BBSR Family Tragedy: ତୁରୀ, ମହୁରୀରେ କମ୍ପିଥାନ୍ତା, କାନ୍ଦ ବୋବାଳିରେ ଫାଟୁଛି; କେଡେ ନିଷ୍ଠୁର ଏ ଦଇବ! ଏକାସାଙ୍ଗରେ ପୁଅ-ଝିଅ, ଜ୍ବାଇଁ, ନାତି-ନାତୁଣୀ ସମସ୍ତଙ୍କୁ ନେଇଗଲା…
ଭୁବନେଶ୍ୱର: ସପ୍ତାହକ ତଳେ ଏହି ଘରେ ଥିଲା ହସଖୁସିର ପରିବେଶ। ଝିଅର ନିର୍ବନ୍ଧ ପାଇଁ ଚାଲିଥିଲା ପ୍ରସ୍ତୁତି। ଘରେ ଶୁଭକାର୍ଯ୍ୟର ଆଲୋଚନା, ସମ୍ପର୍କୀୟଙ୍କ ଆସିବା-ଯିବା ଏବଂ ଉତ୍ସବର ମାହୋଲ। ହେଲେ ଆଜି ସେହି ଘରେ ଶୁଭ ଗୀତ ବଦଳରେ ଶୁଭୁଛି କାନ୍ଦ ବୋବାଳି । ଛାତି ପିଟି ପିଟି କାନ୍ଦୁଛନ୍ତି ବୁଢା ବାପ ମା’। ସବୁ ଶେଷ ହୋଇଗଲା! ଏ କ’ଣ କରିଦେଲୁରେ କାଳିଆ…! ମିଣ୍ଟିକୁ ମିଣ୍ଟି ଚେତା ଯାଉଛି । ଫଟୋକୁ ଛାତିରେ ଚାପି ଧରି ବାହୁନି ବାହୁନି କାନ୍ଦୁଛି ମା’…କାହିଁ ଗଲରେ କାହିଁ ଗଲରେ ପଚାରୁଛି ।
ଭୁବନେଶ୍ୱର ଜୟଦେବ ବିହାରର ବନମାଳୀ ବେହେରାଙ୍କ ପରିବାର ଉପରେ ମାଡ଼ିଆସିଛି ଏଭଳି ଦୁଃଖ। ମଧ୍ୟପ୍ରଦେଶ ଗସ୍ତ ସମୟରେ ଘଟିଥିବା ଭୟାବହ ଦୁର୍ଘଟଣାରେ ଏହି ପରିବାରର ୭ ଜଣ ପ୍ରାଣ ହରାଇଛନ୍ତି। ଏକାସାଙ୍ଗରେ ପରିବାର ଚିହ୍ନ ଲିଭି ଯାଇଛି । ପୁଅ, ଦୁଇ ଝିଅ, ଜ୍ୱାଇଁ ଓ ନାତି-ନାତୁଣୀଙ୍କୁ ହରାଇ ଭାଙ୍ଗିପଡ଼ିଛି ସମ୍ପୂର୍ଣ୍ଣ ପରିବାର।
ଗତ ସପ୍ତାହରେ ଗଣେଶ ପୂଜା ଅବସରରେ ପରିବାର ଏକାଠି ହୋଇଥିଲେ। ପଡ଼ୋଶୀଙ୍କ ସହ ହସଖୁସି, ଗୀତ ଓ ନାଚରେ କଟିଥିଲା ସମୟ। ସେତେବେଳେ କେହି ଭାବିନଥିଲେ ଯେ, ଏହି ହସୁଥିବା ମୁହଁଗୁଡ଼ିକ ଆଉ କେବେ ଘରକୁ ଫେରିବେ ନାହିଁ। ସେହି ଉତ୍ସବର ଫଟୋ ଏବେ ପରିବାର ପାଇଁ ଖୁସିର ସ୍ମୃତି ନୁହେଁ, ବରଂ ଅସହ୍ୟ ଯନ୍ତ୍ରଣା ପାଲଟିଛି।
ଏହି ଦୁର୍ଘଟଣାରେ ବନମାଳୀ ବେହେରାଙ୍କ ସାନ ଝିଅ ରାଧାରାଣୀ ମଧ୍ୟ ପ୍ରାଣ ହରାଇଛନ୍ତି। ରାଧାରାଣୀଙ୍କ ନିର୍ବନ୍ଧ ସେପ୍ଟେମ୍ବର ୨୭ରେ ହେବାକୁ ସ୍ଥିର ହୋଇଥିଲା। ଉଜ୍ଜୟିନୀରୁ ପରିବାର ଫେରିବା ପରେ ଘରେ ନିର୍ବନ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାନ୍ତା। ମେହେନ୍ଦି, ଉତ୍ସବ ଓ ସମ୍ପର୍କୀୟଙ୍କ ଗହଳିର ସ୍ୱପ୍ନ ଦେଖୁଥିଲେ ପରିବାର। କିନ୍ତୁ ଗୋଟିଏ ଦୁର୍ଘଟଣା ସବୁ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଇଛି।
ଗଣେଶ ପୂଜା ପରେ ମା’ ବାଗଲାମୁଖୀଙ୍କ ଦର୍ଶନ ପାଇଁ ବାହାରିବା ପୂର୍ବରୁ ରାଧାରାଣୀ ଏକ ଫଟୋ ଉଠାଇଥିଲେ। ଏବେ ସେହି ଫଟୋ ହିଁ ପରିବାର ପାଇଁ ତାଙ୍କର ଶେଷ ସ୍ମୃତି ହୋଇରହିଛି। ଯେଉଁ ଝିଅକୁ ବିଦା କରିବା ପାଇଁ ପରିବାର ସ୍ୱପ୍ନ ଦେଖୁଥିଲା, ଏବେ ସେହି ଝିଅର ଅନ୍ତିମ ବିଦାୟ ପାଇଁ ଘର ଲୋକ ପ୍ରସ୍ତୁତ ହେଉଛନ୍ତି।
ସବୁଠାରୁ ଅଧିକ ଭାଙ୍ଗିପଡ଼ିଛନ୍ତି ରାଧାରାଣୀଙ୍କ ମା’। ଝିଅ, ଜ୍ୱାଇଁ ଓ ନାତି-ନାତୁଣୀଙ୍କ ଫଟୋକୁ ଛାତିରେ ଜାବୁଡ଼ି ଧରି ସେ କାନ୍ଦୁଛନ୍ତି। ବାରମ୍ବାର ଫଟୋକୁ ଦେଖୁଛନ୍ତି, ଯେମିତି ଏହି ମୁହଁଗୁଡ଼ିକ ଭିତରୁ ନିଜ ଲୋକଙ୍କୁ ପୁଣି ଖୋଜୁଛନ୍ତି। ବାପା ବନମାଳୀ ବେହେରା ମଧ୍ୟ ନିରବ ହୋଇଯାଇଛନ୍ତି।
ଘର ସାମ୍ନାରେ ସମ୍ପର୍କୀୟ, ବନ୍ଧୁ ଓ ପଡ଼ୋଶୀଙ୍କ ଭିଡ଼। ସମସ୍ତଙ୍କ ଆଖିରେ ଲୁହ। ବନମାଳୀ ବେହେରା କହିଛନ୍ତି, “ଆମେ ଗରିବ ଲୋକ। ଆମେ କ’ଣ କରିପାରିବୁ? ପ୍ରଶାସନ ଆମକୁ ସହାୟତା କରନ୍ତୁ।”
ଗତ ସପ୍ତାହରେ ଯେଉଁ ଗଳିରେ ଗଣେଶ ପୂଜାର ଉତ୍ସବ ଥିଲା, ଆଜି ସେଠାରେ ଶୋକର ପରିବେଶ। ହସ ନାହିଁ, ଉତ୍ସବ ନାହିଁ। ରହିଯାଇଛି କେବଳ କିଛି ଫଟୋ, କିଛି ସ୍ମୃତି ଏବଂ ଏକ ପରିବାରର ଅପୂରଣୀୟ ଶୂନ୍ୟତା।

