Latest Odisha News

BREAKING NEWS

ପୋଲିସ ପଞ୍ଝାରେ ଟପ୍ ମାଓନେତା ଅସିମ, ୨.୨୦ କୋଟିର ପୁରସ୍କାର…

ମାଲକାନଗିରି: ସୁରକ୍ଷା ବାହିନୀ ମାଓବାଦୀ ନେତା ଅସିମ୍ ମଣ୍ଡଳଙ୍କୁ ଗିରଫ କରିଛି। ଯିଏକି ଆକାଶ ନାମରେ ମଧ୍ୟ ପରିଚିତ। ତାଙ୍କୁ ଧରିବା ପାଇଁ ମୋଟ ୨.୨୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଯେଉଁଥିରେ ଝାଡ଼ଖଣ୍ଡ ସରକାର ୧ କୋଟି ଏବଂ ଓଡ଼ିଶା ସରକାର ୧.୨୦ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳେ ପୂର୍ବ ମେଦିନୀପୁର ଜିଲ୍ଲାର ପଟାଶପୁର ଅଞ୍ଚଳରୁ ଆକାଶଙ୍କୁ ଗିରଫ କରାଯାଇଥିଲା। ତେବେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କୌଣସି ସରକାରୀ ସୂଚନା ପ୍ରଦାନ କରାଯାଇନାହିଁ।

ପଶ୍ଚିମ ମେଦିନୀପୁର ଜିଲ୍ଲାର ଚନ୍ଦ୍ରକୋଣା ଥାନା ଅନ୍ତର୍ଗତ ଫୁଲଚକ ଅଞ୍ଚଳର ବାସିନ୍ଦା ଅସିମ୍ ୧୯୮୦ ଦଶକରେ ଛାତ୍ର ଜୀବନ ସମୟରେ ଉଗ୍ର-ବାମପନ୍ଥୀ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ। ୨୦୦୪ ମସିହା ସେପ୍ଟେମ୍ବର ୨୧ ତାରିଖରେ ମାଓବାଦୀ ସଂଗଠନ ଗଠନ ହେବା ପରେ ସେ ଜଙ୍ଗଲ ଅଞ୍ଚଳରେ ସକ୍ରିୟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଲାଲଗଡ଼ ଆନ୍ଦୋଳନରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଫଳସ୍ୱରୂପ ୨୦୧୦ ମସିହାରେ ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟ କମିଟିର ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିଲା।

ତାଙ୍କ ପତ୍ନୀ ଯିଏ ପଟାଶପୁରର ବାସିନ୍ଦା, ସେ ମଧ୍ୟ ନକ୍ସଲ ସଂଗଠନର ଜଣେ ସକ୍ରିୟ ସଦସ୍ୟା ଥିଲେ। ୨୦୧୦ ମସିହାରେ କୋଲକାତା ପୋଲିସର ଟାସ୍କ ଫୋର୍ସ ତାଙ୍କୁ ଗିରଫ କରିଥିଲା ଏବଂ ସେ ବର୍ତ୍ତମାନ ଜେଲରେ ଅଛନ୍ତି। ଆକାଶ ବାରମ୍ବାର ନିଜର ସ୍ଥାନ ପରିବର୍ତ୍ତନ କରିବା ସହ ଛଦ୍ମବେଶରେ ଘୁରି ବୁଲୁଥିଲେ ଏବଂ ଫେରାର ରହି ଝାଡ଼ଖଣ୍ଡ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ। ସେ ଝାଡ଼ଖଣ୍ଡ ଓ ଓଡ଼ିଶା ଉଭୟ ସରକାରଙ୍କ ପାଇଁ ମୁଖ୍ୟ ଟାର୍ଗେଟ ଥିଲା।ଅସିମ୍ ଓଡ଼ିଶା ଓ ଝାଡ଼ଖଣ୍ଡର ଜଣେ ଶୀର୍ଷ ସ୍ତରୀୟ ମାଓବାଦୀ ନେତା ଥିଲେ।ତାଙ୍କ ଗିରଫଦାରୀ ପରେ ଦାବି କରାଯାଉଛି ଯେ ଝାଡ଼ଖଣ୍ଡ ସମ୍ପୂର୍ଣ୍ଣ ଭାବେ ନକ୍ସଲ-ମୁକ୍ତ ହୋଇଯାଇଛି।

 

Leave A Reply

Your email address will not be published.