Latest Odisha News

BREAKING NEWS

ରାସନ କାର୍ଡରୁ ବାଦ୍‌ ପଡିଲେ ୯ ଲକ୍ଷ ଅଧିକ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର:ରାଜ୍ୟରେ ନୂତନ ରାସନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ୯ ଲକ୍ଷ ୮୧ ହଜାର ୬୬୧ ଜଣ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡରୁ ବାଦ ପଡ଼ିଛନ୍ତି। ଅବଶିଷ୍ଟ ୪ ଲକ୍ଷ ୮୭ ହଜାର ୬୩୪ ଟି ଆବେଦନ ପତ୍ରର କ୍ଷେତ୍ର ଯାଞ୍ଚ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି। ୭ ଲକ୍ଷ ୧୭ ହଜାର ୭୯୦ ପରିବାର ୧୪ ଲକ୍ଷ ୨୧ ହଜାର ୨୨୪ ସଦସ୍ୟଙ୍କୁ ନୂତନ ରାସନ କାର୍ଡ ମିଳିଛି। ବିଧାନସଭାରେ ଏ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ବ୍ୟୋମକେଶ ରାୟଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ମନ୍ତ୍ରୀ ଦର୍ଶାଇଛନ୍ତି, ସମଗ୍ର ରାଜ୍ୟରେ ନୂତନ ରାସନ କାର୍ଡ ପାଇଁ ମୋଟ ୨୧ ଲକ୍ଷ ୮୭ ହଜାର ୮୫ ଟି ଆବେଦନ ପତ୍ର ହସ୍ତଗତ ହୋଇଥିଲା।ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୯୯ ହଜାର ୪୫୧ ଟି ଆବେଦନର କ୍ଷେତ୍ର ତଦାରଖ/ଯାଞ୍ଚ ଶେଷ ହୋଇସାରିଛି।

ଗରିବଙ୍କ ଚାଉଳ ଉପରେ ଆଖି ପକାଉଥିବା ଅସାଧୁ ଡିଲର ଓ ବ୍ୟବସାୟୀଙ୍କୁ ନିସ୍ତାର ନାହିଁ ବୋଲି ମଧ୍ୟ ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଉତ୍ତର ରଖିଛନ୍ତି, ଗତ ୩ ବର୍ଷ ରେ ରାସନ ଚୋରି ଓ ଅନିୟମିତତା ନେଇ ୨୨୯ଟି ଅଭିଯୋଗ ଆସିଥିଲା। ୨୦୧ ଜଣ ଡିଲର/ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଲାଇସେନ୍ସ ବାତିଲ୍, ଜରିମାନା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସରକାରୀ ତଥ୍ୟ ଅନୁସାରେ, ରାସନ ହେରଫେର ମାମଲାରେ କଟକ ଜିଲ୍ଲାରୁ ସର୍ବାଧିକ ୪୦ଟି ଅଭିଯୋଗ ଆସିଥିବା ବେଳେ ଯାଜପୁରରୁ ୩୪ଟି ଅଭିଯୋଗ ସହ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି କେନ୍ଦ୍ରାପଡ଼ାରୁ ୩୨ଟି ଏବଂ ପୁରୀ ଜିଲ୍ଲାରୁ ୨୪ଟି ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ପ୍ରମାଣିତ ହେବା ପରେ ଦୋଷୀ ଡିଲରମାନଙ୍କ ଲାଇସେନ୍ସ ବାତିଲ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ ଏବଂ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅନ୍ୟପଟେ ଖାଉଟି ସାମଗ୍ରୀର କଳାବଜାରୀ ଓ ଗ୍ରାହକଙ୍କଠାରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ଆଦାୟ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୧୯ ଜଣ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଓ ୧୬୯ ଜଣ ଖିଲାପକାରୀ ବ୍ୟବସାୟୀଙ୍କଠାରୁ ମୋଟ ୧,୯୨,୬୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ୯ ଜଣ ଖିଲାପକାରୀ ବ୍ୟବସାୟୀଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ବେଳେ ୨୦୨୬-୨୭ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା କୌଣସି ନୂତନ ମାମଲା ରୁଜୁ ହୋଇନାହିଁ।

ରାସନ ବଣ୍ଟନରେ ସ୍ୱଚ୍ଛତା ଆଣିବା ଏବଂ କଳାବଜାରୀ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସରକାର ୧୦୦ ପ୍ରତିଶତ e-POS ମେସିନ୍, ଆଧାର ଭିତ୍ତିକ ବାୟୋମେଟ୍ରିକ ସିଷ୍ଟମ ଏବଂ ଇଲେକ୍ଟ୍ରୋନିକ ଓଜନ ଯନ୍ତ୍ରର ବ୍ୟବହାର ବାଧ୍ୟତାମୂଳକ କରିଛନ୍ତି।

ଏହାସହ ରାଜ୍ୟର ଦୁର୍ଗମ ଓ ଆଦିବାସୀ ବହୁଳ ଅଞ୍ଚଳରେ ହିତାଧିକାରୀଙ୍କ ଘରେ ଘରେ ରାସନ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.