Latest Odisha News

BREAKING NEWS

ଲଘୁଚାପ ସହ ପ୍ରବଳ ବର୍ଷା ନିଶ୍ଚିତ: ସେପ୍ଟେମ୍ବରରେ ଓଡ଼ିଶାକୁ ଡରାଉଛି ସମ୍ଭାବ୍ୟ ବାତ୍ୟା?

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ପାଗ ବଦଳିବାକୁ ଯାଉଛି । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ଏବଂ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ଏକପ୍ରକାର ନିଶ୍ଚିତ ହୋଇସାରିଛି । ତେବେ ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି ସମ୍ଭାବ୍ୟ ବାତ୍ୟା ଆଶଙ୍କା । ଚଳିତ ସେପ୍ଟେମ୍ବର ମାସରେ ଓଡ଼ିଶା ଉପକୂଳକୁ ଏକ ଘୂର୍ଣ୍ଣିବାତ୍ୟା ମାଡ଼ି ଆସିବ କି ନାହିଁ, ତାହାକୁ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଭାରତୀୟ ପାଣିପାଗ ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ, ଆସନ୍ତାକାଲି ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ତାଜା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତର ରୂପ ନେବ କିମ୍ବା ବାତ୍ୟାରେ ପରିଣତ ହେବ, ତାହାର ସ୍ପଷ୍ଟ ଚିତ୍ର ଏଯାଏଁ ମିଳିପାରିନାହିଁ । ବିଶ୍ୱର କିଛି ଅଗ୍ରଣୀ ପାଣିପାଗ ମଡେଲ୍ ଏହି ସିଷ୍ଟମ୍‌ଟି ଭବିଷ୍ୟତରେ ଏକ ବାତ୍ୟାର ରୂପ ନେଇପାରେ ବୋଲି ଇଙ୍ଗିତ ଦେଉଛନ୍ତି, ଯାହା ଚିନ୍ତା ବଢ଼ାଇଛି । ମାତ୍ର ଆଇଏମଡି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ କୌଣସି ବିଧିବଦ୍ଧ ଘୋଷଣା ବା ସତର୍କ ସୂଚନା ଜାରି କରାଯାଇନାହିଁ । ବିଭାଗ କେବଳ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି । ଏହି ଆଶଙ୍କାକୁ ଦୃଷ୍ଟିରେ ରଖି ଏବେଠାରୁ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାକୁ ସତର୍କ କରାଇ ଦିଆଯାଇଛି ।

ବିଶେଷକରି ଉପକୂଳ ଓଡ଼ିଶା ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ଚାଷୀକୂଳ ମଧ୍ୟ ନିଜ ଅମଳକ୍ଷମ ଫସଲକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜସ୍ୱ ମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ହେଉ କିମ୍ବା ବନ୍ୟା ପରିସ୍ଥିତି, ସବୁ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ଲୋକଙ୍କୁ ଗୁଜବରେ ବିଶ୍ୱାସ ନକରିବାକୁ ଏବଂ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ନିର୍ଦ୍ଦିଷ୍ଟ ଗତିପଥ ଏବଂ ତୀବ୍ରତା ସମ୍ପର୍କରେ ସଠିକ୍ ଆକଳନ କରାଯାଇପାରିବ ।

Leave A Reply

Your email address will not be published.