Latest Odisha News

BREAKING NEWS

୯ ଲକ୍ଷ ବଜେଟ୍, ୪୦ ଲକ୍ଷ ରୋଜଗାର: ରାମାନନ୍ଦ ସାଗରଙ୍କ ‘ରାମାୟଣ’ କିପରି ରଚିଥିଲା ଅର୍ଥନୈତିକ ଇତିହାସ

ନୂଆଦିଲ୍ଲୀ: ଭାରତୀୟ ଟେଲିଭିଜନ ଇତିହାସରେ ସର୍ବାଧିକ ଲୋକପ୍ରିୟ ଧାରାବାହିକ କଥା ଉଠିଲେ, ରାମାନନ୍ଦ ସାଗରଙ୍କ ‘ରାମାୟଣ’ର ନାମ ସର୍ବାଗ୍ରେ ଆସିଥାଏ । ୧୯୮୭ ମସିହାରେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଏହି ପୌରାଣିକ ଧାରାବାହିକ କେବଳ ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ନଥିଲା, ବରଂ ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଏକ ବିରାଟ ଇତିହାସ ରଚିଥିଲା। ଆଜିକାଲି ପ୍ରାୟ ୪୦୦୦ କୋଟି ଟଙ୍କା ବଜେଟରେ ନିର୍ମିତ ହେଉଥିବା ନୂଆ ପିଢ଼ିର ‘ରାମାୟଣ’ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ, ୮୦ ଦଶକର ସେହି କାଳଜୟୀ ଧାରାବାହିକର ବଜେଟ୍ ଏବଂ ଆୟର ଗଣିତ ଏବେ ବି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ସେହି ସମୟରେ ରାମାନନ୍ଦ ସାଗର ନିଜର ଏହି ଡ୍ରିମ୍ ପ୍ରୋଜେକ୍ଟ ପାଇଁ ପାଣି ଭଳି ଅର୍ଥ ବ୍ୟୟ କରିଥିଲେ। ସୂଚନା ଅନୁଯାୟୀ, ପ୍ରଥମେ ଏହାକୁ ମାତ୍ର ୫୨ଟି ଏପିସୋଡ୍ ପାଇଁ ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ଅପାର ଲୋକପ୍ରିୟତା କାରଣରୁ ପରେ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହାକୁ ୭୮ଟି ଏପିସୋଡ୍‌କୁ ବୃଦ୍ଧି କରାଯାଇଥିଲା। ସେତେବେଳେ ଏହାର ଗୋଟିଏ ଏପିସୋଡ୍ ନିର୍ମାଣ ପାଇଁ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା, ଯାହାକି ସେହି ସମୟ ପାଇଁ ଥିଲା ଏକ ବିରାଟ ରକମ। ଅର୍ଥାତ୍ ସମ୍ପୂର୍ଣ୍ଣ ଧାରାବାହିକର ମୋଟ ବଜେଟ୍ ଥିଲା ପ୍ରାୟ ୭ କୋଟି ଟଙ୍କା ।

ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ୭ କୋଟି ଟଙ୍କାରେ ନିର୍ମିତ ଏହି ସୋ’ ନିଜ ବଜେଟ୍ ଠାରୁ ପ୍ରାୟ ୪ ଗୁଣା ଅଧିକ ରୋଜଗାର କରିଥିଲା। ଦୂରଦର୍ଶନ ଗୋଟିଏ ଏପିସୋଡ୍ ପ୍ରସାରଣରୁ ବିଜ୍ଞାପନ ମାଧ୍ୟମରେ ପ୍ରାୟ ୪୦ ଲକ୍ଷ ଟଙ୍କା ରୋଜଗାର କରୁଥିଲା। ସମୁଦାୟ ୭୮ଟି ଏପିସୋଡ୍‌ରୁ ‘ରାମାୟଣ’ ସେତେବେଳେ ୩୧ କୋଟିରୁ ଅଧିକ ଟଙ୍କା ଆୟ କରି ଦୂରଦର୍ଶନର ଆର୍ଥିକ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା ।

ଦୂରଦର୍ଶନରେ ରବିବାର ସକାଳେ ଯେତେବେଳେ ଏହା ପ୍ରସାରିତ ହେଉଥିଲା, ସେତେବେଳେ ରାସ୍ତାଘାଟ ଶୂନ୍‌ଶାନ୍ ହୋଇଯାଉଥିଲା । ଲୋକେ ଟିଭି ସାମ୍ନାରେ ଅଗରବତୀ ଲଗାଇ ପୂଜାପାଠ କରୁଥିଲେ। ବିବିସିର ଏକ ତଥ୍ୟ ଅନୁଯାୟୀ, ବିଶ୍ୱର ପ୍ରାୟ ୫୫ଟି ଦେଶରେ ପ୍ରସାରିତ ହୋଇଥିବା ଏହି ଧାରାବାହିକକୁ ସେତେବେଳେ ୬୫ କୋଟିରୁ ଅଧିକ ଲୋକ ଦେଖିଥିଲେ। ଏଥିପାଇଁ ଟେଲିଭିଜନ ଇତିହାସରେ ସର୍ବାଧିକ ଦେଖାଯାଇଥିବା ଧାରାବାହିକ ଭାବେ ଏହା ‘ଲିମ୍‌କା ବୁକ୍ ଅଫ୍ ରେକର୍ଡସ’ରେ ମଧ୍ୟ ସ୍ଥାନ ପାଇଥିଲା ।

ଏହି ଧାରାବାହିକରେ ଭଗବାନ ଶ୍ରୀରାମ ଭୂମିକାରେ ଅରୁଣ ଗୋଭିଲ, ମାତା ସୀତା ଭୂମିକାରେ ଦୀପିକା ଚିଖଲିଆ ଏବଂ ହନୁମାନ ଭୂମିକାରେ ଦାରା ସିଂହ ଅଭିନୟ କରିଥିଲେ। କଳାକାରମାନଙ୍କୁ ସେତେବେଳେ ସାମାନ୍ୟ ପାରିଶ୍ରମିକ ମିଳୁଥିଲେ ମଧ୍ୟ ସେମାନଙ୍କର ନିଷ୍ଠା ଓ ସମର୍ପଣ ଏତେ ଗଭୀର ଥିଲା ଯେ, ଲୋକେ ସେମାନଙ୍କୁ ପ୍ରକୃତ ଦେବତା ମାନି ଶ୍ରଦ୍ଧା କରୁଥିଲେ ।

ଆଜି ଯେତେବେଳେ ଅତ୍ୟାଧୁନିକ ଭିଏଫଏକ୍ସ ଏବଂ ପ୍ରଚୁର ଅର୍ଥ ବ୍ୟୟ କରି ପୌରାଣିକ ସିନେମା ନିର୍ମାଣ କରାଯାଉଛି, ସେତେବେଳେ ୮୦ ଦଶକର ସୀମିତ ବଜେଟ୍‌ରେ ନିର୍ମିତ ‘ରାମାୟଣ’ ପ୍ରମାଣିତ କରେ ଯେ, ଏକ ସଶକ୍ତ କାହାଣୀ, ନିଚ୍ଛକ ଭାବନା ଏବଂ ଉତ୍ତମ ନିର୍ଦ୍ଦେଶନା ଆଗରେ ବୈଷୟିକ ଜ୍ଞାନକୌଶଳ ସବୁବେଳେ ଗୌଣ ହୋଇରହିବ ।

Leave A Reply

Your email address will not be published.