Latest Odisha News

BREAKING NEWS

ଦିଲ୍ଲୀରେ ଖରାପ ରାସ୍ତାକୁ ନେଇ ବବାଲ: ଭିଡିଓ କରୁଥିବା ଯୁବକଙ୍କୁ ଥାପ୍ପଡ଼ ମାରିଲେ ମନ୍ତ୍ରୀ ପ୍ରବେଶ ବର୍ମା

ନୂଆଦିଲ୍ଲୀ: ଦିଲ୍ଲୀ ରାଜନୀତିରେ ପୁଣି ଥରେ ଉଷ୍ମତା ଦେଖାଦେଇଛି । ଦିଲ୍ଲୀ ସରକାରଙ୍କ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରବେଶ ସାହିବ ସିଂହ ବର୍ମା ରବିବାର ଦିନ ରାସ୍ତା ଯାଞ୍ଚ କରିବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ ଖୋଲାଖୋଲି ଭାବେ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯାହା ପରେ ଆମ୍ ଆଦମୀ ପାର୍ଟି ଏବଂ ଶାସକ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିନ ମନ୍ତ୍ରୀ ପ୍ରବେଶ ବର୍ମା ତିଲକ ନଗର ଅଞ୍ଚଳରେ ଥିବା ବିକାଶପୁରୀ ରିଙ୍ଗ୍ ରୋଡ୍ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବାକୁ ପହଞ୍ଚିଥିଲେ । ସେହି ସମୟରେ ସ୍ଥାନୀୟ ଆପ୍ ବିଧାୟକ ଜର୍ଣ୍ଣୈଲ ସିଂହ ମଧ୍ୟ ଉପସ୍ଥିତ ଥିଲେ । ରାସ୍ତା ନିର୍ମାଣରେ ନିମ୍ନମାନର କାମ ଏବଂ ଅନିୟମିତତା ନେଇ ଉଭୟ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ସାହେବ ନାମକ ଜଣେ ଯୁବକ ( ଆପ୍ ବିଧାୟକଙ୍କ ସୋସିଆଲ୍ ମିଡିଆ ପରିଚାଳକ) ଖରାପ ରାସ୍ତାର ଅବସ୍ଥା ଦେଖାଇବା ପାଇଁ ନିଜ ମୋବାଇଲ୍ ଫୋନ୍‌ରେ ଭିଡିଓ ରେକର୍ଡ କରୁଥିଲେ । ନିଜ ବିରୋଧରେ ଭିଡିଓ ରେକର୍ଡିଂ ହେଉଥିବା ଦେଖି ମନ୍ତ୍ରୀ ହଠାତ୍ ରାଗି ଯାଇଥିଲେ ଏବଂ ଯୁବକଙ୍କ ହାତରୁ ଫୋନ୍ ଟାଣି ଆଣିବା ସହ ତାଙ୍କୁ ସର୍ବସମ୍ମୁଖରେ ଏକ ଜୋରଦାର ଚାପୁଡ଼ା ମାରିଥିଲେ ।

ଏହି ଘଟଣାକୁ ନେଇ ଆମ୍ ଆଦମୀ ପାର୍ଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘଟଣାକୁ ନିନ୍ଦା କରିବା ସହ ମନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ସେହିପରି ଆପ୍ ନେତା ସୌରଭ ଭାରଦ୍ୱାଜ ମନ୍ତ୍ରୀଙ୍କୁ କାପୁରୁଷ ଆଖ୍ୟା ଦେଇ କହିଛନ୍ତି ଯେ, ସତ କଥା ସାମ୍ନାକୁ ଆସିବାରୁ ସେ ପୋଲିସ ସୁରକ୍ଷା ବଳୟରେ ଥାଇ ଗୁଣ୍ଡାଗର୍ଦ୍ଦି ଉପରକୁ ଓହ୍ଲାଇ ଆସିଛନ୍ତି । ପୀଡ଼ିତ ଯୁବକଙ୍କ କହିବା ଅନୁଯାୟୀ, ରାସ୍ତାର ଦୁର୍ନୀତି ଧରିବାରୁ ମନ୍ତ୍ରୀ ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିକାଶପୁରୀ ଥାନାରେ ଏକ ଏଫଆଇଆର୍ ମଧ୍ୟ ରୁଜୁ କରାଯାଇଛି ।

ଅନ୍ୟପକ୍ଷରେ ମନ୍ତ୍ରୀ ପ୍ରବେଶ ବର୍ମା ନିଜ ଆଡ଼ୁ ସ୍ପଷ୍ଟୀକରଣ ରଖି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ସେଠାରେ ୧୫ ବର୍ଷ ପରେ ରାସ୍ତା ନିର୍ମାଣ ହେଉଥିବା ବେଳେ ଆପ୍ ବିଧାୟକ ଠିକାଦାରଙ୍କୁ କମିଶନ ମାଗିବା ପାଇଁ ସେଠାରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଆପ୍ କର୍ମୀମାନେ ତାଙ୍କ ପରିବାର ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ କରିବାରୁ ସେ ରାଗିଯାଇ ତତ୍କାଳିନ ପ୍ରତିକ୍ରିୟା ଦେଇଥିଲେ । ବର୍ତ୍ତମାନ ଦିଲ୍ଲୀରେ ରେଖା ଗୁପ୍ତାଙ୍କ ନେତୃତ୍ୱାଧୀନ ବିଜେପି ସରକାର ଓ ବିରୋଧୀ ଆମ୍ ଆଦମୀ ପାର୍ଟି ମଧ୍ୟରେ ଏହି ଘଟଣାକୁ ନେଇ ରାଜନୈତିକ ବାତାବରଣ ସମ୍ପୂର୍ଣ୍ଣ ସରଗରମ ।

Leave A Reply

Your email address will not be published.