ନୂଆଦିଲ୍ଲୀ: ଦୀର୍ଘ ୧୦୦ ବର୍ଷରୁ ଅଧିକ ସମୟର ବ୍ୟବଧାନ ପରେ ବୈଜ୍ଞାନିକମାନେ ଏକ ନୂତନ ପ୍ରଜାତିର ଜଙ୍ଗଲୀ ବିଲେଇ ଆବିଷ୍କାର କରିଛନ୍ତି । ଦକ୍ଷିଣ ଆମେରିକାର ବୋଲିଭିଆ ସ୍ଥିତ ଆଣ୍ଡିଜ୍ ପର୍ବତମାଳା ଓ ଆମାଜନ ଅବବାହିକା ମଧ୍ୟରେ ଥିବା ‘ୟୁଙ୍ଗାସ’ ରହସ୍ୟମୟ ଜଙ୍ଗଲରେ ଏହି ବିରଳ ବିଲେଇର ସନ୍ଧାନ ମିଳିଛି । ଦେଖିବାକୁ ସମ୍ପୂର୍ଣ୍ଣ ରୂପେ ଏକ ଖୁଙ୍କାର କଲରାପତ୍ରିଆ ବାଘ ଭଳି ଲାଗୁଥିବା ଏହି ବିଲେଇର ଓଜନ କିନ୍ତୁ ଆମ ଘରେ ରହୁଥିବା ସାଧାରଣ ପୋଷା ବିଲେଇ ଠାରୁ ମଧ୍ୟ କମ୍। ବୈଜ୍ଞାନିକମାନେ ଏହାର ବୈଜ୍ଞାନିକ ନାମ ‘ଲିଓପାର୍ଡସ୍ ଟିଲକାୟୋ’ ରଖିଛନ୍ତି।
ଏହି ଐତିହାସିକ ଆବିଷ୍କାରର କାହାଣୀ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା । ସେହି ସମୟରେ ଜଣେ ସ୍ଥାନୀୟ ବ୍ୟକ୍ତି ରାସ୍ତା କଡ଼ରୁ ଏକ ଛୋଟ ଛୁଆ ବିଲେଇ ପାଇ ତାକୁ ସାଧାରଣ ପୋଷା ବିଲେଇ ଭାବି ନିଜ ଘରକୁ ଆଣିଥିଲେ। ସେ ତାକୁ ଖାଇବାକୁ ଦେଇ ରଖିଥିଲେ, କିନ୍ତୁ ବଡ଼ ହେବା ପରେ ଏହାର ବ୍ୟବହାର ସମ୍ପୂର୍ଣ୍ଣ ଜଙ୍ଗଲୀ ଜନ୍ତୁଙ୍କ ଭଳି ଥିବାରୁ, ସେ ବାଧ୍ୟ ହୋଇ ତାକୁ ସେଣ୍ଡା ଭେର୍ଡେ ଉଦ୍ଧାର କେନ୍ଦ୍ରକୁ ହସ୍ତାନ୍ତର କରିଦେଇଥିଲେ। ସେଠାରେ ବୋଲିଭିଆର ଜଣାଶୁଣା ଜୀବବିଜ୍ଞାନୀ ପାଓଲା ନୋଗାଲେସ୍ ଏହି ବିରଳ ବିଲେଇକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ଲାଗିଥିଲା ଯେ ଏହା ଅନ୍ୟ ଟାଇଗର କ୍ୟାଟ୍ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।
ଦୀର୍ଘ ବର୍ଷ ଧରି ବ୍ରାଜିଲ ଏବଂ ଆଣ୍ଟୱେର୍ପ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ସହାୟତାରେ ବିଭିନ୍ନ ଦେଶର ୩୮ଟି ଭିନ୍ନ ଭିନ୍ନ ବିଲେଇ ଏବଂ ମ୍ୟୁଜିୟମରେ ଥିବା ପୁରୁଣା ନମୁନା ଗୁଡ଼ିକର ଡିଏନଏ ପରୀକ୍ଷା କରାଯାଇଥିଲା । ପରିଶେଷରେ ଜଣାପଡିଥିଲା ଯେ, ପ୍ରାୟ ୧୪ ଲକ୍ଷ ବର୍ଷ ପୂର୍ବେ ଏହା ଅନ୍ୟ ‘ଟାଇଗର କ୍ୟାଟ୍’ ପ୍ରଜାତିରୁ ଅଲଗା ହୋଇଥିଲା। ଏହି ଗବେଷଣାର ବିସ୍ତୃତ ରିପୋର୍ଟ ନିକଟରେ ପ୍ରସିଦ୍ଧ ବିଜ୍ଞାନ ପତ୍ରିକା ‘କରେଣ୍ଟ ବାୟୋଲୋଜି’ରେ ପ୍ରକାଶ ପାଇଛି।
‘ଟିଲକାୟୋ’ ପ୍ରଜାତିର ଏହି ବିଲେଇ ମାତ୍ର ୧୮ ଇଞ୍ଚ ଲମ୍ବ ଏବଂ ଏହାର ଓଜନ ପାଖାପାଖି ୧.୪ କିଲୋଗ୍ରାମ ରହିଥାଏ। ଏହାର ଶରୀରରେ କଲରାପତ୍ରିଆ ବାଘ ଭଳି କଳା ଓ ଖଇରିଆ ରଙ୍ଗର ଗୋଲାକାର ଛାପ ରହିଥିବା ବେଳେ ଏହାର କାନ ଗୋଲାକାର, ମୁହଁ ଛୋଟ ଏବଂ ନିଶ ଖୁବ୍ ଲମ୍ବା ହୋଇଥାଏ। କ୍ୟାମେରା ଟ୍ରାପ୍ ତଥ୍ୟରୁ ଜଣାପଡିଛି ଯେ, ଏମାନେ ସାଧାରଣତଃ ରାତି ସମୟରେ ଅଧିକ ସକ୍ରିୟ ରହିଥାନ୍ତି ଏବଂ ଛୋଟ ମୂଷା ଜାତୀୟ ଜୀବଙ୍କୁ ଶିକାର କରି ବଞ୍ଚନ୍ତି ।
ଏହି ପ୍ରଜାତି ବିଜ୍ଞାନ ଜଗତ ପାଇଁ ନୂଆ ହୋଇଥିଲେ ମଧ୍ୟ ବୋଲିଭିଆର ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ପାଇଁ ଏହା ଅଜଣା ନଥିଲା । ପିଢ଼ି ପରେ ପିଢ଼ି ସେମାନେ ଏହି ଜୀବ ବିଷୟରେ ଜାଣିଥିଲେ ଏବଂ ତାକୁ ‘ଟିଲକାୟୋ’ ନାମରେ ଡାକି ଆସୁଥିଲେ । ସ୍ଥାନୀୟ ଲୋକଙ୍କ ଏହି ପାରମ୍ପରିକ ଜ୍ଞାନକୁ ସମ୍ମାନ ଜଣାଇ ବୈଜ୍ଞାନିକମାନେ ଏହାର ବୈଜ୍ଞାନିକ ନାମକରଣରେ ‘ଟିଲକାୟୋ’ ଶବ୍ଦକୁ ଯୋଡ଼ିଛନ୍ତି ।

