କାନପୁର: ଉତ୍ତରପ୍ରଦେଶର କାନପୁରସ୍ଥିତ ଏକ ସରକାରୀ ଡାକ୍ତରଖାନାରୁ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ନଗ୍ନ ଓ ଆଶ୍ଚର୍ଯ୍ୟଜନକ ଚିତ୍ର ପଦାକୁ ଆସିଛି । ଗରିବ ତଥା ସାଧାରଣ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବା ଆଶାରେ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ବେଳେ ଏଠାରେ ରୋଗୀଙ୍କ ଜୀବନ ସହ କିପରି ଖେଳ ଖେଳାଯାଉଛି ତାହା ସ୍ପଷ୍ଟ ହୋଇଛି ।
କାନପୁରରେ ଜଣେ ଡାକ୍ତରଙ୍କ ଅନୁପସ୍ଥିତିରେ ତାଙ୍କର ବ୍ୟକ୍ତିଗତ ଡ୍ରାଇଭର ନିଜେ ‘ମୁନ୍ନାଭାଇ ଏମବିବିଏସ୍’ ସାଜି ରୋଗୀଙ୍କୁ ଚିକିତ୍ସା କରିବା ସହ ଔଷଧ ଲେଖିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ସୋସିଆଲ ମିଡିଆରେ ଏହି ଗୁରୁତର ଅବହେଳାର ଏକ ଭିଡିଓ ବ୍ୟାପକ ଭାବେ ଭାଇରାଲ ହେବା ପରେ ପ୍ରଶାସନ ହରକତକୁ ଆସିବା ସହ ଅଭିଯୁକ୍ତ ଡ୍ରାଇଭର ନାମରେ ଏଫଆଇଆର ରୁଜୁ କରିଛି ।
ଏହି ଘଟଣାଟି କାନପୁରର କାଂଶୀରାମ ସରକାରୀ ଚିକିତ୍ସାଳୟରେ ଘଟିଛି । ଡାକ୍ତରଖାନାର ଜରୁରୀକାଳୀନ ଚିକିତ୍ସା ଅଧିକାରୀ (ଇଏମଓ) ଭାବେ କାର୍ଯ୍ୟରତ ଡାକ୍ତର ରାମକେଶ କୌଣସି ଏକ ମାମଲାର ଶୁଣାଣି ପାଇଁ କୋର୍ଟ ଯାଇଥିଲେ । ନିଜ ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ଡ୍ରାଇଭର ଦେବ ପ୍ରତାପ ସିଂହ ଡାକ୍ତରଖାନାର ବହିର୍ବିଭାଗରେ ଥିବା ଡାକ୍ତରଙ୍କ ଚୌକିରେ ବସିଯାଇଥିଲେ । ସେ କେବଳ ଚୌକିରେ ବସିନଥିଲେ, ବରଂ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ଭଳି ବାହାରେ ଅପେକ୍ଷା କରିଥିବା ରୋଗୀମାନଙ୍କୁ ଗୋଟି ଗୋଟି କରି ଭିତରକୁ ଡାକିଥିଲେ । ସେମାନଙ୍କ ସମସ୍ୟା ଶୁଣିବା ସହ ଏକ ସାଧା ଧଳା କାଗଜରେ ଔଷଧ ମଧ୍ୟ ଲେଖିଦେଇଥିଲେ। ବିନା ଡାକ୍ତରୀ ଜ୍ଞାନରେ ଜଣେ ଡ୍ରାଇଭର ଏଭଳି ଔଷଧ ଦେବା ଅତ୍ୟନ୍ତ ବିପଜ୍ଜନକ ।
ଗତ ସେପ୍ଟେମ୍ବର ୧୬ ତାରିଖରେ କେହି ଜଣେ ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ । ଭିଡିଓଟି ଭାଇରାଲ ହେବା ମାତ୍ରେ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଥିଲା । ଉତ୍ତରପ୍ରଦେଶ କଂଗ୍ରେସ ପକ୍ଷରୁ ଏହି ଭିଡିଓକୁ ‘ଏକ୍ସ’ରେ ସେୟାର କରାଯାଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ କଡ଼ା ପ୍ରହାର କରାଯାଇଛି । ଦଳ ପକ୍ଷରୁ କୁହାଯାଇଛି ଯେ, ଏହା ହେଉଛି ରାଜ୍ୟ ସରକାରଙ୍କ ବିଫଳ ସ୍ୱାସ୍ଥ୍ୟ ମଡେଲର ବାସ୍ତବ ଚିତ୍ର ।
ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ଡାକ୍ତରଖାନା ପ୍ରଶାସନ ତତ୍ପରତା ଦେଖାଇଛି । ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ତତ୍ତ୍ୱାବଧାରକ ଡାକ୍ତର ପୀୟୂଷ ମିଶ୍ରଙ୍କ ଏତଲା କ୍ରମେ ସ୍ଥାନୀୟ ଚକେରୀ ଥାନାରେ ଅଭିଯୁକ୍ତ ଡ୍ରାଇଭର ଦେବ ପ୍ରତାପଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ବିଶୃଙ୍ଖଳାର ବିଧିବଦ୍ଧ ତଦନ୍ତ ପାଇଁ ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ହରିଦତ୍ତ ନେମି ଏକ ୩ ଜଣିଆ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ, ଡାକ୍ତର ରାମକେଶ ନିଜର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ତାଙ୍କ ବିନା ଅନୁମତି ଓ ଜ୍ଞାତସାରରେ ଡ୍ରାଇଭର ନିଜ ଇଚ୍ଛାରେ ଏଭଳି ବେଆଇନ କାର୍ଯ୍ୟ କରିଛି । ତେବେ ଘଟଣା ଜଣାପଡିବା ମାତ୍ରେ ସେ ଉକ୍ତ ଡ୍ରାଇଭରକୁ ଚାକିରିରୁ ବରଖାସ୍ତ କରିଦେଇଛନ୍ତି ବୋଲି ଦାବି କରିଛନ୍ତି ।

