Latest Odisha News

BREAKING NEWS

ବିସିସିଆଇ ସପକ୍ଷରେ ସତ୍ୟପାଠ ଦାଖଲ କଲେ ଓସିଏ ସଭାପତି

ନୂଆଦିଲ୍ଲୀ: ଓଡ଼ିଶା କ୍ରିକେଟ୍ ଆସୋସିଏସନର ନିର୍ବାଚନ ଏବଂ ଜାତୀୟ କ୍ରୀଡ଼ା ଶାସନ ଆଇନର ପ୍ରୟୋଗକୁ ନେଇ ଚାଲିଥିବା ମାମଲା ଏବେ ଏକ ନୂଆ ମୋଡ଼ ନେଇଛି । ଓସିଏର ପୂର୍ବ ସ୍ଥିତିରୁ ଓହରିଯାଇ ସଂଘର ସଭାପତି ପଙ୍କଜ ଲୋଚନ ମହାନ୍ତି ବିଳମ୍ବିତ ହୋଇଥିବା ନିର୍ବାଚନ ତୁରନ୍ତ କରାଇବା ସପକ୍ଷରେ ମତ ଦେଇଛନ୍ତି । ଗୁରୁବାର ଓଡ଼ିଶା ହାଇକୋର୍ଟରେ ଦାଖଲ ସତ୍ୟପାଠରେ ମହାନ୍ତି କହିଛନ୍ତି ଯେ, ବିସିସିଆଇର ନିୟମାବଳୀରୁ ଓସିଏ ଅଲଗା ହୋଇପାରିବ ନାହିଁ । ଯଦି ଓସିଏ ଏହି ନିୟମରୁ ଓହରିଯାଏ, ତେବେ ବିସିସିଆଇରୁ ମିଳୁଥିବା ସଦସ୍ୟତା ଏବଂ ଆର୍ଥିକ ଅନୁଦାନ ବନ୍ଦ ହୋଇଯିବାର ଆଶଙ୍କା ରହିଛି  । ଜାତୀୟ କ୍ରୀଡ଼ା ଶାସନ ଆଇନ୍, ୨୦୨୫ ଅଧୀନରେ କ୍ରିକେଟ୍ କୌଣସି ନିର୍ଦ୍ଧାରିତ ଖେଳ  ଭାବେ ନୋଟିଫାଏ ହୋଇନାହିଁ । ବିସିସିଆଇ ସରକାରୀ ଅନୁଦାନ ନେଉନଥିବାରୁ ଏହା ଏକ ସ୍ୱାଧୀନ ସଂସ୍ଥା ଏବଂ ଏହି ଆଇନ୍ ଦ୍ୱାରା ନିୟନ୍ତ୍ରିତ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି  ।

ଓସିଏ ପୂର୍ବରୁ କୋର୍ଟରେ ଦର୍ଶାଇଥିଲା ଯେ କ୍ରୀଡ଼ା ଆଇନ୍‌ର ସୁପାରିଶ କ୍ରମେ ଡିସେମ୍ବର ୨୦୨୬ ପର‌୍ୟ୍ୟନ୍ତ ନିର୍ବାଚନ ସ୍ଥଗିତ ରଖାଯାଉ । ଓସିଏର ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଏବଂ ସଭାପତି ପଙ୍କଜ ମହାନ୍ତି ନିଜ ନିଜ ପଦବୀରେ ୬ ବର୍ଷରୁ ଅଧିକ ସମୟ ଧରି ରହିସାରିଛନ୍ତି, ଯାହା ସମ୍ବିଧାନର ୨ଟି ଟର୍ମ (୬ ବର୍ଷ) ନିୟମର ସୀମା ପାର୍ କରିସାରିଛି । ବିସିସିଆଇ ପୂର୍ବରୁ କୋର୍ଟକୁ ଜଣାଇଥିଲା ଯେ ଓସିଏ ତୁରନ୍ତ ନିର୍ବାଚନ ଶେଷ କରୁ, ନଚେତ୍ ଏହା ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ହେବ । ମୁମ୍ବାଇରେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ବିସିସିଆଇର ବାର୍ଷିକ ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଯୋଗଦେଉଥିବା ବେଳେ ଏହି ନିର୍ବାଚନ ନେଇ ବିସିସିଆଇ କିଛି ନୂଆ ନିର୍ଦ୍ଦେଶାବଳୀ ଜାରି କରିପାରେ । ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ କୁ ଧାର‌୍ୟ୍ୟ କରିଛନ୍ତି ।

Leave A Reply

Your email address will not be published.