ନଗୋୟା (ଜାପାନ): ଭାରତୀୟ ମିକ୍ସଡ୍ ମାର୍ଶଲ ଆର୍ଟସ ଖେଳାଳି ବରୁଣ ସାନ୍ୟାଲ ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସରୁ ବାହାରି ଯାଇଛନ୍ତି । ୭୭ କେଜି ୱେଟ୍ କ୍ୟାଟେଗୋରୀର କ୍ୱାର୍ଟର ଫାଇନାଲ ମ୍ୟାଚ୍ ପୂର୍ବରୁ ତାଙ୍କୁ ମେଡିକାଲି ଅନଫିଟ୍ (ଅସୁସ୍ଥ) ଘୋଷଣା କରାଯାଇଛି । ମ୍ୟାଚ୍ ପୂର୍ବରୁ ନିଜର ଓଜନ ନିୟନ୍ତ୍ରଣ କରିବା ପାଇଁ ସୌନା ବାଥ ନେଉଥିବା ସମୟରେ ବରୁଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା ଏବଂ ସେ ସେଠାରେ ବେହୋସ୍ ହୋଇପଡ଼ିଥିଲେ । ଜଣେ ନେପାଳୀ ଖେଳାଳି ତାଙ୍କୁ ଦେଖି ତୁରନ୍ତ ମେଡିକାଲ ଟିମ୍ ପାଖକୁ ନେବାରେ ସାହାଯ୍ୟ କରିଥିଲେ । ଖବର ପାଇ ଇଣ୍ଡିଆର ଅଧ୍ୟକ୍ଷ ନିଖିଲ କୁନ୍ଦର ଏବଂ ଭାରତୀୟ ଅଧିକାରୀମାନେ ଉପସ୍ଥିତ ହୋଇଥିଲେ । ମେଡିକାଲ ଟିମ୍ ତାଙ୍କୁ ପରୀକ୍ଷା କରିବା ପରେ ଖେଳିବା ପାଇଁ ଅନୁମତି ଦେଇନଥିଲେ ।
ପ୍ରିଲିମିନାରୀ ରାଉଣ୍ଡରେ ବାଇ ପାଇଥିବାରୁ ବରୁଣ ସିଧାସଳଖ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲେ । ଏହି ମ୍ୟାଚ୍ରେ ତାଙ୍କର ମୁକାବିଲା ବହରିନର ମୁଖମ୍ମଦ ନବୀୟେଭଙ୍କ ସହ ହେବାର ଥିଲା । ମାତ୍ର ମେଡିକାଲ କ୍ଲିୟରାନ୍ସ ନମିଳିବାରୁ ସେ ମ୍ୟାଚ୍ ନଖେଳି ଗେମ୍ସରୁ ବିଦାୟ ନେଇଛନ୍ତି । ୨୭ ବର୍ଷୀୟ ବରୁଣ ଲଣ୍ଡନରୁ ମୁମ୍ବାଇ, ସିଙ୍ଗାପୁର ଦେଇ ଜାପାନର ନଗୋୟା ସହରରେ ପହଞ୍ଚିଥିଲେ । ତେବେ ଆକ୍ରେଡିଟେସନ୍ ସମ୍ପର୍କିତ ବୈଷୟିକ ସମସ୍ୟା ଯୋଗୁଁ ଗେମ୍ସ ଭିଲେଜରେ ରୁମ୍ ପାଇବା ପାଇଁ ତାଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା । ପରେ ମିଳିଥିବା ରୁମ୍କୁ ନେଇ ଅନ୍ୟ ଦୁଇଜଣ ଭାରତୀୟ ଆଥଲେଟ୍ ଦାବି କରିବାରୁ ତାଙ୍କୁ ବିଶ୍ରାମ ନେବା ପାଇଁ ପର୍ୟ୍ୟାପ୍ତ ସମୟ ମିଳିନଥିଲା । ମୁଁ ଯେତେବେଳେ ରୁମ୍ରେ ପହଞ୍ଚି ବେଡ୍ରେ ଶୋଇଲି, ମୋ ଶରୀର ସମ୍ପୂର୍ଣ୍ଣ କ୍ଲାନ୍ତ ହୋଇପଡ଼ିଥିଲା ବୋଲି ବରୁଣ ଗଣମାଧ୍ୟମକୁ କହିଛନ୍ତି ।

