Ganja In Fish Boxes : ୟୁପିର ଜଣେ ଜଜ୍ଙ୍କ ଠିକଣା ଥିବା ମାଛ ପେଟିରୁ ୪୦୦ କିଲୋଗ୍ରାମ ଗଞ୍ଜେଇ ଜବତ,କଳାହାଣ୍ଡିରୁ ଜବତ…
ଭବାନୀପାଟଣା: ମାଛ ପେଟି ଭିତରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଛି । ଭବାନୀପାଟଣାର ଏକ କୋରିଅର ଅଫିସରୁ ଆନୁମାନିକ ୪୦୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ମାଛ ପେଟି ଭିତରେ ଅଭିନବ ଉପାୟରେ ଗଞ୍ଜେଇ ଭର୍ତ୍ତି କରି ଉତ୍ତର ପ୍ରଦେଶକୁ ପଠାଯାଉଥିବା ଜଣାପଡ଼ିଛି । ସବୁଠାରୁ ଚର୍ଚ୍ଚାର ବିଷୟ ହେଲା ଯେଉଁ ଠିକଣାକୁ ଏହି ପାର୍ସଲ୍ ପଠାଯାଉଥିଲା, ସେଠାରେ ଉତ୍ତର ପ୍ରଦେଶର ବୁଲନ୍ଦସହର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ଙ୍କ ଠିକଣା ରହିଥିବା ଜଣାପଡ଼ିଛି ।
ସୂଚନାମୁତାବକ,କଳାହାଣ୍ଡି ଜିଲ୍ଲାରୁ ୟୁପିର ବୁଲନ୍ଦସହରକୁ ଯାଉଥିଲା ଗଞ୍ଜେଇ । ମାଛ ଚାଲାଣରେ ବ୍ୟବହୃତ ହେଉଥିବା ସ୍ବତନ୍ତ୍ର ଇନସ୍ୟୁଲେଟେଟ୍ ଡବାରେ ଅତି ସତର୍କତାର ସହ ପ୍ୟାକିଂ କରି ପଠାଯାଉଥିଲା । ଆଉ ଏହାକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଅନଲାଇନ୍ କୋରିଅର୍ ସଂସ୍ଥା ‘ସେଫ୍ଏକ୍ସପ୍ରେସ୍’ରେ ଉତ୍ତରପ୍ରଦେଶକୁ ବୁକ୍ କରାଯାଇଥିଲା। କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଳାହାଣ୍ଡି ଅବକାରୀ ପୋଲିସ ଏହି ରାକେଟର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି । ୩୨ଟି ପ୍ୟାକେଟରୁ ୪ କ୍ବିଣ୍ଟାଲ୍ ନୀଳଜହର ଜବତ ହୋଇଛି । ସେପଟେ କୋରିଅର୍ ଓ ଲଜିଷ୍ଟିକ୍ସ ନେଟୱର୍କ ସଂସ୍ଥା ଏନେଇ କିଛି ଜାଣିନଥିବା ସଫେଇ ଦେଇଛି ।
ତେବେ କାହିଁକି ବୁଲନ୍ଦ ସହର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ଙ୍କ ଠିକଣାକୁ ଡେଲିଭରୀ ଠିକଣା ଭାବେ ବ୍ୟବହାର କରାଯାଇଥିଲା ? ଏସବୁ ଦିଗରେ ତଦନ୍ତ ଜାରି ରହିଛି । ଅବକାରୀ ବିଭାଗର ତଦନ୍ତ ପରେ ଘଟଣା ପଛର ପୂରା ରହସ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
ଏନେଇ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଅବକାରୀ ଆରକ୍ଷୀ ଅଧୀକ୍ଷକ ସାଗରିକା ପ୍ରଧାନ କହିଛନ୍ତି,” ଆମକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ, ଭବାନୀପାଟଣାରେ ଥିବା ସେଫ୍ ଏକ୍ସପ୍ରେସ୍ କୋରିଅର୍ ସର୍ଭିସ୍ ମାଧ୍ୟମରେ ଗଞ୍ଜେଇ ବହୁତ ପରିମାଣରେ ଟ୍ରାନ୍ସପୋର୍ଟେସନ ହେବାର ଅଛି । ଏହାପରେ ଆମେ ଉକ୍ତ କୋରିଅରର ଗୋଦାମ୍ ଖୋଲି ଯାଞ୍ଚ କରିବା ସମୟରେ ପେଟି ଭିତରେ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ଏହି ଘଟଣାକୁ ନେଇ ଆମର ତଦନ୍ତ ଚାଲିଛି । ପୂର୍ବରୁ ବି ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଆମେ ନିଶ୍ଚିତ ଏହାର ମାଷ୍ଟର୍ ମାଇଣ୍ଡକୁ ଗିରଫ କରିବୁ ।

