Latest Odisha News

BREAKING NEWS

କାଜାଖସ୍ତାନରେ ଓଡ଼ିଆ ପାୱାରଲିଫ୍ଟରଙ୍କ କମାଲ: ଜିତିଲେ ୩ଟି ସ୍ୱର୍ଣ୍ଣ ପଦକ 

ଖୋର୍ଦ୍ଧା: ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ କଠିନ ପରିଶ୍ରମ ଆଗରେ ଆର୍ଥିକ ଅନାଟନ ବାଧକ ହୋଇପାରେ ନାହିଁ—ଏହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗ୍ରାମର କ୍ରୀଡ଼ାବିତ ବିଭୂତି ଭୂଷଣ ଭଞ୍ଜଦେଓ । କାଜାଖସ୍ତାନର କାରାଗାଣ୍ଡା ସହରରେ ଗତ ସେପ୍ଟେମ୍ବର ୧୮ ରୁ ୨୦ ପର‌୍ୟ୍ୟନ୍ତ ଆୟୋଜିତ ଏନ୍‌ବିଏ ୱାର୍ଲଡ୍ ପାୱାରଲିଫ୍ଟିଂ ଚାମ୍ପିଅନ୍‌ସିପ୍‌ରେ ବିଶ୍ୱସ୍ତରରେ ଭାରତ ଓ ଓଡ଼ିଶାର ନାମ ଉଜ୍ଜ୍ୱଳ କରିଛନ୍ତି  । ୧୫ରୁ ଅଧିକ ଦେଶର ୩୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ୮୨ କିଲୋଗ୍ରାମ ବର୍ଗରେ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ଓଡ଼ିଶାର ଏକମାତ୍ର ପ୍ରତିନିଧି ଭାବେ ସେ ଓଭରଅଲ୍ ପାୱାରଲିଫ୍ଟିଂରେ ୩୭୫ କିଲୋଗ୍ରାମ ଭାର ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।  ଏହା ସହିତ ବେଞ୍ଚ ପ୍ରେସ୍‌ରେ ୯୫ କିଲୋଗ୍ରାମ ଏବଂ ଷ୍ଟ୍ରିକ୍ଟ କର୍ଲରେ ୫୦ କିଲୋଗ୍ରାମ ଭାର ଉଠାଇ ଅନ୍ୟ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୧୮ ମସିହାରୁ କଟକରେ ପାୱାରଲିଫ୍ଟିଂ ଅଭ୍ୟାସ ଆରମ୍ଭ କରି ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ସେ ଏକାଧିକ ପଦକ ଜିତିସାରିଛନ୍ତି  । ୨୦୨୫ରେ ଟାଟାନଗରଠାରେ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିବା ପରେ ସେ ବିଶ୍ୱ ଚାମ୍ପିଅନ୍‌ସିପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଗତବର୍ଷ ପିତାଙ୍କ ବିୟୋଗ ଯୋଗୁଁ ସେ ରୁଷିଆ ଯାଇପାରି ନଥିଲେ ସୁଦ୍ଧା, ଏବର୍ଷ ସମସ୍ତ ପ୍ରତିବନ୍ଧକକୁ ଏଡ଼ାଇ କାଜାଖସ୍ତାନରେ ସଫଳତା ହାସଲ କରିଛନ୍ତି । ପାୱାରଲିଫ୍ଟିଂ ବ୍ୟତୀତ ସେ ଆର୍ମ ରେସଲିଂରେ ମଧ୍ୟ ବେଶ୍ ସଫଳ। ୨୦୨୬ରେ ବାଙ୍ଗାଲୋରଠାରେ ଆୟୋଜିତ ଜାତୀୟ ଆର୍ମ ରେସଲିଂରେ ସେ ରୌପ୍ୟ ଓ କାଂସ୍ୟ ପଦକ ଜିତି ଜାପାନରେ ହେବାକୁ ଥିବା ବିଶ୍ୱ ଚାମ୍ପିଅନ୍‌ସିପ୍ (ସେପ୍ଟେମ୍ବର ୨୨-୨୮) ପାଇଁ ମନୋନୀତ ହୋଇଥିଲେ । ମାତ୍ର ଆର୍ଥିକ ସଙ୍କଟ ଯୋଗୁଁ ସେ ଜାପାନ ଗସ୍ତରୁ ବଞ୍ଚିତ ହୋଇଛନ୍ତି ।  ଅନ୍ତର୍ଜାତୀୟ ସ୍ତରର ଗୋଟିଏ ପ୍ରତିଯୋଗିତାରେ ଭାଗନେବା ପାଇଁ ପ୍ରାୟ ୧ ରୁ ୧.୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ, ଯାହା ଜଣେ ନିମ୍ନ-ମଧ୍ୟବିତ୍ତ କ୍ରୀଡ଼ାବିତ୍‌ଙ୍କ ପାଇଁ ବହନ କରିବା କଷ୍ଟକର । ଏଣୁ ଆଗାମୀ ଦିନରେ ଓଡ଼ିଶା ଓ ଭାରତକୁ ବିଶ୍ୱ ସ୍ତରରେ ଗୌରବାନ୍ୱିତ କରିବା ପାଇଁ ରାଜ୍ୟ ସରକାର, ଶିଳ୍ପପତି ଓ ବଡ଼ ବଡ଼ କର୍ପୋରେଟ୍ ହାଉସ୍ ସହାୟତାର ହାତ ବଢ଼ାଇବାକୁ ସେ  ନିବେଦନ କରିଛନ୍ତି।

Leave A Reply

Your email address will not be published.