ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଶେଷ ହୋଇଥିବା BRICS ସମ୍ମିଳନୀ ପରେ ବିଭିନ୍ନ ବିଶ୍ୱ ନେତା ଅସୁସ୍ଥ ହୋଇପଡ଼ିଥିବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି। ଭାରତର ପାଣିପାଗ ଏବଂ ଖାଇବା ସେମାନଙ୍କ ଦେହକୁ ସୁହାଇନଥିବା ଚର୍ଚ୍ଚାର ଶିରୋନାମାରେ ରହିଛି । ବିଶେଷ କରି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ବାସ୍ଥ୍ୟକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଏମିତିକି ରୋଷେଇ ପ୍ରସ୍ତୁତ ହୋଇଥିବା ସ୍ଥାନ ମଧ୍ୟ ଭାଇରାଲ ହେଉଛି । ତେବେ ଏହି ଦାବିକୁ ସିଧାସଳଖ ଖଣ୍ଡନ କରିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA)।
MEAର ଫ୍ୟାକ୍ଟ-ଚେକ୍ ୟୁନିଟ୍ କହିଛି, ଏଭଳି ଖବର ‘ଫେକ୍’ ଏବଂ ‘ଭ୍ରାମାନ୍ତକର’। ସୋସିଆଲ ମିଡିଆରେ ଏଭଳି ଭୁଲ ଓ ଉଦ୍ଦେଶ୍ୟମୂଳକ ପୋଷ୍ଟରୁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି। ଏହି ଦାବି ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା। କିନ୍ତୁ MEA ଏଭଳି ଦାବିକୁ ଭୁଲ ବୋଲି କହିଛି।
୧୨ ଓ ୧୩ ସେପ୍ଟେମ୍ବର ୨୦୨୬ରେ ନୂଆଦିଲ୍ଲୀରେ ୧୮ତମ BRICS ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେପ୍ଟେମ୍ବର ୧୨ରେ ‘ନିଉ ଡେଲି ଡିକ୍ଲାରେସନ୍ ୨୦୨୬(New Delhi Declaration 2026)’ ଗ୍ରହଣ କରାଯାଇଥିଲା। ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ବ୍ୟବସ୍ଥା, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ଏବଂ ବିଶ୍ୱ ସ୍ତରରେ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସି ଜିନପିଙ୍ଗ, ଭ୍ଲାଦିମିର ପୁଟିନ୍, ଇରାନର ରାଷ୍ଟ୍ରପତି ମସୌଦ ପେଜେଶକିଆନ୍ ଏବଂ UAEର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ଜାୟେଦଙ୍କ ସମେତ ବିଭିନ୍ନ ଦେଶର ନେତା ଯୋଗ ଦେଇଥିଲେ।
ନିଉ ଡେଲି ଡିକ୍ଲାରେସନ୍ ରେ ବିଶ୍ୱରେ ବଢ଼ୁଥିବା ଏକପାଖିଆ ଶୁଳ୍କ ଓ ବ୍ୟବସାୟିକ ପ୍ରତିବନ୍ଧକକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି। ଏହା ବିଶ୍ୱ ବାଣିଜ୍ୟ ସଂଗଠନର ନିୟମ ସହ ମେଳ ଖାଉନଥିବା କଥା କୁହାଯାଇଛି। ଏହା ସହ ବିଶ୍ୱର ବିଭିନ୍ନ ସଂଘର୍ଷର ମୂଳ କାରଣ ଦୂର କରିବା, ଆଲୋଚନା ଓ କୂଟନୀତି ମାଧ୍ୟମରେ ବିବାଦର ସମାଧାନ କରିବା ଏବଂ ଅନ୍ତର୍ଜାତୀୟ ସମସ୍ୟାରେ ସମସ୍ତ ଦେଶର ମତକୁ ଗୁରୁତ୍ୱ ଦେବା ଉପରେ BRICS ଦେଶଗୁଡ଼ିକ ଜୋର ଦେଇଛନ୍ତି।
ତେବେ BRICS ପରେ ନେତାମାନେ ଅସୁସ୍ଥ ହୋଇଥିବା ନେଇ ଭାଇରାଲ ହେଉଥିବା ଖବରକୁ MEA ସ୍ପଷ୍ଟ ଭାବେ ଭୁଲ ବୋଲି କହିଛି।

