Latest Odisha News

BREAKING NEWS

ପିଲାଙ୍କ ପାଇଁ ବିପଦ କୁକୁର, ୬ ମାସର ଶିଶୁକୁ ଝୁଣି ପକାଇଲା ପିଟବୁଲ୍…

ସୋନିପତ୍: ୬ ମାସର ଶିଶୁକୁ ଝୁଣି ଦେଲା ପିଟବୁଲ୍। ଏଭଳି ଏକ ଭୟଙ୍କର ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ପିଟ୍ ବୁଲ୍ ହଠାତ୍ ଏକ ୬ମାସର ଶିଶୁକୁ ଆକ୍ରମଣ କରୁଥିବା ନଜର ଆସୁଛି। ଏହି ଘଟଣା ହରିୟାଣାରେ ଘଟିଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ ପିଲାଟି ବଞ୍ଚିଯାଇଥିଲା ବେଳେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି।

କୁକୁର ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘରେ ବିପଦପୂର୍ଣ୍ଣ ପ୍ରଜାତିର କୁକୁର ରଖିବା ନେଇ ପୁଣି ଥରେ ବିତର୍କ ଆରମ୍ଭ ହୋଇଛି। କୁକୁର ପ୍ରେମୀମାନେ ଏବେ ବି ଏହି ପିଟବୁଲ ରଖିବାକୁ ସମର୍ଥନ କରୁଥିବା ବେଳେ ଅଧିକାଂଶ ୟୁଜର୍ଷ କହିଛନ୍ତି ଯେ ପିଟ୍ ବୁଲ୍ ଭଳି ପ୍ରଜାତିର କୁକୁର ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ସେମାନଙ୍କୁ ଘରେ ନ ରଖିବା ଉଚିତ।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଏକ ଛଅ ମାସର ଶିଶୁକୁ ଘର ବାହାରେ ଥିବା ରାସ୍ତାରେ ଜଣେ ଯୁବତୀ କୋଳରେ ଧରି ଅନ୍ୟମାନଙ୍କ ସହ ଗପୁଛନ୍ତି। ଏହି ସମୟରେ କେହି ଜଣେ ଏକ ଘରର ଗେଟ୍ ଖୋଲିବାରୁ  ଭିତରୁ ଏକ ପିଟ୍ ବୁଲ୍ ବାହାରି ଆସି ଅଚାନକ ଉକ୍ତ ଯୁବତୀଙ୍କ କୋଳରେ ଥିବା ୬ ମାସର ଶିଶୁକୁ ଆକ୍ରମଣ କରିଥିଲା। ମୁହୂର୍ତ୍ତକ ମଧ୍ୟରେ ପିଟ୍ ବୁଲ୍ ପିଲାଟିକୁ ନିଜ ପାଟିରେ ଝୁଣି ପକାଇଥିଲା। ପାଖରେ ଥିବା ଲୋକମାନେ ପିଲାଟିକୁ ମୁକ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ପିଟ୍ ବୁଲ୍ କିନ୍ତୁ କାମୁଡ଼ି ଚାଲିଥାଏ। ଅନେକ ଚେଷ୍ଟା ପରେ ସେମାନେ ପିଲାଟିକୁ ମୁକ୍ତ କରିବାରେ ସଫଳ ହୋଇଥିଲେ।ସେତେବେଳକୁ ପିଲାଟି ଗୁରୁତର ଆହତ ହୋଇସାରିଥିଲା।

ପିଟବୁଲ୍ ଆକ୍ରମଣରେ ପିଲାଟିର ମୁହଁ, ହାତ, ଗୋଡ଼ ଏବଂ ପେଟରେ ଗମ୍ଭୀର ଆଘାତ ଲାଗିଥିଲା। ପେଟରେ ଗଭୀର ଆଘାତ ଯୋଗୁଁ ପିଲାଟିକୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ତା’ର ଅସ୍ତ୍ରୋପଚାର କରାଯାଇଥିଲା ଏବଂ ପ୍ରାୟ ୨୦ଟି ଷ୍ଟିଚ ପଡିଥିବା କୁହାଯାଉଛି।ପରିବାର ଅନୁଯାୟୀ, ଚିକିତ୍ସାର ମୂଲ୍ୟ ଅଧିକ ଥିବାରୁ ପିଲାଟିକୁ ପରେ ରୋହତକର ପିଜିଆଇରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତା’ର ଚିକିତ୍ସା ଚାଲିଛି।

ଘଟଣାର ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ପିଲାମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି। ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ କହିଛନ୍ତି ଯେ ଏହି ଘଟଣା ପୋଷା କୁକୁରକୁ ଅସାବଧାନତାରେ ଛାଡିବାର ବିପଦକୁ ଦର୍ଶାଉଛି, ବିଶେଷକରି ଛୋଟ ପିଲାମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଦଜନକ।

 

Leave A Reply

Your email address will not be published.