Latest Odisha News

BREAKING NEWS

ବିଲ୍ ବାକି ଥିବାରୁ ୨୫ଟି ସ୍କୁଲର ଲାଇନ୍ କଟିଲା, ଗଛମୂଳେ ଛାତ୍ରଛାତ୍ରୀ

ପୁରୀ: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରୁ ଏକ ଅଭାବନୀୟ ତଥା ଉଦବେଗଜନକ ଖବର ସାମ୍ନାକୁ ଆସିଛି । ବକେୟା ବିଦ୍ୟୁତ୍ ବିଲ୍ ପୈଠ ନହେବା କାରଣରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ବ୍ଲକର ପ୍ରାୟ ୨୫ଟି ସରକାରୀ ବିଦ୍ୟାଳୟର ବିଦ୍ୟୁତ୍ ସଂଯୋଗ ହଠାତ୍ କାଟି ଦିଆଯାଇଛି । ଫଳରେ ଗରମ ଓ ଗୁଳଗୁଳି ଭିତରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ରେଣୀଗୃହ ଗୁଡ଼ିକରେ ଅସହ୍ୟ ଗରମ ହେଉଥିବାରୁ କୋମଳମତି ଶିଶୁମାନେ ଛଟପଟ ହେଉଛନ୍ତି । ଏପରି ପରିସ୍ଥିତିରେ ବାଧ୍ୟ ହୋଇ ସ୍କୁଲ ପରିସରରେ ଥିବା ଗଛ ମୂଳେ ପିଲାମାନଙ୍କୁ ବସାଇ ପାଠ ପଢ଼ାଯାଉଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଲାଇନ୍ କଟିଯିବା କାରଣରୁ ବିଦ୍ୟାଳୟ ଗୁଡ଼ିକରେ କେବଳ ପାଠପଢ଼ା ବାଧାପ୍ରାପ୍ତ ହୋଇନାହିଁ, ବରଂ ଅନ୍ୟାନ୍ୟ ଜରୁରୀ ସେବା ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ବିଦ୍ୟୁତ୍ ଅଭାବରୁ ସ୍କୁଲର ପାଣି ମୋଟର ଗୁଡ଼ିକ ଚାଲିପାରୁ ନାହିଁ, ଯାହା ଫଳରେ ପିଲାମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଟୋପାଏ ମିଳିପାରୁନାହିଁ । ପାଣି ଅଭାବରୁ ସ୍କୁଲର ଶୌଚାଳୟ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ ଏବଂ ପରିମଳ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏପରିକି ପାଣି ନଥିବାରୁ ପିଲାଙ୍କ ପାଇଁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାରେ ପାଚିକାମାନେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖାଇବା ବେଳେ ଓ ଖାଇସାରିବା ପରେ ପିଲାଙ୍କୁ ହାତ ଧୋଇବା ପାଇଁ ମଧ୍ୟ ପାଣି ମିଳୁନାହିଁ ।

ଅନ୍ୟପକ୍ଷରେ, ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟୁତ୍ ବିଭାଗ କୌଣସି ପୂର୍ବ ନୋଟିସ୍ କିମ୍ବା ଆଗୁଆ ସୂଚନା ନଦେଇ ଏଭଳି ବେପରୁଆ ଭାବେ ଲାଇନ୍ କାଟିଦେଇଛନ୍ତି । ଏହାକୁ ନେଇ ଅଭିଭାବକ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏ ସମ୍ପର୍କରେ ଡେଲାଙ୍ଗ ବ୍ଲକ୍ ଶିକ୍ଷା ଅଧିକାରୀ ପୀତବାସ ସେଠୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଏହି ଗୁରୁତର ସମସ୍ୟା ସମ୍ପର୍କରେ ଆମେ ବିଦ୍ୟୁତ୍ ବିଭାଗକୁ ଲିଖିତ ଭାବେ ଜଣାଇଛୁ । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ଚାଲିଛି ଏବଂ ପ୍ରଭାବିତ ସ୍କୁଲରେ ଯଥାଶୀଘ୍ର ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି।”

ଏହି ଖବର ମିଡ଼ିଆରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଆଶ୍ୱାସନା ଦେଇ କହିଛନ୍ତି ଯେ, “ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ । ସ୍କୁଲଗୁଡ଼ିକରେ କିପରି ତୁରନ୍ତ ବିଦ୍ୟୁତ୍ ସେବା ସ୍ୱାଭାବିକ ହେବ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।” ତେବେ ଆଗକୁ କିପରି ସ୍କୁଲ ଭଳି ସମ୍ବେଦନଶୀଳ ସ୍ଥାନରୁ ବିନା ସୂଚନାରେ ହଠାତ୍ ବିଦ୍ୟୁତ୍ ବିଚ୍ଛିନ୍ନ ନକରାଯାଏ, ସେଥିପ୍ରତି ଉଭୟ ବିଦ୍ୟୁତ୍ ଓ ଶିକ୍ଷା ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।

Leave A Reply

Your email address will not be published.