ନୂଆଦିଲ୍ଲୀ: ଡେଙ୍ଗୁ ରୋକିବା ଦିଗରେ ଭାରତ ପାଇଁ ଆସିଛି ବଡ଼ ଖବର। ଆସନ୍ତା ୨୦୨୭ର ପ୍ରଥମ ଛଅ ମାସ ମଧ୍ୟରେ ଦେଶରେ ପ୍ରଥମ CDSCO ମଞ୍ଜୁରୀପ୍ରାପ୍ତ ଡେଙ୍ଗୁ ଟିକା ବଜାରରେ ଉପଲବ୍ଧ ହେବାର ଆଶା ରହିଛି। ଜାପାନୀ ଫାର୍ମା କମ୍ପାନୀ ଟାକେଡାର ‘QDENGA’ ଟିକାକୁ ଭାରତରେ ଆଣିବା ପାଇଁ ଡ. ରେଡ୍ଡୀଜ୍ ଲାବୋରେଟୋରିଜ୍ ସହ ଏକ୍ସକ୍ଲୁସିଭ୍ ପାର୍ଟନରଶିପ୍ ହୋଇଛି।
ପ୍ରାଥମିକ ପର୍ଯ୍ୟାୟରେ ଏହି ଟିକା ଘରୋଇ ବଜାରରେ ଶିଶୁ ଓ ବୟସ୍କଙ୍କ ପାଇଁ ଉପଲବ୍ଧ କରାଯିବ। ଭାରତରେ ୪ରୁ ୬୦ ବର୍ଷ ବୟସର ଲୋକଙ୍କ ପାଇଁ ଏହାକୁ ମଞ୍ଜୁରୀ ମିଳିଛି।
ଡେଙ୍ଗୁ ଭାଇରସ୍ର ମୁଖ୍ୟ ୪ଟି ସେରୋଟାଇପ୍ ରହିଛି ଏବଂ ଭାରତରେ ଏହି ଚାରି ପ୍ରକାରର ଭାଇରସ୍ ଦେଖିବାକୁ ମିଳେ। ଟାକେଡା ଅନୁସାରେ, QDENGA ଏହି ଚାରିଟି ସେରୋଟାଇପ୍ ବିରୋଧରେ ସୁରକ୍ଷା ଦେବା ପାଇଁ ବିକଶିତ ହୋଇଛି। ଟିକା ନେବା ପୂର୍ବରୁ ବ୍ୟକ୍ତିଙ୍କୁ ପୂର୍ବରୁ ଡେଙ୍ଗୁ ହୋଇଥିଲା କି ନାହିଁ, ସେନେଇ ପରୀକ୍ଷା କରିବା ଆବଶ୍ୟକ ନାହିଁ ବୋଲି କମ୍ପାନୀ କହିଛି।
ଟାକେଡାର ୨୦୨୫ ମସିହାର ବିଶ୍ଳେଷଣ ଅନୁସାରେ, ଟିକା ନେବାର ୪.୫ ବର୍ଷ ପର୍ଯ୍ୟନ୍ତ ଭାଇରସ୍ ଦ୍ୱାରା ନିଶ୍ଚିତ ଡେଙ୍ଗୁ ସଂକ୍ରମଣ ରୋକିବାରେ ଏହାର ପ୍ରଭାବୀତା ୬୧.୨ ପ୍ରତିଶତ ରହିଛି। ଡେଙ୍ଗୁ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବାରୁ ସୁରକ୍ଷା ଦେବାରେ ପ୍ରଭାବୀତା ୮୪.୧ ପ୍ରତିଶତ ବୋଲି ତଥ୍ୟରେ କୁହାଯାଇଛି।
କମ୍ପାନୀ ଅନୁସାରେ, ଟିକାର କ୍ଲିନିକାଲ୍ ଅଧ୍ୟୟନରେ ବିଭିନ୍ନ ବୟସ ବର୍ଗର ୮୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ୨୦୨୨ରେ ଲଞ୍ଚ ହେବା ପରଠାରୁ QDENGA ୪୩ଟି ଦେଶରେ ମଞ୍ଜୁରୀ ପାଇଛି ଏବଂ ବିଶ୍ୱରେ ୩.୨ କୋଟିରୁ ଅଧିକ ଡୋଜ୍ ବଣ୍ଟନ ହୋଇସାରିଛି।
ତେବେ ଭାରତରେ ଏହି ଟିକାର ଦାମ୍ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଅଧିକରୁ ଅଧିକ ଲୋକ ଯେପରି ଟିକା ପାଇପାରିବେ, ସେଥିପାଇଁ ମୂଲ୍ୟ ନିର୍ଦ୍ଧାରଣ କରାଯିବ ବୋଲି କମ୍ପାନୀଗୁଡ଼ିକ କହିଛନ୍ତି। ଆରମ୍ଭରେ ଏହାକୁ ଘରୋଇ ବଜାରରେ ରଖାଯିବ। ଭବିଷ୍ୟତରେ ସରକାରୀ ଟିକାକରଣ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯିବାର ସମ୍ଭାବନା ମଧ୍ୟ ରହିଛି।

