ଭୁବନେଶ୍ୱର: ନନ୍ଦନକାନରେ ସୁସ୍ଥ ହେଉଛନ୍ତି ୫ ଓରାଙ୍ଗଉଟାନ୍ ଶାବକ। ଓରାଙ୍ଗଉଟାନ୍ ଶାବକ ହିମୋଗ୍ଲୋବିନ ସ୍ତରରେ ଉନ୍ନତି ହେବା ନେଇ ମିଳିଛି ସୂଚନା। CBC ପରୀକ୍ଷା କରାଯାଇଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଦେଇଛନ୍ତି ସୂଚନା। ତେଣୁ କହିବାକୁ ଗଲେ ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ଥିବା ସମସ୍ତ ୫ ଓରାଂଉଟାନ୍ ସୁସ୍ଥ ହୋଇଛନ୍ତି।
ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାବେଳେ ଠିକ୍ ଭାବେ ଖିଆପିଆ କରୁଛନ୍ତି। ଏଥିସହ ସେମାନଙ୍କ ହାବଭାବରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିଛି। ଏଠାରେ କହିରଖୁଛୁ ଯେ ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲରୁ ଉଦ୍ଧାର କରାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କ୍ୱାରେଣ୍ଟାଇନ୍ରେ ରଖାଯାଇଥିବା ପାଞ୍ଚଟି ଶିଶୁ ଓରାଙ୍ଗଉଟାନ୍ଙ୍କ ମଧ୍ୟରୁ ୩ ଜଣଙ୍କୁ ରକ୍ତହୀନତା ଦେଖାଦେଇଥିଲା।
ତେବେ ବୈଷୟିକ କମିଟିର ପରାମର୍ଶ କ୍ରମେ ଉକ୍ତ ତିନୋଟି ଶିଶୁ ଓରାଙ୍ଗଉଟାନ୍ଙ୍କ ପାଇଁ ସହାୟକ ପୁଷ୍ଟିକର ଖାଦ୍ୟ ଓ ଔଷଧ ପ୍ରଦାନ କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ହେମୋଗ୍ଲୋବିନ୍ ସ୍ତର ବଢ଼ାଇବା ପାଇଁ ୩ ଶିଶୁଙ୍କୁ ନିୟମିତ ଭାବେ ଗାଜର, ବିନ୍ସ ଓ କନ୍ଦମୂଳ ସିଝାଇ ଗ୍ରାଇଣ୍ଡିଂ କରି ଖାଇବାକୁ ଦିଆଯାଉଥିଲା । ଏଥିସହ ଇରିଥ୍ରୋପୋଏଟିନ୍ ଇଞ୍ଜେକ୍ସନ୍ ମଧ୍ୟ ଦିଆଯାଉଥିଲା । ଦୁଇ ଦିନ ତଳେ ରକ୍ତହୀନତାରେ ଆକ୍ରାନ୍ତ ୨ ଶିଶୁ ସୁସ୍ଥ ହୋଇଥିବା ବେଳେ ଏବେ ତୃତୀୟ ଓରାଂଉଟାନ୍ ଶିଶୁ ମଧ୍ୟ ସୁସ୍ଥ ହୋଇଛି । ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଏବେ ସମସ୍ତ ୫ ଓରାଂଉଟାନ୍ ସୁସ୍ଥ ଅଛନ୍ତି ।

