Latest Odisha News

BREAKING NEWS

Odisha Inflation: ଦେଶରେ କମ୍, ରାଜ୍ୟରେ ଅଧିକ; ପକେଟକୁ ଭାରୀ ବାଧୁଛି…ଓଡିଶା ରୋଷେଇ ଘରକୁ ମହଙ୍ଗା ଚଡକ…

ଭୁବନେଶ୍ୱର: ପର୍ବପର୍ବାଣୀ ପୂର୍ବରୁ ଓଡ଼ିଶାର ଘରୋଇ ବଜେଟ୍‌ ଉପରେ ବଢ଼ିଲା ଚାପ। ରୋଷେଇ ଘରର ଖର୍ଚ୍ଚ ବଢ଼ିବା ସହ ଅଗଷ୍ଟରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ବା ରିଟେଲ୍ ଇନ୍‌ଫ୍ଲେସନ୍‌ ୫.୫୨ ପ୍ରତିଶତରେ ପହଞ୍ଚିଛି। ଜୁଲାଇରେ ଏହା ୪.୮୩ ପ୍ରତିଶତ ଥିଲା। ଅର୍ଥାତ୍‌ ମାତ୍ର ଗୋଟିଏ ମାସରେ ମହଙ୍ଗାଇ ବଢ଼ିଛି ପ୍ରାୟ ୦.୬୯ ପ୍ରତିଶତ ପଏଣ୍ଟ। ଏହି ହାର ସହ ଓଡ଼ିଶା ଦେଶର ପଞ୍ଚମ ସର୍ବାଧିକ ମହଙ୍ଗା ରାଜ୍ୟ ଭାବେ ରହିଛି।

ମହଙ୍ଗାଇର ଏହି ଚିତ୍ର ଦେଶର ହାରଠାରୁ ମଧ୍ୟ ଅଧିକ। ଅଗଷ୍ଟରେ ଜାତୀୟ ଖୁଚୁରା ମୁଦ୍ରାସ୍ଫୀତି ୪.୨୮ ପ୍ରତିଶତ ଥିବାବେଳେ ଓଡ଼ିଶାର ହାର ୫.୫୨ ପ୍ରତିଶତ। ଅର୍ଥାତ୍‌ ଜାତୀୟ ହାରଠାରୁ ଓଡ଼ିଶା ପ୍ରାୟ ୧.୨୪ ପ୍ରତିଶତ ପଏଣ୍ଟ ଅଧିକ। ଯେଉଁଥିରେ ତେଲଙ୍ଗାନା ୬.୨୭% ସହିତ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ତାମିଲନାଡୁ ୫.୯୨% ଦ୍ବିତୀୟ, ମଧ୍ୟପ୍ରଦେଶ ୫.୫୫% ତୃତୀୟ ଏବଂ ଆନ୍ଧ୍ରପ୍ରଦେଶ ୫.୫୩%ରେ ଚତୁର୍ଥ ପରେ ରହିଛି ଓଡ଼ିଶା।

ତେବେ ସବୁଠାରୁ ବଡ଼ ଚିନ୍ତା ରୋଷେଇ ଘରର ଦର। ବିଶେଷକରି ପିଆଜର ଦାମ ବଢ଼ିବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଜୁଲାଇ ଆରମ୍ଭରେ ପିଆଜ କିଲୋ ୨୦ରୁ ୩୦ ଟଙ୍କା ମଧ୍ୟରେ ଥିବାବେଳେ ଟ୍ୱିନ୍‌ ସିଟିରେ ଏବେ ଖୁଚୁରା ଦର ପ୍ରାୟ ୬୦ରୁ ୭୦ ଟଙ୍କା ପହଞ୍ଚିଛି। ହୋଲସେଲ୍‌ ଦର ମଧ୍ୟ ଗୁଣବତ୍ତା ଅନୁସାରେ ୫୦ରୁ ୬୦ ଟଙ୍କା ରହିଛି।

ଚିନି ଦରରେ ମଧ୍ୟ ବୃଦ୍ଧି ଦେଖାଯାଇଛି। ତେବେ ନିକଟରେ କିଲୋପିଛା ୬୦-୬୪ ଟଙ୍କା ଥିବା ଚିନିର ଦର କିଛିଟା କମି ପ୍ରାୟ ୫୬ ଟଙ୍କା ହୋଇଛି। ଏହା ସହ ଅଣ୍ଡା ଓ କ୍ଷୀର ମଧ୍ୟ ଘରୋଇ ବଜେଟ୍‌ ଉପରେ ଚାପ ପକାଉଛି। ଆଉ ଏକ ବଡ଼ ଚିନ୍ତା ଗ୍ରାମାଞ୍ଚଳର ମହଙ୍ଗାଇ। ଅଗଷ୍ଟରେ ଓଡ଼ିଶାର ଗ୍ରାମୀଣ ମୁଦ୍ରାସ୍ଫୀତି ୫.୯୦% ଥିବାବେଳେ ସହରାଞ୍ଚଳରେ ଏହା ୪.୪୭% ରହିଛି। ଅର୍ଥାତ୍‌ ଗାଁର ପରିବାରଗୁଡ଼ିକ ଉପରେ ଦରବୃଦ୍ଧିର ଚାପ ଅଧିକ।

ବିଶେଷଜ୍ଞଙ୍କ ମତରେ, ବର୍ଷା, ବନ୍ୟା, ପରିବହନ ସମସ୍ୟା ଏବଂ ଅନ୍ୟ ରାଜ୍ୟ ଉପରେ ଯୋଗାଣ ପାଇଁ ନିର୍ଭରଶୀଳତା ଦର ବଢ଼ିବାର ମୁଖ୍ୟ କାରଣ ମଧ୍ୟରେ ରହିଛି। ଓଡ଼ିଶା ଅନେକ ପନିପରିବା, ମାଛ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ପାଇଁ ବାହାର ରାଜ୍ୟର ଯୋଗାଣ ଉପରେ ନିର୍ଭର କରୁଥିବାରୁ ଯୋଗାଣ ବାଧା ହେଲେ ତାହାର ପ୍ରଭାବ ସିଧାସଳଖ ବଜାର ଦରରେ ପଡ଼ୁଛି।

Leave A Reply

Your email address will not be published.