ପାରଳାଖେମୁଣ୍ଡି: ୨୦୨୧ ମସିହା ଜୁନ ୧୨ ତାରିଖରେ ଡବଲ ମର୍ଡର ହୋଇଥିଲା। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ମୁଠାଗୁଡା ଗାଁର ଲୁକା ଦଳବେହେରାଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା କରିଥିଲେ। ଏହି ଡବଲ ମର୍ଡର ମାମଲାରେ ଜଡ଼ିତ ୧୨ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହର ପ୍ରସାଦ ପଟ୍ଟନାୟକ ।
ସୂଚନାଥାଉକି, ଲୁକା ଦଳବେହେରାଙ୍କୁ ଗୁଣିଆ ବୋଲି ଗାଁ ଲୋକେ ଅଭିଯୋଗ କରିବା ସହ ଆକ୍ରମଣ କରିଥିଲେ । ଏହାର ପ୍ରତିବାଦ କରିବାରୁ ଲୁକା ଦଳବେହେରାଙ୍କ ପୁଅ ଅନୁଖଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ପ୍ରଥମେ ଆକ୍ରମଣକାରୀମାନେ ଉଭୟ ବାପପୁଅ ମରିଗଲେ ଭାବି ଛାଡ଼ି ଦେଇଥିଲେ, ହେଲେ ପରବର୍ତ୍ତୀ ସମୟରେ ସେମାନେ ବଞ୍ଚିଥିବା ଜାଣି ପୁଣି ବିଷ ଦେଇ ହତ୍ୟା କରାଯାଇଥିଲା । ଏନେଇ ଅଡ଼ବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଜସୁଆ ଗମାଙ୍ଗଙ୍କ ସମେତ ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଆଜି ଏହି ମାମଲାର ଚୁଡାନ୍ତ ରାୟ ପ୍ରକାଶ ପାଇଛି। ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଏବଂ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ବିଚାରପତି। ଜରିମାନା ଅନାଦେୟ ସ୍ଥଳେ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସରକାରୀ ଓକିଲ ରାଜେଶ ମିଶ୍ର ସୂଚନା ଦେଇଛନ୍ତି ।
ସୂଚନାଥାଉକି, ମୁଟାଗୁଡ଼ା ସଉରା ସାହିର ୧୨ ଜଣ ଅଭିଯୁକ୍ତ ଜୋସୁଆ ଗମାଙ୍ଗ (୩୬ ବର୍ଷ), ବେଞ୍ଜାମିନ ଗମାଙ୍ଗ (୪୦ ବର୍ଷ), ସଞ୍ଜୟ ଗମାଙ୍ଗ (୨୮ ବର୍ଷ), ଅଭିମନ୍ୟୁ ରାଇକା (୩୫ ବର୍ଷ), କାନ୍ଦ୍ରା ଗମାଙ୍ଗ (୬୭ ବର୍ଷ), ମିଖାଇଲ ଗମାଙ୍ଗ (୫୫ ବର୍ଷ), ସେତୋ ରାଇକା (୪୨ ବର୍ଷ), ଜିରିମିୟ ରାଇକା (୪୨ ବର୍ଷ), ଆବ୍ରାହାମ ବଡ଼ରଇତ (୪୫ ବର୍ଷ), ଜୁନେସ ରଇତ (୪୦ ବର୍ଷ), କୁରା ରଇତ (୬୦ ବର୍ଷ) ଓ ସୋମନାଥ ଗମାଙ୍ଗ (୪୫ ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଅର୍ଥ ରାଶିରେ ଦଣ୍ଡିତ କରିଛନ୍ତି ।

