୍ଡ ଓଜନର ଶକ୍ତିଶାଳୀ ବମ୍। ବିଶେଷ କଥା ହେଉଛି, ଏହି ପ୍ରକାରର ବମ୍ର ଏକ ଶିପମେଣ୍ଟକୁ ୨୦୨୪ରେ ବାଇଡେନ ପ୍ରଶାସନ ଗାଜାରେ ବ୍ୟବହାରକୁ ନେଇ ଚିନ୍ତା ପ୍ରକାଶ କରି ଅଟକାଇଥିଲା।
ଆଉ ଏହି ପ୍ୟାକେଜରେ ରହିଛି ପ୍ରାୟ ୪୦ ହଜାର ଭାରୀ ବମ୍। ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ଆମେରିକୀୟ କଂଗ୍ରେସର ସମ୍ପୃକ୍ତ କମିଟିଗୁଡ଼ିକୁ ଅନୌପଚାରିକ ଭାବେ ଜଣାଇ ଦିଆଯାଇଛି। ଟ୍ରମ୍ପ ପ୍ରଶାସନର ପ୍ରସ୍ତାବିତ ଅସ୍ତ୍ର ପ୍ୟାକେଜର ମୂଲ୍ୟ ପ୍ରାୟ ୨.୮ ବିଲିୟନ ଡଲାର। ଏଥିରେ ରହିଛି ପ୍ରାୟ ୪୦ ହଜାର ୨,୦୦୦ ପାଉଣ୍ଡର ବମ୍। ତଥ୍ୟ ଅନୁସାରେ, ଏଥିରେ ୨୦ ହଜାର Mk-84 ଏବଂ ୨୦ ହଜାର BLU-117 ବମ୍ ରହିଛି।
ଡିଲ୍ ସମ୍ପର୍କରେ ଆମେରିକୀୟ କଂଗ୍ରେସକୁ ଅନୌପଚାରିକ ଭାବେ ଅବଗତ କରାଯାଇଛି। ଏହି ଅସ୍ତ୍ର କିଣିବାର ଅଧିକାଂଶ ଅର୍ଥ ଫରେନ୍ ମିଲିଟାରୀ ଫାଇନାସିଂ ଜରିଆରେ ଦିଆଯିବ। ଅର୍ଥାତ୍, ଆମେରିକାର ସରକାରୀ ଅର୍ଥ ଇସ୍ରାଏଲକୁ ଦିଆଯାଇ ଆମେରିକାରୁ ହିଁ ଅସ୍ତ୍ର କିଣାଯିବ। ୨୦୨୪ରେ ବାଇଡେନ ପ୍ରଶାସନ ଗାଜାରେ ବହୁ ସଂଖ୍ୟକ ସାଧାରଣ ଲୋକଙ୍କ ମୃତ୍ୟୁ ନେଇ ଚିନ୍ତା ପ୍ରକାଶ କରି ଏହି ବମ୍ର ଗୋଟିଏ ଶିପମେଣ୍ଟ ଅଟକାଇଥିଲା। ଗାଜା ଭଳି ଘନ ଜନବସତିପୂର୍ଣ୍ଣ ଅଞ୍ଚଳରେ ଏହାର ବ୍ୟବହାର ହେଲେ ସାଧାରଣ ଲୋକଙ୍କ ମଧ୍ୟରେ ବଡ଼ କ୍ଷୟକ୍ଷତି ହୋଇପାରେ ବୋଲି ଚିନ୍ତା ଥିଲା। ଟ୍ରମ୍ପ ପୁଣି ରାଷ୍ଟ୍ରପତି ହେବା ପରେ ସେହି ରୋକ ହଟାଇଥିଲେ। ୨,୦୦୦ ପାଉଣ୍ଡର ଏହି ବମ୍ର ବିଭିନ୍ନ ପ୍ରକାର ରହିଛି। କିଛି ବମ୍ ଭୂଗର୍ଭସ୍ଥ ଟାର୍ଗେଟକୁ ଭେଦ କରିବା ପାଇଁ ଡିଜାଇନ୍ ହୋଇଥିବାବେଳେ, ଅନ୍ୟ କିଛି ବିସ୍ଫୋରଣରେ ବଡ଼ ଅଞ୍ଚଳ ପ୍ରଭାବିତ ହୋଇପାରେ। ଗାଜାରେ ଯୁଦ୍ଧ ଏବଂ ମାନବୀୟ କ୍ଷୟକ୍ଷତିକୁ ନେଇ ଇସ୍ରାଏଲ ଉପରେ ଅନ୍ତର୍ଜାତୀୟ ଚାପ ବଢ଼ିଥିବା ସମୟରେ ଏହି ନୂଆ ଅସ୍ତ୍ର ଡିଲ୍ର ଖବର ସାମ୍ନାକୁ ଆସିଛି। ଯାହା ଇରାନ ଯୁଦ୍ଧକୁ ଆହୁରି ତେଜିପାରେ ।
ତେବେ ଏହି ଡିଲ୍ ଏବେ ବି ପ୍ରସ୍ତାବ ପର୍ଯ୍ୟାୟରେ। ଡିଲ୍ ଚୂଡ଼ାନ୍ତ ହେଲେ ଇସ୍ରାଏଲର ସାମରିକ ଅସ୍ତ୍ରଭଣ୍ଡାରକୁ ଆହୁରି ବଡ଼ ସାମରିକ ସହାୟତା ମିଳିବ।

