Latest Odisha News

BREAKING NEWS

ମାତ୍ର ୫ ମିନିଟର ଗୁଗଲ ମିଟ୍ କଲ୍‌ରେ ୮୦ ଭାରତୀୟ କର୍ମଚାରୀଙ୍କୁ ଛଟେଇ

ନ୍ୟୁୟର୍କ: ଏକ ଆମେରିକୀୟ କମ୍ପାନୀ ଦ୍ୱାରା ନିଆଯାଇଥିବା ନିଷ୍ଠୁର ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କମ୍ପାନୀ ମାତ୍ର ୫ ମିନିଟର ଗୁଗଲ ମିଟ୍ କଲ୍ ଆୟୋଜନ କରି ଏକାସାଙ୍ଗରେ ୮୦ ଜଣ ଭାରତୀୟ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି। ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ କର୍ତ୍ତୃପକ୍ଷ ଭାରତୀୟ ଟିମ୍‌ ସହ ଏକ ଜରୁରୀ ଗୁଗଲ ମିଟ୍ ବୈଠକ ଡାକିଥିଲେ। କର୍ମଚାରୀମାନେ କୌଣସି ନିୟମିତ କାର୍ଯ୍ୟାଳୟ ଆଲୋଚନା ଭାବି କଲ୍‌ରେ ଯୋଡ଼ି ହୋଇଥିଲେ। ମାତ୍ର ବୈଠକ ଆରମ୍ଭ ହେବାର ମାତ୍ର ୫ ମିନିଟ୍ ମଧ୍ୟରେ କମ୍ପାନୀର ବରିଷ୍ଠ ଅଧିକାରୀ କୌଣସି ପୂର୍ବ ସୂଚନା ନଦେଇ ସମସ୍ତ ୮୦ ଜଣ କର୍ମଚାରୀଙ୍କୁ ବାହାର କରାଯାଉଥିବା ନେଇ ଘୋଷଣା କରିଥିଲେ। ଏହାପରେ ତୁରନ୍ତ ସେମାନଙ୍କର ଅଫିସିଆଲ୍ ଆକ୍ସେସ୍ ଏବଂ ମେଲ୍ ଆଇଡି ବନ୍ଦ କରିଦିଆଯାଇଥିଲା।

ଛଟେଇର ଶିକାର ହୋଇଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ସେମାନଙ୍କ ଦକ୍ଷତା କିମ୍ବା ବ୍ୟକ୍ତିଗତ କାର୍ଯ୍ୟଦକ୍ଷତାକୁ ବିଚାର ନକରି ଏହିପରି ଅସମ୍ବେଦନଶୀଳ ନିଷ୍ପତ୍ତି ନେଇଛି। କମ୍ପାନୀ ନିଜର ଆର୍ଥିକ ସଙ୍କଟ କିମ୍ବା ପୁନର୍ଗଠନକୁ ଏହାର କାରଣ ଦର୍ଶାଇଥିଲେ ମଧ୍ୟ, ଏହିଭଳି ଅଚାନକ ଏବଂ ଅପମାନଜନକ ଭାବେ ଚାକିରିରୁ ବାହାର କରିବା ପ୍ରକ୍ରିୟାକୁ ସାଧାରଣରେ ଓ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରାଯାଉଛି। ଚାକିରୀ ହରାଇଥିବା ଜଣେ କର୍ମଚାରୀ କହିଛନ୍ତି,ସମସ୍ତ ୮୦ ଜଣ କର୍ମଚାରୀଙ୍କ ଜବ ଚାଲିଗଲା ତାହା ପୁଣି ମାତ୍ର ୫ ମିନିଟର ଏକ ଫୋନ୍ କଲ୍ ଯୋଗୁଁ । ୮୦ଟି ପରିବାର ପ୍ରଭାବିତ ହେଲେ। ମୋତେ ଖରାପ ଲାଗୁଛି ଯେ, ଆମେ ଏଭଳି କର୍ପୋରେଟ୍ ସଂସ୍ଥା ପାଇଁ କାମ କରୁ, ଯେଉଁମାନେ ଯେକୌଣସି ସମୟରେ ଆମକୁ ବାହାର କରିଦେଇପାରନ୍ତି; ଆଉ ମୋତେ ଅନୁତାପ ହେଉଛି ଯେ ମୁଁ ମୋ କାମ ପାଇଁ ଏତେ କଠିନ ପରିଶ୍ରମ କରୁଥିଲି। ଆଜିକାଲି ଆଇଟି ଓ କର୍ପୋରେଟ୍ କ୍ଷେତ୍ରରେ କର୍ମଚାରୀଙ୍କ ନିରାପତ୍ତାକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.