Latest Odisha News

BREAKING NEWS

MMDR ବିଲ୍‌କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ

ଭୁବନେଶ୍ୱର:MMDR (Mines and Minerals Development and Regulation) ସଂଶୋଧନ ବିଲ୍‌କୁ ନେଇ ଓଡ଼ିଶାରେ ରାଜନୈତିକ ତଥା କ୍ଷେତ୍ରୀୟ ସ୍ତରରେ ବ୍ୟାପକ ବିରୋଧ ଏବଂ ଅସନ୍ତୋଷ ଦେଖାଦେଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବିଲ୍‌କୁ ଦୃଢ଼ ବିରୋଧ କରି କହିଛନ୍ତି ଯେ, ଏହା ଓଡ଼ିଶାର ଅଧିକାରକୁ ଛଡ଼ାଇ ନେଉଛି ଏବଂ ଏହି ବିଲ୍‌କୁ ପ୍ରତ୍ୟାହାର କରାଯାଉ। ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ବିଧାନସଭାରେ ମଧ୍ୟ ଏହାକୁ ନେଇ ଆକ୍ଷେପ ଓ ପ୍ରତିଆକ୍ଷେପ କରାଯାଇଛି।

ସେପଟେ MMDR ବିଲ୍‌କୁ ନେଇ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଲେ, MMDR ସଂଶୋଧନ ବିଲ୍‌କୁ ଠିକ୍‌ରେ ପଢ଼ନ୍ତୁ ବିରୋଧୀ। ବିଜେପି ସାଂସଦ ବିଲ୍‌କୁ ଠିକ୍‌ରେ ପଢ଼ିଥିବାରୁ ବିରୋଧ କଲେନି। ଗତ ୨୪ ବର୍ଷ ଭିତରେ ୧ ଲକ୍ଷ ୨୦ ହଜାର କୋଟି କ୍ଷତି ସହିଛି ଓଡ଼ିଶା। ଏଥିପାଇଁ ବିଜେଡି ସମ୍ପୂର୍ଣ୍ଣ ଦାୟୀ; ଶାହା କମିଶନ ସବୁ ତଥ୍ୟ ଦେଇଛନ୍ତି। ବିଜେଡି ନେତା MMDR ସଂଶୋଧନ ବିଲ୍‌କୁ ଠିକରେ ପଢ଼ିନାହାନ୍ତି। ଖଣି କ୍ଷେତ୍ରରେ ସମାନତା ଆଣିବା ପାଇଁ ଏହି ବିଲ୍ ଅଣାଯାଇଛି ବୋଲି କହିଲେ ସାଂସଦ ଅପରାଜିତା।

ସେହିପରି ବିଜେପି ସାଂସଦ ସମ୍ବିତ ପାତ୍ର ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ସଂଶୋଧିତ MMDR ଆଇନ ଯୋଗୁଁ ସ୍ୱଚ୍ଛତା ଆସିବ। ଓଡ଼ିଶା ସବୁଠୁ ଅଧିକ ଲାଭାନ୍ୱିତ ହେବ। ବିରୋଧୀ ଆଇନକୁ ନବୁଝି ଭ୍ରମିତ କରୁଛନ୍ତି ବୋଲି କହିଲେ ବିଜେପି ସାଂସଦ ସମ୍ବିତ ପାତ୍ର। ୨୦୧୫ରେ MMDR ଆଇନର ସଂଶୋଧନ ପରେ ଖଣି ନିଲାମ ପ୍ରକ୍ରିୟାରେ ଆସିଛି ସ୍ୱଚ୍ଛତା। ଇ-ଅକ୍ସନ ଜରିଆରେ ଖଣି ବଣ୍ଟନ ହେଉଥିବାରୁ ପୂର୍ବର ପରିବାରବାଦ ଓ ମନଇଚ୍ଛା ଖଣି ବଣ୍ଟନରେ ରୋକ୍ ଲାଗିଛି । ପୂର୍ବରୁ ବାର୍ଷିକ ୩ରୁ ୫ ହଜାର କୋଟି ଟଙ୍କା ରାଜସ୍ୱ ଆସୁଥିବା ଓଡ଼ିଶା ଏବେ ଏହା ୫୦ ହଜାର କୋଟି ଟଙ୍କା ପାଉଛି ।

ସେହିପରି ଖଣି ନିଲାମରେ ୧୫୦ ପ୍ରତିଶତ ପର୍ଯ୍ୟନ୍ତ ଆକ୍ସନ୍ ପ୍ରିମିୟମ୍ ମିଳୁଥିବା ଏବଂ DMF ଜରିଆରେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ କାମ ହେଉଥିବା କହିଛନ୍ତି । କେନ୍ଦୁଝର ଜିଲ୍ଲାରେ DMF ପାଣ୍ଠି ବାବଦରେ ୧୬ ହଜାର କୋଟି ଟଙ୍କାର ବ୍ୟବସ୍ଥା ରହିଛି । MMDR ସଂଶୋଧନରେ ରାଜ୍ୟର ଟ୍ୟାକ୍ସ ଅଧିକାର ନେଇ ଉଠୁଥିବା ପ୍ରଶ୍ନରର ଜବାବରେ ସମ୍ବିତ କହିଛନ୍ତି, କେନ୍ଦ୍ରର ନିର୍ଦ୍ଦିଷ୍ଟ ଫ୍ରେମୱାର୍କ ଓ ସର୍ତ୍ତ ଆଧାରରେ ରାଜ୍ୟ ଟ୍ୟାକ୍ସ ଲଗାଇପାରିବ । ଏହା ସହ ୨୦୦୪ର ORSED ରୁଲ୍ ଠାରୁ ୨୦୨୪ ପର୍ଯ୍ୟନ୍ତ ଆଇନଗତ ବିଳମ୍ବକୁ ନେଇ ତତ୍କାଳୀନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସମ୍ବିତ। ସେହିପରି ବେଆଇନ ଖଣି ଖନନ ମାମଲାରେ ସୁପ୍ରିମକୋର୍ଟଙ୍କ ଜରିମାନା ପ୍ରସଙ୍ଗ ମଧ୍ୟ ଉଠାଇ ତତ୍କାଳୀନ ବିଜେଡି ସରକାରକୁ ଘେରିଛନ୍ତି ସମ୍ବିତ ପାତ୍ର।

 

Leave A Reply

Your email address will not be published.