ନୂଆପଡା: ପୁଣିଥରେ ରେକର୍ଡ କରିଛନ୍ତି ସଚିନ । ଆପଣମାନେ ସଚିନ ନାଁ ଶୁଣି ସଚିନ ତେନ୍ଦୁଲକରଙ୍କ କଥା ଭାବୁଥିବେ । ହେଲେ ଆମେ ସେ ସଚିନଙ୍କ କଥା କହୁନାହୁଁ, ବରଂ ନୂଆପଡା ଜିଲ୍ଲାର ସଚିନ ବେହେରାଙ୍କ କଥା କହୁଛୁ । ସେ ଗୋଟିଏ ମିନିଟରେ ୧୦୩ ଥର ଫୁଲ କଣ୍ଟାକ୍ଟ ନି- ଷ୍ଟ୍ରାଇକ୍ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାଁ ଲିପିବଦ୍ଧ କରିଛନ୍ତି । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଲର୍କା ଗାଁରେ ଏହି ଯୁବକଙ୍କ ସଫଳତା ସମଗ୍ର ଜିଲ୍ଲାବାସୀଙ୍କୁ ବେସ ଆନନ୍ଦ ଦେଇଛି । ନି-ଷ୍ଟ୍ରାଇକର ଅଫ ଇଣ୍ଡିଆ ଭାବେ ପରିଚିତ ସଚିନ ନୂଆ ରୋକର୍ଡର ଅଧିକାରୀ ହୋଇଛନ୍ତି । ଗୋଟିଏ ଗୋଡରେ ସେ ୧ କେଜି ଓଜନର ଆଙ୍କଲ ୱେଟ ପିନ୍ଧି ମାତ୍ର ଗୋଟିଏ ମିନିଟରେ ୧୦୩ଥର ଫୁଲ କଣ୍ଟାକ୍ଟ ନି-ଷ୍ଟ୍ରାଇକ କରିଛନ୍ତି ।
ଗତ ସେପ୍ଟେମ୍ବର ୧୦ ତାରିଖରେ ଭୁବନେଶ୍ୱରର ଓଭରଅଲ ସ୍ପୋର୍ଟ୍ସ ଏକାଡେମୀରେ ଏହି ରେକର୍ଡ ପ୍ରୟାସ ହୋଇଥିଲା । ଏହାପରେ ଗତ ୧୫ ତାରିଖରେ ଇଣ୍ଡିଆ ବୁକ ଅଫ ରେକର୍ଡ କର୍ତ୍ତୁପକ୍ଷଙ୍କଠାରୁ ଇମେଲରେ ତାଙ୍କୁ ସ୍ୱୀକୃତି ପତ୍ର ମିଳିଛି । ଲର୍କା ଗାଁର ଲକ୍ଷ୍ମୀ ପ୍ରସାଦ ବେହେରା ଓ ଆରତୀ ବେହେରାଙ୍କ ପୁଅ ସଚିନ ବିଶ୍ୱସ୍ତରରେ ନିଜର ପ୍ରତିଭା ଦେଖାଇଥିବାରୁ ସମସ୍ତେ ବେସ ଖୁସି ଅଛନ୍ତି । ସଚିନ ହାଇଟେକ ମେଡିକାଲ କଲେଜରୁ ସ୍ନାତକ ହାସଲ କରିଥିବା ବେଳେ ୨୦୧୯ରେ ସଚିନ ଗୋଟିଏ ମିନିଟରେ ୧୩୭ ନି-ଷ୍ଟ୍ରାଇକ କରି ଗିନିଜ ୱାର୍ଲଡ ରେକର୍ଡ କରିଥିଲେ ।
ସଚିନଙ୍କ ବିରଳ ରେକର୍ଡ ପାଇଁ ତାଙ୍କ ପରିବାର ଓ ଜିଲ୍ଲାରେ ଖୁସିର ମାହୋଲ ଖେଳିଯାଇଛି । ତାଙ୍କର ଏହି ସଫଳତା ପାଇଁ ହାଇଟେକ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ସଚିନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

