ମୁମ୍ବାଇ: ବଲିଉଡର ବହୁପ୍ରତୀକ୍ଷିତ ତଥା ମେଗା ବଜେଟ୍ ଫିଲ୍ମ ‘ରାମାୟଣ: ପାର୍ଟ-୧’ର ଅଫିସିଆଲ୍ ପୋଷ୍ଟର ଶେଷରେ ରିଲିଜ୍ ହୋଇଛି । ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଏହି ପୌରାଣିକ ମେଗା ପ୍ରୋଜେକ୍ଟକୁ ନେଇ ଦୀର୍ଘ ଦିନ ଧରି ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିବା ବେଳେ, ଶନିବାର ଦିନ ନିର୍ମାତାଙ୍କ ପକ୍ଷରୁ ଏହାର ଦୁଇଟି ନୂଆ ପୋଷ୍ଟର ଜାରି କରାଯାଇଛି।
ରିଲିଜ୍ ହୋଇଥିବା ପ୍ରଥମ ପୋଷ୍ଟରରେ ବଲିଉଡ ଷ୍ଟାର୍ ରଣବୀର କପୁର, ସାଉଥ୍ ଅଭିନେତ୍ରୀ ସାଇ ପଲ୍ଲବୀ ଏବଂ ଟିଭି ଅଭିନେତା ରବି ଦୁବେ ନଜର ଆସିଛନ୍ତି । ଏଥିରେ ରଣବୀର ପ୍ରଭୁ ଶ୍ରୀରାମ, ସାଇ ପଲ୍ଲବୀ ମାତା ସୀତା ଏବଂ ରବି ଦୁବେ ଲକ୍ଷ୍ମଣ ଭୂମିକାରେ ବନବାସ ବେଶରେ ଖୁବ୍ ଶାନ୍ତ ଏବଂ ଦିବ୍ୟ ଲାଗୁଛନ୍ତି । ଅନ୍ୟପକ୍ଷରେ ଦ୍ୱିତୀୟ ପୋଷ୍ଟରଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି, ଯେଉଁଥିରେ ‘କେଜିଏଫ୍’ ଫେମ୍ ସୁପରଷ୍ଟାର୍ ୟଶ୍ ଲଙ୍କାପତି ରାବଣ ଭୂମିକାରେ ଖୁବ୍ ଭୟଙ୍କର ତଥା ଶକ୍ତିଶାଳୀ ଅବତାରରେ ନଜର ଆସିଛନ୍ତି ।
ଏହି ମେଗା ପ୍ରୋଜେକ୍ଟର ପ୍ରଯୋଜନା ଭାର ନମିତ ମାଲହୋତ୍ରା (ପ୍ରାଇମ୍ ଫୋକସ୍ ଷ୍ଟୁଡିଓ) ଏବଂ ୟଶଙ୍କ ‘ମନଷ୍ଟର ମାଇଣ୍ଡ କ୍ରିଏସନ୍ସ’ ମିଳିତ ଭାବେ ତୁଲାଉଛନ୍ତି । ଏହି ଚଳଚ୍ଚିତ୍ରକୁ ଦୁଇଟି ଭାଗରେ ନିର୍ମାଣ କରାଯାଉଛି ।
ସୂଚନା ଅନୁଯାୟୀ, ‘ରାମାୟଣ: ପାର୍ଟ-୧’ ଆସନ୍ତା ୨୦୨୬ ମସିହା ଦିୱାଲୀ ଅବସରରେ (ନଭେମ୍ବର ୬ ତାରିଖରେ) ବିଶ୍ୱବ୍ୟାପୀ ରିଲିଜ୍ ହେବ। ଦର୍ଶକଙ୍କୁ ଏକ ସ୍ୱତନ୍ତ୍ର ସିନେମାଟିକ୍ ଅନୁଭୂତି ଦେବା ପାଇଁ ଏହାକୁ ଆଇମ୍ୟାକ୍ସ (IMAX) ଫର୍ମାଟରେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ୍ ଆଦି ୫ଟି ଭାଷାରେ ରିଲିଜ୍ କରାଯିବ। ସେହିପରି ଏହାର ଦ୍ୱିତୀୟ ଭାଗ ୨୦୨୭ ଦିୱାଲୀରେ ପରଦାକୁ ଆସିବାର ଯୋଜନା ରହିଛି ।
ପୋଷ୍ଟର ରିଲିଜ୍ ହେବା ମାତ୍ରେ ସୋସିଆଲ୍ ମିଡିଆରେ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି । ଷ୍ଟାରକାଷ୍ଟଙ୍କ ଲୁକ୍ ଏବଂ ପୋଷ୍ଟରର ଭିଜୁଆଲକୁ ନେଟିଜେନ୍ସ ଖୁବ୍ ପସନ୍ଦ କରୁଛନ୍ତି । ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ଫ୍ୟାନ୍ସମାନେ ପ୍ରତିକ୍ରିୟା ଦେଇ କହୁଛନ୍ତି ଯେ ଏହି ଫିଲ୍ମ ଭାରତୀୟ ସିନେମା ଜଗତରେ ଏକ ନୂଆ ଇତିହାସ ରଚିବ । ଏପରିକି କିଛି ୟୁଜର୍ସ ଦାବି କରିଛନ୍ତି ଯେ ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ଏହି ଫିଲ୍ମ ୪୦୦ କୋଟି ଟଙ୍କାରୁ ଅଧିକ ବକ୍ସ ଅଫିସ୍ କଲେକ୍ସନ କରିବ । ଅତ୍ୟାଧୁନିକ ଭିଏଫଏକ୍ସ ଏବଂ ଦମଦାର ଷ୍ଟାରକାଷ୍ଟ ସହ ତିଆରି ହେଉଥିବା ଏହି ଫିଲ୍ମକୁ ନେଇ ଏବେ ସାରା ଦେଶରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି ।

