ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ: ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ଟ୍ରେନ୍ରେ ଲାଗିବ ଅତିରିକ୍ତ ବଗି
ଭୁବନେଶ୍ୱର: ପାର୍ବଣ ଋତୁ ଆସିଲେଣି, ଆଉ ଏଥିସହିତ ଆରମ୍ଭ ହୋଇଗଲାଣି ଘରକୁ ଫେରିବାର ପ୍ରସ୍ତୁତି । ଦଶହରା, ଦୀପାବଳି ଓ ଛଠ୍ ପୂଜା ଭଳି ବଡ଼ ପର୍ବ ପାଖେଇ ଆସୁଥିବାରୁ ଏବେଠାରୁ ଟ୍ରେନ୍ଗୁଡ଼ିକରେ ଲମ୍ବା ୱେଟିଂ ଲିଷ୍ଟ ଦେଖିବାକୁ ମିଳିଲାଣି । ଟିକେଟ୍ ନପାଇ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଥିବା ବେଳେ, ପୂର୍ବତଟ ରେଳପଥ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି ।
ଆଗାମୀ ଅକ୍ଟୋବର ଏବଂ ନଭେମ୍ବର ମାସରେ ସମ୍ଭାବ୍ୟ ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରିବା ତଥା ଯାତ୍ରାକୁ ଅଧିକ ଆରାମଦାୟକ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର, ପୁରୀ ଏବଂ ସମ୍ବଲପୁର ଭଳି ପ୍ରମୁଖ ଷ୍ଟେସନରୁ ଛାଡ଼ୁଥିବା ଏକାଧିକ ଟ୍ରେନ୍ରେ ଅତିରିକ୍ତ ବଗି ବା କୋଚ୍ ସଂଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ରେଳବାଇ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ଅସ୍ଥାୟୀ ସମ୍ପ୍ରସାରଣରେ ଥାର୍ଡ-ଏସି , ଏସି ଚେୟାର କାର୍, ସ୍ଲିପର୍ ଏବଂ ସାଧାରଣ ବଗି ସାମିଲ କରାଯିବ । ଦୂରଗାମୀ ଯାତ୍ରୀଙ୍କ ସୁବିଧା ପାଇଁ ବିଶେଷ କରି ଦକ୍ଷିଣ ଭାରତ ଏବଂ ଉତ୍ତର ଭାରତକୁ ସଂଯୋଗ କରୁଥିବା ଟ୍ରେନ୍ଗୁଡ଼ିକୁ ଗୁରୁତ୍ୱ ଦିଆଯାଇଛି ।
ଅକ୍ଟୋବର ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର–କେଏସଆର୍ ବେଙ୍ଗାଲୁରୁ ଏକ୍ସପ୍ରେସ୍ (୧୮୪୬୩) ଏବଂ ଅକ୍ଟୋବର ୨ ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଫେରନ୍ତା କେଏସଆର୍ ବେଙ୍ଗାଲୁରୁ–ଭୁବନେଶ୍ୱର ଏକ୍ସପ୍ରେସ୍ (୧୮୪୬୪) ରେ ଗୋଟିଏ ଲେଖାଏଁ ଅତିରିକ୍ତ ଥାର୍ଡ-ଏସି କୋଚ୍ ଯୋଡ଼ାଯିବ। ସେହିପରି ରାଜଧାନୀ ଦିଲ୍ଲୀ ଯାଉଥିବା ଭୁବନେଶ୍ୱର–ଆନନ୍ଦ ବିହାର ଟର୍ମିନାଲ୍ ଏକ୍ସପ୍ରେସ୍ (୧୨୮୧୯) ରେ ଅକ୍ଟୋବର ୩ ରୁ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଫେରନ୍ତା ଟ୍ରେନ୍ (୧୨୮୨୦) ରେ ଅକ୍ଟୋବର ୬ ରୁ ନଭେମ୍ବର ୩ ଯାଏଁ ଏକ ଅତିରିକ୍ତ ଥାର୍ଡ-ଏସି ବଗି ଉପଲବ୍ଧ ହେବ। ଏହାବ୍ୟତୀତ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର (୨୨୮୭୯/୨୨୮୮୦) ଏବଂ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍ରେ ମଧ୍ୟ ଅଧିକ ଥାର୍ଡ ଏସି କୋଚ୍ ଲାଗିବ ବୋଲି ସୂଚନା ଦିଆଯାଇଛି ।
ରାଜ୍ୟ ଭିତରେ ତଥା ନିକଟବର୍ତ୍ତୀ ଅଞ୍ଚଳକୁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ମଧ୍ୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ସୁବିଧା କରାଯାଇଛି। ସମ୍ବଲପୁର–ରାୟଗଡ଼ା, ରାୟଗଡ଼ା–ସମ୍ବଲପୁର, ପୁରୀ–ଗୁଣୁପୁର ଏବଂ ଗୁଣୁପୁର–ପୁରୀ ଟ୍ରେନ୍ରେ ଯାତ୍ରୀମାନେ ଅତିରିକ୍ତ ଏସି ଚେୟାର କାର୍ର ସୁବିଧା ପାଇବେ । ଅନ୍ୟପଟେ ହାୱଡ଼ା ଆଡ଼କୁ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ସମ୍ବଲପୁର–ଶାଲିମାର ଏବଂ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ୍ରେ ଗୋଟିଏ ଲେଖାଏଁ ଅତିରିକ୍ତ ସ୍ଲିପର୍ କୋଚ୍ ସଂଯୋଗ ହେବ। ସାଧାରଣ ବର୍ଗର ଯାତ୍ରୀମାନଙ୍କ ପାଇଁ ଭୁବନେଶ୍ୱର–ପୁରୁଣାକଟକ ଏବଂ ପୁରୁଣାକଟକ–ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ଟ୍ରେନ୍ରେ ସର୍ବାଧିକ ଦୁଇଟି ଲେଖାଏଁ ଅଣସଂରକ୍ଷିତ ବା ଜେନେରାଲ୍ ବଗି ବଢ଼ାଇବାକୁ ଘୋଷଣା ହୋଇଛି ।

