ନୂଆଦିଲ୍ଲୀ: ୨୦୦୨ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ତଥା ବର୍ତ୍ତମାନ ସିଆରପିଏଫର ଆଇଜି ଭାବେ କାର୍ଯ୍ୟରତ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ‘ଲାଟେରାଲ୍ ସିଫ୍ଟ’ ଆଧାରରେ ସୀମା ସୁରକ୍ଷା ବଳ (ବିଏସଏଫ୍)ରେ ଇନ୍ସ୍ପେକ୍ଟର ଜେନେରାଲ୍ (ଆଇଜି) ଭାବେ ନିଯୁକ୍ତ କରାଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରାଯାଇଛି।
ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି ଯେ, “ନିମ୍ନସ୍ୱାକ୍ଷରକାରୀ (ଭାରତ ସରକାରଙ୍କ ଅଣ୍ଡର ସେକ୍ରେଟାରୀ ସଞ୍ଜୀବ କୁମାର) ସିଆରପିଏଫ୍ର UO ନଂ O.II-3765/2023-Pers-DA-I (ତାରିଖ ୦୧.୦୯.୨୦୨୬)ର ପ୍ରସଙ୍ଗ ଉଲ୍ଲେଖ କରିବା ସହ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଜଣାଉଛନ୍ତି ଯେ, ଅମିତେନ୍ଦ୍ର ନାଥ ସିହ୍ନା, ଆଇପିଏସ୍ (OD:2002) – ଯିଏ ବର୍ତ୍ତମାନ ସିଆରପିଏଫ୍ର ଆଇଜି ଅଛନ୍ତି – ତାଙ୍କୁ ‘ଲାଟେରାଲ୍ ସିଫ୍ଟ’ ଆଧାରରେ ବିଏସ୍ଏଫରେ ଆଇଜି ଭାବେ ନିଯୁକ୍ତ କରାଯିବ।
ଏହି ନିଯୁକ୍ତି ତାଙ୍କ ଯୋଗଦାନ ତାରିଖରୁ ୧୦.୦୭.୨୦୨୮ ପର୍ଯ୍ୟନ୍ତ (ମୋଟ କାର୍ଯ୍ୟକାଳ ୫ ବର୍ଷ) କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଉକ୍ତ ଅଧିକାରୀଙ୍କ କେନ୍ଦ୍ରୀୟ ଡେପୁଟେସନ୍ କାର୍ଯ୍ୟକାଳ ୧୧.୦୭.୨୦୨୩ ରିଖରୁ ଗଣନା କରାଯାଉଛି।”
ଆହୁରି ମଧ୍ୟ କୁହାଯାଇଛି ଯେ “ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ତୁରନ୍ତ କାର୍ଯ୍ୟରୁ ମୁକ୍ତ କରାଯାଉ। ଯାହାଫଳରେ ସେ ବିଏସ୍ଏଫ୍ରେ ନିଜର ନୂଆ ଦାୟିତ୍ୱ ଗ୍ରହଣ କରିପାରିବେ।”

