ଜାପାନର ଆଇଚି-ନାଗୋୟାରେ ଆୟୋଜିତ ହେଉଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ଆଥଲେଟ୍ମାନଙ୍କ ରହିବା, ସୁବିଧା ସୁଯୋଗ ଓ ଖାଦ୍ୟପେୟକୁ ନେଇ ଗମ୍ଭୀର ସମସ୍ୟା ଦେଖାଦେଇଛି। ଏହି ଆନ୍ତର୍ଜାତୀୟ ସଙ୍କଟର ତୁରନ୍ତ ସମାଧାନ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସାଇ ଓ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ମିଳିତ ଭାବେ ତତ୍ପରତା ପ୍ରକାଶ କରିଛନ୍ତି।
ନାଗୋୟାରେ ଏକାଠି ସମସ୍ତଙ୍କ ପାଇଁ ସ୍ବତନ୍ତ୍ର କ୍ରୀଡ଼ା ଗ୍ରାମ ନଥିବାରୁ ଭାରତୀୟ ଖେଳାଳିମାନଙ୍କୁ କ୍ରୁଜ୍ ସିପ୍, କଣ୍ଟେନର୍-ଷ୍ଟାଇଲ୍ ରୁମ୍, ବିଭିନ୍ନ ଆପାର୍ଟମେଣ୍ଟ ଓ ସ୍ଥାନୀୟ ହୋଟେଲରେ ଅଲଗା ଅଲଗା ରଖିବାକୁ ବ୍ୟବସ୍ଥା କରାଯାଇଛି। ମାତ୍ର ଆୟୋଜକଙ୍କ ଅବ୍ୟବସ୍ଥା ଯୋଗୁଁ ଭାରତୀୟ ରୋଇଂ , ସୁଟିଂ, କବାଡ଼ି ଓ ୱୁସୁ ଦଳର ଆଥଲେଟ୍ମାନେ ଜାପାନ ପହଞ୍ଚିବା ପରେ ସମୟସୀମା ମଧ୍ୟରେ ରୁମ୍ ନପାଇ ଘଣ୍ଟା ଘଣ୍ଟା ଧରି ହଇରାଣ ହୋଇଥିବା ନେଇ ଅଭିଯୋଗ ହୋଇଛି।
ଏହି ଗୁରୁତର ସମସ୍ୟାର ସ୍ଥାୟୀ ଓ ଶୀଘ୍ର ସମାଧାନ ପାଇଁ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସ୍ଥିତିର ସମୀକ୍ଷା କରିବା ସହ ଭାରତୀୟ ଦୂତାବାସକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ନାଗୋୟା ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ପ୍ରାୟ ୨,୦୦୦ ପ୍ରବାସୀ ଭାରତୀୟଙ୍କୁ ଚିହ୍ନଟ କରାଯାଇଛି। ଆବଶ୍ୟକ ପଡ଼ିଲେ ଏହି ପ୍ରବାସୀ ଭାରତୀୟ ପରିବାରଗୁଡ଼ିକ ଆଥଲେଟ୍ମାନଙ୍କୁ ରହିବା, ଘରୋଇ ଭାରତୀୟ ଖାଦ୍ୟ, ମାନସିକ ସପୋର୍ଟ ଓ ସ୍ଥାନୀୟ ଯାତାୟାତ ସୁବିଧା ଯୋଗାଇବାରେ ସମ୍ପୂର୍ଣ୍ଣ ସହାୟତା କରିବେ।
ଏହା ବ୍ୟତୀତ ଆଇଓଏ ଓ ସାଇ( SAI) ର ବରିଷ୍ଠ ଅଧିକାରୀମାନେ ସ୍ଥାନୀୟ ଅଞ୍ଚଳରେ ଅତିରିକ୍ତ ବିଳାସପୂର୍ଣ୍ଣ ହୋଟେଲ୍ ବୁକ୍ କରିବା ସହ ଭାରତୀୟ ଖେଳାଳିଙ୍କୁ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇବା ପାଇଁ ଜାପାନୀ ଆୟୋଜକ କମିଟି ସହ ନିରନ୍ତର ଆଲୋଚନା ଓ ଯୋଗାଯୋଗ ଜାରି ରଖିଛନ୍ତି।


Comments are closed.