Surama Padhy in Cape Town: ଦିବ୍ୟାଙ୍ଗଙ୍କ ପାଇଁ ସଂସଦ ହେଉ ଅଧିକ ସମାବେଶୀ; କେପ୍ଟାଉନ୍ରେ ଓଡ଼ିଶାର ଉଦାହରଣ ରଖିଲେ ବାଚସ୍ପତି ସୁରମା ପାଢ଼ୀ
ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାର କେପ୍ଟାଉନ୍ରେ ଆୟୋଜିତ କମନୱେଲ୍ଥ ପାର୍ଲାମେଣ୍ଟାରୀ ଆସୋସିଏସନ୍ (CPA) କାର୍ଯ୍ୟକ୍ରମରେ ଯୋଗଦେଇ ଦିବ୍ୟାଙ୍ଗଙ୍କ ପାଇଁ ସଂସଦୀୟ ଗଣତନ୍ତ୍ରରେ ଅଧିକ ସମାବେଶ ଓ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ। “ଆକ୍ସେସିବଲ୍ ପାର୍ଲାମେଣ୍ଟ: ଇନ୍କ୍ଲୁଜନ୍ ଅଫ୍ ପର୍ସନ୍ସ ୱିଥ୍ ଡିସାବିଲିଟିଜ୍” ଶୀର୍ଷକ ଅଧିବେଶନରେ ସେ ଭାରତରେ ଦିବ୍ୟାଙ୍ଗଙ୍କ ଅବଦାନ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମତ ରଖିଥିଲେ।
ସୁରମା ପାଢ଼ୀ ଋଷି ଅଷ୍ଟାବକ୍ରଙ୍କ ଉଦାହରଣ ଦେଇ କହିଥିଲେ ଯେ, ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନରେ ମଧ୍ୟ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ଲୋକଙ୍କ ପ୍ରତିନିଧିତ୍ୱ କରି ଦେଶର ବିକାଶରେ ଯୋଗଦାନ କରିଛନ୍ତି ବୋଲି ସେ କହିଥିଲେ।
୨୦୨୪ ସାଧାରଣ ନିର୍ବାଚନର ତଥ୍ୟ ଉଲ୍ଲେଖ କରି ବାଚସ୍ପତି କହିଥିଲେ ଯେ, ଦେଶରେ ୯୦ ଲକ୍ଷରୁ ଅଧିକ ଦିବ୍ୟାଙ୍ଗ ଭୋଟର ପଞ୍ଜୀକୃତ ହୋଇଥିଲେ। ସଂସଦ ଓ ବିଧାନସଭାରେ ଡିଜିଟାଲ୍ ବ୍ୟବସ୍ଥାର ବଢ଼ୁଥିବା ବ୍ୟବହାର ଦିବ୍ୟାଙ୍ଗଙ୍କ ଅଧିକ ପ୍ରତିନିଧିତ୍ୱ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗିଦାରିକୁ ସହଜ କରିପାରିବ ବୋଲି ସେ ମତ ଦେଇଥିଲେ। ଏହି ଅବସରରେ ସେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଆଇନ, ୨୦୧୬କୁ ସମାନତା, ସୁଗମତା ଓ ଅଂଶଗ୍ରହଣ ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ଭାବେ ଉଲ୍ଲେଖ କରିଥିଲେ।
ଓଡ଼ିଶାର ପଦକ୍ଷେପ ସମ୍ପର୍କରେ ସୁରମା ପାଢ଼ୀ ବାଣୀଶ୍ରୀ ବୃତ୍ତି ଏବଂ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନର ଉଦାହରଣ ଦେଇଥିଲେ। ଏହା ସହ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ, ଦକ୍ଷତା ବିକାଶ, ପୁନର୍ବାସ, ସ୍ୱତନ୍ତ୍ର ଶିକ୍ଷା, ସାମାଜିକ ସୁରକ୍ଷା, କ୍ରୀଡ଼ା ଓ ଜୀବିକା ସୁଯୋଗ କ୍ଷେତ୍ରରେ ସହାୟତା ଦିଆଯାଉଥିବା ସେ କହିଥିଲେ।
ଏହି ଆଲୋଚନାରେ ଝାଡ଼ଖଣ୍ଡ ବିଧାନସଭା ବାଚସ୍ପତି ରବୀନ୍ଦ୍ର ନାଥ ମହାତୋ, ରାଜ୍ୟସଭା ସାଂସଦ ସି. ସଦାନନ୍ଦନ ମାଷ୍ଟର ଏବଂ ମହାରାଷ୍ଟ୍ର ବିଧାନ ପରିଷଦ ଅଧ୍ୟକ୍ଷ ପ୍ରଫେସର ରାମ ସିନ୍ଦେ ମଧ୍ୟ ଯୋଗଦେଇଥିଲେ। ସୁରମା ପାଢ଼ୀଙ୍କ ସହ ଓଡ଼ିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଏବଂ ସଚିବ ସତ୍ୟବ୍ରତ ରାଉତ ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ଅଛନ୍ତି।

