Latest Odisha News

BREAKING NEWS

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ବଦଳିଲା ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମୟସୀମା

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ରାଜ୍ୟର ବିଭିନ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି), ପୌରପାଳିକା (ମ୍ୟୁନିସିପାଲିଟି) ଏବଂ ମହାନଗର ନିଗମ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣର ସମୟସୀମାକୁ ସଂଶୋଧନ କରାଯାଇଛି । ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଇ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ଏହି ନୂତନ ସଂଶୋଧିତ କାର୍ଯ୍ୟସୂଚୀ ପ୍ରେରଣ କରାଯାଇଛି ।

ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ମ୍ୟୁନିସିପାଲିଟି ଏବଂ ଏନଏସିଗୁଡ଼ିକ ପାଇଁ ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ଜିଲ୍ଲାପାଳମାନେ ଏହି ବିଜ୍ଞପ୍ତି ଜାରି କରିବା ସହ ଜନସାଧାରଣଙ୍କଠାରୁ ଆପତ୍ତି ଏବଂ ପରାମର୍ଶ ଆହ୍ୱାନ କରିବେ । ସ୍ଥାନୀୟ ବାସିନ୍ଦାମାନେ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ନିଜର ମତାମତ ଦାଖଲ କରିପାରିବେ । ଏହାପରେ, ଅକ୍ଟୋବର ୭ରେ ପ୍ରାଥମିକ ବିଜ୍ଞପ୍ତି ଜାରି ହେବ ।

ଯଦି ପ୍ରାଥମିକ ବିଜ୍ଞପ୍ତି ଉପରେ କାହାର କିଛି ଅଭିଯୋଗ ବା ଆପତ୍ତି ଥାଏ, ତେବେ ସେମାନେ ଅକ୍ଟୋବର ୭ରୁ ୨୧ ତାରିଖ ମଧ୍ୟରେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ନିକଟରେ ଲିଖିତ ଭାବେ ଆବେଦନ କରିପାରିବେ । ଆସିଥିବା ସମସ୍ତ ଅଭିଯୋଗକୁ ଜିଲ୍ଲାପାଳମାନେ ସେମାନଙ୍କର ସୁପାରିଶ ଏବଂ ମନ୍ତବ୍ୟ ସହ ଅକ୍ଟୋବର ୨୨ ସୁଦ୍ଧା ମ୍ୟୁନିସିପାଲ୍ ପ୍ରଶାସନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ପଠାଇବେ । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାର ଏହିସବୁ ଆବେଦନଗୁଡ଼ିକର ସମୀକ୍ଷା କରି ଅକ୍ଟୋବର ୨୬ରୁ ୨୮ ତାରିଖ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଶେଷରେ ସବୁ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଅକ୍ଟୋବର ୩୧ ତାରିଖରେ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ପୁନର୍ଗଠନ ଓ ସଂରକ୍ଷଣ ସମ୍ପର୍କିତ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ।

ଅନ୍ୟପକ୍ଷରେ, ରାଜ୍ୟର ଚାରୋଟି ବଡ଼ ମହାନଗର ନିଗମ ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ରାଉରକେଲା ପାଇଁ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟାଇମଲାଇନ୍ ପ୍ରସ୍ତୁତ କରାଯାଇଛି । ଏହି ସମସ୍ତ ମହାନଗର ନିଗମଗୁଡ଼ିକୁ ସେପ୍ଟେମ୍ବର ୨୪ ସୁଦ୍ଧା ନିଜ ନିଜର ୱାର୍ଡ ସୀମା ପ୍ରସ୍ତାବ, ପରିଷଦର ସଂକଳ୍ପ ନକଲ ଏବଂ ମ୍ୟାପ୍ ଲେଆଉଟ୍ (ଫର୍ମ-୧ ଏବଂ ଫର୍ମ-୨ ମାଧ୍ୟମରେ) ସରକାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ରିପୋର୍ଟ ମିଳିବା ପରେ ବିଭାଗ ପକ୍ଷରୁ ଅକ୍ଟୋବର ୫ ତାରିଖରେ ଏହି ଚାରୋଟି ମହାନଗର ନିଗମ ପାଇଁ ଚିଠା ବିଜ୍ଞପ୍ତି ଜାରି ହେବ । ଏହା ଉପରେ ଜନସାଧାରଣ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ନିଜର ଆପତ୍ତି ଓ ଅଭିଯୋଗ ଉପସ୍ଥାପନ କରିପାରିବେ ।

Leave A Reply

Your email address will not be published.