ହରିଦ୍ୱାର: ଉତ୍ତରାଖଣ୍ଡ ହରଦ୍ୱାରରୁ ଆସିଛି ବଡ ଖବର। ନିଠାରୀ ମାମଲାର ଭୟଙ୍କର ହତ୍ୟା ଘଟଣାର ଅପରାଧୀ ଆତ୍ମହତ୍ୟା କରିଛି। ଜେଲରୁ ବାହାରିବାର ବର୍ଷେ ବିତିନି ଜୀବନ ହାରିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲି ହରିଦ୍ୱାରରେ ଆତ୍ମହତ୍ୟା କରିଛି। ସୁରେନ୍ଦ୍ରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦୋଷ ବୋଲି କହିବା ପରେ ତାକୁ ୨୦୨୫ରେ ମୁକ୍ତି ଦିଆ ଯାଇଥିଲା। ଆଜି ଅର୍ଥାତ ଶୁକ୍ରବାର ସୁରେନ୍ଦ୍ରର ମୃତ ଦେହ ହରିଦ୍ୱାର ନଗର ଭୂପତୱାଲା ଅଞ୍ଚଳର ଏକ ଚା’ ଦୋକାନରୁ ମିଳିଥିଲା ।
ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି । ତେବେ ଆତ୍ମହତ୍ୟାର କାରଣ ଜଣା ପଡିନାହିଁ । ସୁରେନ୍ଦ୍ର କୋଲି ପ୍ରାୟ ୧୯ ବର୍ଷ ଜେଲ୍ କାନ୍ଥ ପଛରେ ବିତାଇଥିଲା। ମୃତ୍ୟୁଦଣ୍ଡ ଦିଆଯାଇଥିଲା, କିନ୍ତୁ କୋର୍ଟ ତାକୁ ଆଶ୍ୱସ୍ତି ଦେଇଥିଲେ ଏବଂ ଶେଷରେ, ୨୦୨୫ ନଭେମ୍ବରରେ, ସୁପ୍ରିମକୋର୍ଟ ତାକୁ ଶେଷ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ। ନିଠାରୀ ଭୟଙ୍କର କାହାଣୀର ନର ରାକ୍ଷସ ସୁରେନ୍ଦ୍ର ଜେଲରୁ ମୁକୁଳିଥିଲା । ଆଉ ବାହାରକୁ ଆସିବାର ବର୍ଷକ ଭିତରେ ଜୀବନ ହାରିଲା ।
୨୦୦୫-୦୬ରେ ସମଗ୍ର ଦେଶରେ ହଇଚଇ ଖେଳାଇ ଦେଇଥିବା ନିଠାରୀ ମାମଲାର ଅଭିଯୁକ୍ତଙ୍କ କାହାଣୀ ଶେଷରେ ହରିଦ୍ୱାରରେ ଶେଷ ହୋଇଛି । ଗୋଟିଏ ସମୟରେ ତାକୁ ୧୩ଟି ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତା’ପରେ, କୋର୍ଟ ପ୍ରମାଣ ଉପରେ ପ୍ରଶ୍ନ ଉଠାଇଥିଲେ। ୨୦୨୩ରେ ଆହ୍ଲାବାଦ ହାଇକୋର୍ଟ ତାକୁ ୧୨ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ। ପରେ, ସୁପ୍ରିମକୋର୍ଟ ତାଙ୍କୁ ଶେଷ ମାମଲାରେ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଥିଲେ।
ଏହି ଘଟଣା ୨୦୦୫ ଏବଂ ୨୦୦୬ ମସିହାର। ନୋଏଡାର ସେକ୍ଟର ୩୧ରେ ଥିବା ଏକ ବଙ୍ଗଳା ଚାରିପାଖ ଏବଂ ବାହାର ଅଞ୍ଚଳରୁ ଗରିବ ପରିବାରର ଛୋଟ ପିଲା ଏବଂ ଯୁବତୀମାନେ ହଠାତ୍ ରହସ୍ୟମୟ ଭାବରେ ଜଣେ ପରେ ଜଣେ ନିଖୋଜ ହେଉଥିଲେ। ଅଧିକାଂଶ ପୀଡିତ ନିଠାରି ବାସିନ୍ଦା ଥିଲେ। ଡିସେମ୍ବର ୨୦୦୬ରେ, ଯେତେବେଳେ ଜଣେ ୧୪ ବର୍ଷୀୟା ଝିଅ ନିଖୋଜ ହୋଇଗଲା, ତାଙ୍କ ପରିବାର ପୋଲିସର ଦ୍ବାରସ୍ଥ ହୋଇ ନ୍ୟାୟ ପାଇଁ ଅଡ଼ିବସିଲେ । ପୋଲିସ ଖୋଳତାଡ଼ କରୁ କରୁ ଯାଇ ପହଞ୍ଚିଥିଲା ଏକ ପ୍ରାସାଦର ମାଲିକ ମୋନିନ୍ଦର ସିଂହ ପାନ୍ଧେର ଏବଂ ତାଙ୍କ ଘରୋଇ ଚାକର ସୁରେନ୍ଦ୍ର କୋଲି ପାଖରେ। ପ୍ରାସାଦ ନିକଟରେ ଯାଇଥିବା ନାଳରେ କଙ୍କାଳ ମିଳିଲା, ଗୋଟିଏ ଦୁଇଟି ନୁହେଁ ଅନେକ କଙ୍କାଳ। ନାଳ ଖୋଳାହେଲା। ମିଳିଲା ପଲିଥିନରେ ଗୁଡ଼ାଯାଇଥିବା ପିଲା ଏବଂ ମହିଳାଙ୍କ କଙ୍କାଳ, ହାଡ଼ ଏବଂ ପଚିଯାଇଥିବା ଅବଶେଷ ।
ଏ ସବୁର ମୁଖ୍ୟ କାର୍ପଟଦାର ଥିଲା ସୁରେନ୍ଦ୍ର କୋଲି, ଯିଏ ମୋନିନ୍ଦର ସିଂହ ପାନ୍ଧେରଙ୍କ ପ୍ରାସାଦରେ ରୋଷେୟା ଏବଂ ଘରୋଇ ଚାକର ଭାବରେ କାମ କରୁଥିଲା । କୋଲିଙ୍କ ଅପରାଧର ତାଲିକା ଏତେ ଭୟଙ୍କର ଥିଲା ଯେମିତି ଅପରାଧର ସୀମା ପାର୍ କରିଯାଇଥିଲା । କୌଣସି ପିଲା କି ମହିଳା ତା’ର ଘର ବାଠ ଦେଇ ଯିବାବେଳେ ସେମାନଙ୍କୁ ଚକୋଲେଟ୍ , ଟଙ୍କା ଦେଇ ଘରକୁ ଡାକୁଥିଲେ। ଏବଂ ଦୁଷ୍କର୍ମ କରିବା ପରେ ମାରି ଫିଙ୍ଗିଦେଉଥିଲା।
କୋର୍ଟରେ ଯେତେବେଳେ ଏ ମାମଲା ବିଚାର ହେଉଥିଲା ସୁରେନ୍ଦ୍ର ନିଜେ ସ୍ବୀକାର କରିଥିଲା, ସେ ଶିଶୁ ଓ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପରେ ମୃତ ଦେହଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଦେଉଥିଲା , ସେମାନଙ୍କ ଶରୀରର ଅଂଶଗୁଡ଼ିକୁ ରାନ୍ଧୁଥିଲା ଏବଂ ସେଗୁଡ଼ିକୁ ଖାଉଥିଲା ଆଉ କିଛି ନାଳିକୁ ଫିଙ୍ଗିଦେଉଥିଲା । ପୀଡ଼ିତଙ୍କ ପୋଷାକ ଓ ଅନ୍ୟ ଜିନିଷପତ୍ର ପୋଡ଼ିଦେଉଥିଲା। କିନ୍ତୁ ଆଶ୍ଚର୍ଯ୍ୟ ଏତେ ପରେ ବି ସେ ନିର୍ଦ୍ଦୋଷରେ ଖଲାସ ହେଲା। ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ କିପରି ଭାବେ ଖଲାସ କରିବା ଦେଶବାସୀଙ୍କୁ ଅସନ୍ତୁଷ୍ଟ କରିଥିଲା।

