ନୂଆଦିଲ୍ଲୀ: ନ୍ୟୁୟର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଆତଙ୍କବାଦ ପ୍ରସଙ୍ଗରେ ସିଧା ପ୍ରଶ୍ନ। ହେଲେ ପ୍ରଶ୍ନ ଶୁଣିଲେ, ଜବାବ ଦେଲେନି। ଜାତିସଂଘ ମୁଖ୍ୟାଳୟକୁ ଯିବା ବେଳେ ଏବଂ ବାହାରିବା ବେଳେ, ଦୁଇ ଦୁଇଥର ଶେହବାଜଙ୍କୁ ସାମ୍ବାଦିକମାନେ ଆତଙ୍କବାଦ ଓ ହାଫିଜ ସଇଦଙ୍କୁ ନେଇ ପ୍ରଶ୍ନ କରିଥିଲେ। ହେଲେ ଦୁଇଥର ଯାକ ଶେହବାଜ କୌଣସି ଉତ୍ତର ନଦେଇ ଆଗକୁ ବଢ଼ିଯାଇଥିଲେ।
ଘଟଣାଟି ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦର ୮୧ତମ ଅଧିବେଶନ ସମୟରେ ଦେଖିବାକୁ ମିଳିଥିଲା। ଶେହବାଜ ଶରିଫ ଜାତିସଂଘ ମୁଖ୍ୟାଳୟକୁ ପ୍ରବେଶ କରୁଥିବା ସମୟରେ ANIର ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ, “ପ୍ରଧାନମନ୍ତ୍ରୀ, ଆପଣ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା କେବେ ବନ୍ଦ କରିବେ?” ପ୍ରଶ୍ନଟି ସିଧାସଳଖ ପାକିସ୍ତାନର ଆତଙ୍କବାଦ ନୀତିକୁ ନେଇ ଥିଲା। କିନ୍ତୁ ଶେହବାଜ ଏହାର କୌଣସି ଜବାବ ନଦେଇ UN ମୁଖ୍ୟାଳୟ ଭିତରକୁ ଚାଲିଯାଇଥିଲେ।
କିଛି ସମୟ ପରେ ଯେତେବେଳେ ଶେହବାଜ UN ମୁଖ୍ୟାଳୟରୁ ବାହାରୁଥିଲେ, ସେତେବେଳେ ପୁଣି ତାଙ୍କୁ ଘେରିଥିଲେ ସାମ୍ବାଦିକ। ଏଥର ପ୍ରଶ୍ନ ଆହୁରି ସ୍ପଷ୍ଟ ଥିଲା, “ଲଶ୍କର-ଏ-ତୋଏବା ମୁଖ୍ୟ ହାଫିଜ ସଇଦ ବିରୋଧରେ ଆପଣ କେବେ ଆକ୍ସନ୍ ନେବେ?” କିନ୍ତୁ ଏହି ପ୍ରଶ୍ନର ମଧ୍ୟ ଉତ୍ତର ଦେଲେନି ପାକିସ୍ତାନ ପ୍ରଧାନମନ୍ତ୍ରୀ। ସାମ୍ବାଦିକଙ୍କ ପ୍ରଶ୍ନକୁ ଅଣଦେଖା କରି ସେ ସେଠାରୁ ଚାଲିଯାଇଥିଲେ। ଏହି ଘଟଣାର ଭିଡିଓ ଏବେ ଚର୍ଚ୍ଚାରେ ରହିଛି।
ତେବେ ବିଶ୍ବ ଆଗରେ ଭଲେଇ ହେଉଥିବା ପାକିସ୍ତାନର ଆତଙ୍କୀଙ୍କ ସହିତ ସଂପର୍କ ପୁରୁଣା । ପାକିସ୍ତାନର ଅନେକ ବଡ ବଡ ନେତା ଏବଂ ମନ୍ତ୍ରୀଙ୍କ ବସିବା ଉଠିବା ଆତଙ୍କୀଙ୍କ ସହ । ଏନେଇ ଅନେକ ଭିଡିଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତଥାପି ବିଶ୍ବ ଆଗରେ ଆତଙ୍କବାଦକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦି ଆସୁଛି ପାକିସ୍ତାନ । ଏହାରି ମଧ୍ୟରେ ପୁଣି ଥରେ ପାକିସ୍ତାନର ଏହି ଚାଲବାଜି ମୁଖା ଖୋଲିବାକୁ ସାମ୍ବାଦିକ ଚେଷ୍ଟା କରିଥିବା ବେଳେ ମୁହଁ ଫେରାଇ ପଳାଇ ଯାଇଛନ୍ତି ପ୍ରଧାନମନ୍ତ୍ରୀ ।
ତେବେ କିଏ ଏହି ହାଫିଜ ସଇଦ? କାହିଁକି ତାଙ୍କୁ ଖୋଜୁଛି ଭାରତ? ହାଫିଜ ମହମ୍ମଦ ସଇଦ ହେଉଛି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ପ୍ରତିଷ୍ଠାତା। ଭାରତ ତାକୁ ଅନଲ’ଫୁଲ୍ ଆକ୍ଟିଭିଟି(ପ୍ରିଭେନସନ୍) ଆକ୍ଟ, ୧୯୬୭ ଅଧୀନରେ ଆତଙ୍କବାଦୀ ଭାବେ ଘୋଷଣା କରିଛି। ୨୦୦୮ ମସିହାର ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର ମାମଲାରେ ମଧ୍ୟ ହାଫିଜ ସଇଦ ନାଁ ଅଭିଯୁକ୍ତ ଭାବେ ରହିଛି। NIAର ରେକର୍ଡ ଅନୁସାରେ, ଏହି ମାମଲାରେ ତା ବିରୋଧରେ ଅଜାମିନଯୋଗ୍ୟ ଗିରଫ ପରୱାନା ଜାରି ହୋଇଥିବା କୁହାଯାଇଛି। ୨୦୨୫ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ମଧ୍ୟ ହାଫିଜ ସଇଦ ନାଁ ପୁଣି ଚର୍ଚ୍ଚାକୁ ଆସିଥିଲା। ଏହି ମାମଲାରେ NIA ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ରେ ହାଫିଜ ସଇଦକୁ ଅଭିଯୁକ୍ତ କରାଯାଇଛି। NIAର ଅଭିଯୋଗ ଅନୁସାରେ, ପାକିସ୍ତାନରେ ଥିବା ନିଷିଦ୍ଧ ଲଶ୍କର-ଏ-ତୋଏବା ସହ ଜଡ଼ିତ ଲୋକଙ୍କ ଭୂମିକା ଏହି ଷଡଯନ୍ତ୍ରରେ ଥିଲା। ତେବେ ଅନେକ ରିପୋର୍ଟରେ ହାଫିଜ୍ ସଇଦ୍ ପାକିସ୍ତାନରେ ଲୁଚି ବସିଥିବା ଦାବି କରାଯାଇଛି । ଅପରେସନ୍ ସିନ୍ଦୂରରେ ହାଫିଜ୍ ସଇଦର ପୂରା ପରିବାରକୁ ଭାରତ ମାଟିରେ ମିଶାଇଥିବା ବେଳେ ଏବେ ତାକୁ ଧରିବାକୁ ସବୁ କସରତ ଚଳାଇଛି । ହେଲେ ପାକିସ୍ତାନ ଛତ୍ରଛାୟା ତଳେ ଅପରେସନ୍ ସିନ୍ଦୂରରେ ଛାରଖାର ହୋଇଥିବା ତାର ଆତଙ୍କୀଗଡକୁ ପୁଣି ସଜାଡୁଛି ହାଫିଜ୍ । ଏନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ଶେହବାଜଙ୍କୁ ପଚରାଯାଇଥିବା “ହାଫିଜ ସଇଦଙ୍କ ବିରୋଧରେ କେବେ ମାମଲା ଚାଲିବ?” ପ୍ରଶ୍ନଟି ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି।
ସେପଟେ ଶେହବାଜଙ୍କୁ ହାଫିଜ ସଇଦଙ୍କୁ ନେଇ ପ୍ରଶ୍ନ କରାଯିବାର ଗୋଟିଏ ଦିନ ପୂର୍ବରୁ ଜାତିସଂଘରେ ଭାରତ ପାକିସ୍ତାନକୁ ନେଇ କଡ଼ା ମନ୍ତବ୍ୟ ଦେଇଥିଲା। UN ହ୍ୟୁମାନ୍ ରାଇଟ୍ସ କାଉନସିଲରେ ଭାରତ ନିଜ ଅଧିକାରରେ ଉତ୍ତର ରଖି ପାକିସ୍ତାନକୁ ନିଜ ଦେଶର ଆର୍ଥିକ ଓ ବିକାଶ ସମସ୍ୟା ଉପରେ ଧ୍ୟାନ ଦେବାକୁ କହିଥିଲା। ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ଅଭିଯୋଗ ଆଣିବା ସହ ପାକିସ୍ତାନ ଅନ୍ୟ ଦେଶର ଅଞ୍ଚଳ ଉପରେ ଦାବି କରିବା ପରିବର୍ତ୍ତେ ନିଜ ଲୋକଙ୍କ ବିକାଶ ଉପରେ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ। ଏହା ସହ ପାକିସ୍ତାନ ଅଧିକୃତ କାଶ୍ମୀରରେ ନାଗରିକ ମୃତ୍ୟୁ, ଗିରଫ ଏବଂ ଜରୁରୀ ସାମଗ୍ରୀ ସମ୍ପର୍କିତ ରିପୋର୍ଟକୁ ନେଇ ମଧ୍ୟ ଭାରତ ପ୍ରଶ୍ନ ଉଠାଇଥିଲା।

